ଏଲପିଜି ସଙ୍କଟ: କେନ୍ଦ୍ରକୁ କଡ଼ା ସମାଲୋଚନା

ଦେଶରେ ଦେଖା ଦେଇଥିବା ରୋଷେଇ ଗ୍ୟାସ୍‌ ….

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଥିବା ରୋଷେଇ ଗ୍ୟାସ୍‌ ସଙ୍କଟ ଓ ବୁକିଂ ନିୟମକୁ ନେଇ ଚାଲିଥିବା ବିବାଦ ଭିତରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତେଜିଛି।ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ନୂତନ ବୁକିଂ କଟକଣାକୁ ବୁଧବାର ସରକାର ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ପୂର୍ବ ନିୟମ ବଳବତର ଥିବା ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ, ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଏଲ୍‌ପିଜି ସଙ୍କଟ ପାଇଁ ସରକାରଙ୍କ ବୈଦେଶିକ ନୀତିକୁ ଦାୟୀ କରିବା ସହ ଇରାନ ସହ ସମ୍ପର୍କରେ ଅବନତି ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।

ଲୋକସଭା ଭବନ ବାହାରେ ସାଂସଦ ଡିମ୍ପଲ ଯାଦବ କହିଛନ୍ତି ଯେ, ଇରାନ ଭାରତର ଏକ ପୁରୁଣା ବନ୍ଧୁ ହୋଇଥିଲେ ମଧ୍ୟ ସଙ୍କଟ ସମୟରେ ସରକାର ତାଙ୍କୁ ସମର୍ଥନ ନଦେବା ଦୁର୍ଭାଗ୍ୟଜନକ। ଏହାର ପ୍ରଭାବରେ ଦେଶରେ ଏଲପିଜି ଓ ଇନ୍ଧନ ସମସ୍ୟା ଉପୁଜିଛି। ଗୋଟିଏ ମାସ ବୁକିଂ କରିବା ପରେ ମଧ୍ୟ ଲୋକଙ୍କୁ ସିଲିଣ୍ଡର ମିଳୁନି। ସେ ମହିଳା ସଂରକ୍ଷଣ ବିଲ୍‌ରେ ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ବର୍ଗଙ୍କ ପାଇଁ ସ୍ପଷ୍ଟ ଏଜେଣ୍ଡା ଦାବି କରିବା ସହ ସରକାର ସର୍ବଦଳୀୟ ବୈଠକରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି।