୨୮,୮୪୦ କୋଟି ଟଙ୍କାର ଉଡାନ୍‌ ମଞ୍ଜୁର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ୨୮,୮୪୦ କୋଟି ଟଙ୍କାର ସଂଶୋଧିତ ଉଡାନ୍‌ ଯୋଜନାକୁ ମଞ୍ଜୁର କରାଯାଇଛି।ଭାରତରେ ଆଂଚଳିକ ବିମାନ ସଂଯୋଗୀକରଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଯୋଜନା ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୩୫-୩୬ ପର୍ଯ୍ୟନ୍ତ ୧୦ ବର୍ଷ ଅବଧି ପାଇଁ କାର୍ଯ୍ୟକାରୀ ହେବ।

ଏହି ପଦକ୍ଷେପ କମ୍‌ ସେବା ପାଉଥିବା ଓ ସେବା ପାଉ ନଥିବା ଅଂଚଳ ବିଶେଷ କରି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡିକରେ ସୁବିଧା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ଅଧିକ ଶସ୍ତା କରୁଛି। ଏହା ଅର୍ଥନୈତିକ ଅଭିବୃଦ୍ଧି, ବାଣିଜ୍ୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଦୂରବର୍ତୀ ଓ ପାହାଡ଼ିଆ ଅଂଚଳରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ସ୍ୱାସ୍ଥ୍ୟସେବା ସୁବିଧାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

ଏହି ଯୋଜନା ଅଧୀନରେ ସରକାର ଆସନ୍ତା ଆଠ ବର୍ଷ ମଧ୍ୟରେ ୧୨,୧୫୯ କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ବିମାନବନ୍ଦର ଉନ୍ନତିକରଣ କରି ପ୍ରାୟ ୧୦୦ଟି ବିମାନବନ୍ଦର ବିକାଶ କରିବାକୁ ଯୋଜନା କରିଛନ୍ତି। ଏହା ସହିତ ଆଂଚଳିକ ଏରୋଡ୍‌ରୋମଗୁଡିକର କାର୍ଯ୍ୟକ୍ଷମତା ଓ ରକ୍ଷଣା ବେକ୍ଷଣ ପାଇଁ ସେମାନଙ୍କର ସ୍ଥାୟୀତ୍ୱ ନିଶ୍ଚିତ କରିବାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଶେଷ ମାଇଲ୍‌ ସଂଯୋଗୀକରଣ ଆହ୍ୱାନକୁ ଦୂର କରିବା ପାଇଁ ବିଶେଷ କରି ଦୂରବର୍ତୀ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଏହି ଯୋଜନା ୩,୬୬୧ କୋଟି ଟଙ୍କାର ଆନୁମାନିକ ବିନିଯୋଗରେ ୨୦୦ଟି ଆଧୁନିକ ହେଲିପ୍ୟାଡ୍‌ ବିକାଶ କରାଯିବ।

ଆଂଚଳିକ ମାର୍ଗଗୁଡ଼ିକୁ ବଜାୟ ରଖିବା ପାଇଁ ଏୟାରଲାଇନ୍‌ ଅପରେଟରମାନେ ୧୦ ବର୍ଷ ମଧ୍ୟରେ ୧୦,୦୪୩ କୋଟି ଟଙ୍କା ମୂଲ୍ୟର ଭାଏବିଲିଟି ଗ୍ୟାପ୍‌ ଫଣ୍ଡିଂ ସହାୟତା ମଧ୍ୟ ପାଇବେ। ଏହି ଯୋଜନାରେ ପବନ ହଂସ ପାଇଁ ହାଲ୍‌ ଧ୍ରୁବ ହେଲିକପ୍ଟର ଓ ଆଲାଏନ୍ସ ଏୟାର ପାଇଁ ଡର୍ଣ୍ଣିୟର ବିମାନ ସମେତ ସ୍ୱଦେଶୀ ବିମାନ କ୍ରୟ ଅନ୍ତର୍ଭୁକ୍ତ କରାଯାଇଛି।୨୦୧୬ ରେ ଆରମ୍ଭ ହୋଇଥିବା ମୂଳ ଉଡାନ୍‌ ଯୋଜନା ପୂର୍ବରୁ ୯୫ ଟି ବିମାନବନ୍ଦର, ହେଲିପ୍ୟାଡ୍‌ ଓ ୱାଟର ଏରୋଡ୍ରୋମରେ ୬୬୩ଟି ରୁଟ୍‌ କାର୍ଯ୍ୟକ୍ଷମ କରିସାରିଛି।ଯେଉଁଥିରେ ୩.୪୧ ଲକ୍ଷରୁ ଅଧିକ ବିମାନ ୧୬୨ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି।