ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରୁ ବ୍ୟାପକ ପଥର ଲୁଟ୍ ହେଉଛି। ବଡବଡ ପାହାଡରୁ ମାଫିଆମାନେ ବେଧଡକ ପଥର ଖୋଳି ନେଉଛନ୍ତି। କେତେକ ପାହାଡର ଚିହ୍ନବର୍ଣ୍ଣ ନ ଥିବା ବେଳେ ଉକ୍ତ ସ୍ଥାନ ଏବେ ଜଳାଶୟ ପାଲଟିଛି। ଦିନେ ଯେଉଁଠି ବିଶାଳ ପାହାଡ ଠିଆ ହୋଇଥିଲା ସେଠି ଏବେ ପୋଖରୀ ସୃଷ୍ଟି ହୋଇଛି। ବର୍ଷ କେଇଟା ଭିତରେ ଏଭଳି ସ୍ଥିତି ସମସ୍ତଙ୍କୁ ହତବାକ୍ କରିଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଅସାଧୁ ମେଂଟକୁ ରୋକା ଯାଇପାରିନି।
ଆନନ୍ଦପୁର ତହସିଲ ଅଧୀନ ବନ୍ଧ ଗାଁରେ ସବୁଜ ପରିବେଶ ମଧ୍ୟରେ ଏକ ବଡ ପାହାଡ ରହିଥିଲା। ଏହା ସ୍ଥାନୀୟ ଲୋକଙ୍କ ଭାବାବେଗ ସହ ମଧ୍ୟ ଜଡିତ ଥିଲା। ୨୦୧୨ରେ ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ଏକ କମ୍ପାନି ଏହି ପାହାଡରୁ ପଥର ଖନନ ପାଇଁ ଲିଜ୍ ସୂତ୍ରରେ ନେଇଥିଲା। ଏଠାରୁ ପଥର ଖନନ କରାଯାଇ ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର କରାଯାଇଥିଲା। ଅବଧି ସରିବା ପରେ ଏଠାରୁ କ୍ରସର୍ ୟୁନିଟ୍ ଉଠି ଯାଇଥିଲା। ଏବେ ଏହି ସ୍ଥାନରେ ଆଉ ପାହାଡର ଚିହ୍ନବର୍ଣ୍ଣ ନାହିଁ।
ଜନବସତି ତଥା ଗୋଚର ଜମି ନିକଟରେ ୧୦୦ରୁ ୧୫୦ ଫୁଟ ଗଭୀରର ଜଳାଶୟ ସୃଷ୍ଟି ହୋଇଛି। ଯାହା ଗୃହପାଳିତ ପଶୁ, ବନ୍ୟଜନ୍ତୁ ଓ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ଜଳାଶୟକୁ ପୋତିବା ପାଇଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ମଦନପୁର କାଜୁ ଜଙ୍ଗଲରୁ ବେଆଇନ ମୋରମ ଓ ମାଙ୍କଡାପଥର ଚାଲାଣ ନେଇ ଗ୍ରାମବାସୀ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ୭ କୋଟି ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଯାହା ଏଯାଏଁ ଆଦାୟ ହୋଇପାରିନି।
ଆନନ୍ଦପୁର ବ୍ୟାରେଜ୍ ନିର୍ମାଣ ପରେ ବୈତରଣୀ ସୁରକ୍ଷା ବନ୍ଧରେ ଚୋରା ପଥର ବ୍ୟବହାର ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ୨୦୨୩ ଅକ୍ଟୋବର ୧୭ରେ କେନ୍ଦୁଝର ବିଧାୟକ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଧାନସଭା ପବ୍ଲିକ୍ ଆକାଉଂଟସ୍ କମିଟିର ଏକ ଟିମ୍ ଆସି ଏହାର ତଦନ୍ତ କରିଥିଲା। ଏହି କମିଟି ଓସ୍ତପୁରା ଓ ଭୋଳନୂଆଗାଁ ପାହାଡ ପରିଦର୍ଶନ କରି ଏଠାରେ ବେଆଇନ ଖନନ ଯୋଗୁଁ ସୃଷ୍ଟି ହୋଇଥିବା ବଡ ପୋଖରୀ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।
ହେଲେ ତତ୍କାଳୀନ ସରକାରଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ଅଟକି ଯାଇଥିଲା। ଆନନ୍ଦପୁର ଉପଖଣ୍ଡରେ ହୋଇଥିବା ବେଆଇନ ପଥର ଚାଲାଣର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।