ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ମିଳିତ ବାହିନୀ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଅତି ଜଟିଳ ମୋଡ଼ରେ ପହଂଚିଛି। ବିଗତ ଚାରି ସପ୍ତାହ ଧରି ଜାରି ରହିଥିବା ଏହି ଯୁଦ୍ଧ ଏକ ଶକ୍ତିଶାଳୀ ସାମରିକ ଗତିରୋଧର ରୂପ ନେଇଛି। ଯୁଦ୍ଧବିରତି ଆଲୋଚନା ପାଇଁ ଉଭୟ ଇରାନ ଓ ଆମେରିକା କଡା ସର୍ତ ରଖିଥିବା ଏବଂ ଇରାନ ଆମେରିକାର ସର୍ତକୁ ପ୍ରତ୍ୟାଖ୍ୟାନ କରିଥିବାରୁ କୂଟନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନ ଦାବି କରିଛି ଯେ କଥାବାର୍ତା ପାଇଁ ବିଭିନ୍ନ ଚାନେଲ ସକ୍ରିୟ ରହିଛି ଏବଂ ଖୁବ୍ ଶୀଘ୍ର ଏହାର ପରିଣାମ ଦେଖିବାକୁ ମିଳିବ।
ଆମେରିକା ଓ ଇସ୍ରାଏଲ ଆକାଶମାର୍ଗରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଇରାନର କ୍ଷେପଣାସ୍ତ୍ର ଭିତିଭୂମିକୁ ବହୁ ପରିମାଣରେ ନଷ୍ଟ କରି ଦେଇଥିଲେ ମଧ୍ୟ ଇରାନର ଆକ୍ରମଣ କ୍ଷମତା କମୁ ନଥିବାରୁ ସାମରିକ ବିଶେଷଜ୍ଞମାନେ ବିସ୍ମୟ ପ୍ରକଟ କରିଛନ୍ତି। ଇରାନ ହର୍ମୁଜ ପ୍ରଣାଳୀ ଅବରୋଧ କରି ବିଶ୍ୱ ଅର୍ଥନୀତି ଉପରେ ଏକ ଅସହ୍ୟ ଚାପ ପ୍ରୟୋଗ କରିବାରେ ସଫଳ ହୋଇଛି। ଏହି ସାମରିକ ଗତିରୋଧ ଏବେ ଏକ ଭୟଙ୍କର ସ୍ଥଳ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି, ଯାହା ସମଗ୍ର ମଧ୍ୟ-ପ୍ରାଚ୍ୟରେ ଧ୍ୱଂସଲୀଳା ରଚିବ ବୋଲି ବିଶ୍ଲେଷକମାନେ କହିଛନ୍ତି। ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇ କହିଛି ଯେ ସ୍ଥଳଯୁଦ୍ଧ ଆମେରିକୀୟ ମିଳିତ ବାହିନୀ ପାଇଁ ‘ମୃତ୍ୟୁର ବଳୟ’ ହେବ।
ଇରାନର ବରିଷ୍ଠ ସାମରିକ ରଣନୀତିଜ୍ଞ ମୋହସେନ ରେଜାଇ ଏକ କଠୋର ଚେତାବନୀ ଦେଇ କହିଛନ୍ତି, ଯଦି ମିଳିତ ବାହିନୀ ସ୍ଥଳପଥରେ ଆକ୍ରମଣ କରେ, ତେବେ ତାହା ଶତ୍ରୁ ପକ୍ଷ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ବିନାଶକାରୀ ପ୍ରମାଣିତ ହେବ। ସେ ଆମେରିକାକୁ ପ୍ରଶ୍ନ କରିଛନ୍ତି, ଆମେରିକୀୟ ସୈନିକମାନେ କ’ଣ ଇସ୍ରାଏଲ ପାଇଁ ମରିବାକୁ ପ୍ରସ୍ତୁତ? ଇରାନର ପାହାଡ଼ିଆ ଅଂଚଳ, ବିସ୍ତୀର୍ଣ୍ଣ ମରୁଭୂମି ଏବଂ ଦୁର୍ଗ ସଦୃଶ ସହରଗୁଡ଼ିକୁ ଆକ୍ରମଣକାରୀଙ୍କ ପାଇଁ ଏକ ‘କିଲ୍ ଜୋନ୍’ ବା ମୃତ୍ୟୁର ବଳୟରେ ପରିଣତ କରିବା ପାଇଁ ତେହେରାନ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଶକ୍ତ ଚେତାବନୀ ଦେଇ କହିଛନ୍ତି ଯେ, ସାମରିକ ବିକଳ୍ପ ଆହୁରି ତୀବ୍ର ହେବା ପୂର୍ବରୁ ଇରାନ ଯୁଦ୍ଧବିରତି ପ୍ରସ୍ତାବ ଉପରେ ଗମ୍ଭୀର ହେବା ଉଚିତ। ଟ୍ରମ୍ପ ଇରାନୀ ବୁଝାମଣାକାରୀଙ୍କୁ ‘ବିଚିତ୍ର’ ବୋଲି ବର୍ଣ୍ଣନା କରିବା ସହ ଦାବି କରିଛନ୍ତି ଯେ, ତେହେରାନ ବାହାରକୁ ଆଲୋଚନା ପାଇଁ ମନା କରୁଥିଲେ ମଧ୍ୟ ଭିତରେ ଭିତରେ ଚୁକ୍ତି ପାଇଁ ବ୍ୟାକୁଳ ଅଛି। ସେ କହିଛନ୍ତି, ସମୟ ଶେଷ ହେବା ପୂର୍ବରୁ ସେମାନେ ସତର୍କ ହେବା ଭଲ, ନଚେତ ଇରାନ ପାଇଁ ଫେରିବାର କୌଣସି ସୁଯୋଗ ରହିବ ନାହିଁ।
ସୂଚନାଯୋଗ୍ୟ, ଇରାନ ଏବେ ହର୍ମୁଜ ପ୍ରଣାଳୀକୁ ଆମେରିକା ଓ ଇସ୍ରାଏଲ ଜାହାଜ ପାଇଁ ସମ୍ପୂର୍ଣ୍ଣ ସିଲ୍ କରିଦେଇଛି ଏବଂ ଭାରତ, ଚୀନ୍, ପାକିସ୍ତାନ ସମେତ ୫ଟି ଦେଶକୁ ସର୍ତମୂଳକ ଅନୁମତି ଦେଇଛି।ଏହି ଅବରୋଧ ଯୋଗୁଁ ବିଶ୍ୱ ବଜାରରେ ଯୁଦ୍ଧର ପ୍ରଭାବ ପ୍ରଭାବ ଆର୍ଥିକ କ୍ଷେତ୍ରରେ ଦେଖିବାକୁ ମିଳିଛି। କେତେକ କ୍ଷେତ୍ରରେ ଇରାନ ମୋଟା ଅଙ୍କର ଶୁଳ୍କ ବଦଳରେ ଜାହାଜଗୁଡିକୁ ଯିବାକୁ ଅନୁମତି ଦେଉଛି।
ଗତ ୨୪ ଘଂଟା ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ତୀବ୍ର ହୋଇଛି। ଇସ୍ରାଏଲ ପକ୍ଷରୁ ତେହେରାନର ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଓ ଆଇଆର୍ଜିସିର କମାଣ୍ଡ ସେଂଟର ଉପରେ ପ୍ରବଳ ଏୟାର୍ଷ୍ଟ୍ରାଇକ କରାଯାଇଛି। ଏହାର ପ୍ରତିଶୋଧ ସ୍ୱରୂପ ଇରାନ ତେଲ୍ଅଭିଭ୍ ସମେତ ଇସ୍ରାଏଲର କେନ୍ଦ୍ରୀୟ ଅଂଚଳ ଏବଂ ଗଲ୍ଫ ଦେଶରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଶତାଧିକ ମିସାଇଲ ଓ ଡ୍ରୋନ୍ ମାଡ଼ କରିଛି।
ଆବୁଧାବିରେ ମିସାଇଲର ଭଗ୍ନାବଶେଷ ପଡ଼ି ଦୁଇ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ବାହାରିନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏକ ତୈଳ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯାହାକୁ ଇରାନର ଆକ୍ରମଣ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ହେଜବୁଲ୍ଲାର ରକେଟ ମାଡ଼ରେ ମଧ୍ୟ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ ଦିଆଯାଇଥିବା ୧୫ ସୂତ୍ରୀ ଯୁଦ୍ଧବିରତି ପ୍ରସ୍ତାବକୁ ଇରାନ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଯଦି ସ୍ଥଳ ଯୁଦ୍ଧ ଆରମ୍ଭ ହୁଏ, ତେବେ ଏହା କେବଳ ଇରାନ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବଡ ବିପଦ ଆଣିବ।