ବାଲୁଗାଁ: ପ୍ରତିଦିନ ମାଟି ତଡା ଚାଲିଛି। ଏହି ଧାରା ଜାରି ରହିଲେ ଐତିହ୍ୟ ସୋଲରୀ ପାହାଡ଼ ଲୋପ ପାଇଯିବ। ପାହାଡର ପାଦଦେଶରୁ ପ୍ରତିଦିନ ମାଟି ଖୋଳି ଚୋରା ଚାଲାଣ କରାଯାଉଛି। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି। ପୁରାଣ ବର୍ଣ୍ଣନା ଅନୁଯାୟୀ, ଏହି ସୋଲରୀ ପାହାଡ଼ ଉପରେ ବସି ବାଣାସୁର ତପସ୍ୟା କରୁଥିଲେ। ପାହାଡ଼ ଶୀର୍ଷରେ ଗୋଟିଏ ପୁଷ୍କରିଣୀ ଥିଲା, ସେହି ପୁଷ୍କରିଣୀରେ ପ୍ରତିଦିନ ଗୋଟିଏ ପଦ୍ମଫୁଲ ଫୁଟେ। ସେହି ଫୁଲକୁ ତୋଳି ସୋଲରୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରୁଥିଲେ ବାଣାସୁର।
ଦେବତାମାନଙ୍କୁ ସଂହାର କରିବା ଉଦ୍ଦେଶ୍ୟରେ ବାଣାସୁର ଏହି ପୂଜା କରିଥିବା କିମ୍ବଦନ୍ତି କୁହେ। ପାହାଡ଼ର ପାରିପାର୍ଶ୍ୱିକ ଅବସ୍ଥାକୁ ନିରୀକ୍ଷଣ କଲେ ଏହି ପାହାଡରେ ଅନେକ ବନ୍ୟଜନ୍ତୁ ବସବାସ କରନ୍ତି। ସମ୍ପୂର୍ଣ୍ଣ ପାହାଡ଼ ବାଲୁଗାଁ ରେଞ୍ଜ୍ ଅଧୀନରେ ଥିବା ଜଣାପଡିଛି। ଏହି ସୋଲରୀ ପାହାଡ଼ର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରି ଉକ୍ତ ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲ କହନ୍ତି। ଗତ କିଛିବର୍ଷ ହେବ ଲଗାତର ଭାବରେ ଏହି ପାହାଡ଼ ପାଦଦେଶରୁ ମାଟି ଖୋଳା ଚାଲିଛି। ପାହାଡର ଦକ୍ଷିଣ ଦିଗରେ ଥିବା ସମସ୍ତ ଗୋଚର ଜମିର ମାଟି ୧୬ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ସହାୟତା କରୁଥିଲା ବେଳେ ଏବେ ଘରଦ୍ୱାର, ବଗିଚା ଓ ବିଭିନ୍ନ କାମ ପାଇଁ ଅଦ୍ୟାବଧି ଏହି ସ୍ଥାନରୁ ମାଟି ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ସ୍ଥାନକୁ ନିଜର ପୈତୃକ ସମ୍ପତି ଭାବି କରାୟତ କରି ନେଇଥିବା ଅଭିଯୋଗ ହେଉଛି। ବର୍ତମାନ ପରିସ୍ଥିତିରେ ପାହାଡ଼ ପାଦଦେଶରେ ମାଟି ଖୋଳି ବିକ୍ରି କରି ସାରିଥିଲା ବେଳେ ଏବେ ଏହି ଗର୍ତ ସ୍ଥାନରେ ପାଣି ଥିବାରୁ ପଙ୍କ ଉଦ୍ଧାର ନାମରେ ହରିଲୁଟ୍ କରିବା ପାଇଁ ଅଭିଯାନ ଜୋର ଧରିଛି। ଏପରିକି ଉକ୍ତ ସ୍ଥାନର ପଙ୍କ ଉଦ୍ଧାର ପାଇଁ ଚିଲିକା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବିଡିଓ ପୁନମ ମହାପାତ୍ର କହିଛନ୍ତି।
ଏହି ସୋଲରୀ ପାହାଡ଼କୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିବା ଉଦ୍ଦେଶ୍ୟ ନେଇ ମସୁଧା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନର ଆଶ୍ରୟ ନିଆଯିବ ବୋଲି ଆଙ୍କୁଲା ପଂଚାୟତର କେତେକ ବ୍ୟକ୍ତି କହିଛନ୍ତି। ଅନ୍ୟପକ୍ଷରେ ଚିଲିକା ତହସିଲଦାରଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ନୂତନ ତହସିଲଦାର କୌଣସି ପଦକ୍ଷେପ ନେଇ ନଥିବା ଜଣାପଡିଛି। କେତେକ ସାମାଜିକ କର୍ମୀ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରନ୍ତି।