କାଳବୈଶାଖୀ ପରେ ଚାଷୀଙ୍କ ଚିନ୍ତା ବଢ଼ିଗଲା

କାଳବୈଶାଖୀ ତାଣ୍ଡବ ପରେ ଧାନମଣ୍ଡିରେ ଧାନ ଧରି …..

ଭଦ୍ରକ: କାଳବୈଶାଖୀ ତାଣ୍ଡବ ପରେ ଧାନମଣ୍ଡିରେ ଧାନ ଧରି ଅପେକ୍ଷା କରିଥିବା ଚାଷୀଙ୍କ ମୁଣ୍ଡରେ ସତେ ଯେପରି ଚଡକ ପଡିଛି। ଧାନଗୁଡିକ ଓଦା ହୋଇଯାଇଥିବାରୁ ତୁରନ୍ତ ବିକ୍ରି ନହେଲେ ଗଜା ହୋଇ ନଷ୍ଟ ହେବା ସମ୍ଭାବନା ରହିଛି। ଧାନମଣ୍ଡି ଶେଷ ହେବାକୁ ଆଉ ୫ ଦିନ ଥିବାବେଳେ ଧାନ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି।

ଅଚାନକ ଝଡ଼ବର୍ଷାରେ ମଣ୍ଡିରେ ଥିବା ଧାନ ବସ୍ତା ସବୁ ଭିଜି ଯାଇଛି। ଅନେକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେମାନଙ୍କ ଧାନ ସରକାରୀ ମଣ୍ଡିରେ ବିକ୍ରି ହେବ ବୋଲି ଆଶା ରଖିଥିଲେ। ହେଲେ ଗତକାଲିର କାଳବୈଶାଖୀ ବର୍ଷା ସେମାନଙ୍କ ସମସ୍ତ ଆଶଭରସା ଚୂରମାର କରିଛି।

ଧାନ ବସ୍ତା ଉପରେ ପଡ଼ିଥିବା ପଲିଥିନ ପବନରେ ଉଡ଼ିଯାଇଛି। ବର୍ଷାରେ ଧାନ ବସ୍ତା ସବୁ ଭିଜିଯାଇଛି। ଗତ ତିନିଦିନ ହେଲା ଜିଲ୍ଲାରେ ବର୍ଷା, ପବନ ଲାଗି ରହିଛି। ଜିଲ୍ଲାର ଧାନ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ୧୫୩ଟି ମଣ୍ଡି ମଧ୍ୟରୁ ଅଧିକାଂଶ ମଣ୍ଡିରେ ଗୋଦାମ ଘର ନାହିଁ।

ଯେଉଁଥିପାଇଁ ଚାଷୀମାନେ ମାସ ମାସ ଧରି ସେମାନଙ୍କ ଧାନକୁ ସମବାୟ ସମିତି ଆଗରେ ବସ୍ତା କରି ରଖିଥିଲେ। ଯାହାର ପାଳି ପଡୁଥିଲା, ସେମାନଙ୍କ ଧାନ ବିକ୍ରି ହେଉଥିଲା। ଏବେ ବସ୍ତା ସବୁ ବର୍ଷାରେ ଭିଜି ଫାଟିଯାଇଛି। ଧାନ ସବୁ ବାହାରେ ଖେଳାଇ ହୋଇପଡିଛି। ଲୋକେ ଏହାକୁ ଉଠାଇ ପୁଣି ବସ୍ତା ବାନ୍ଧୁଚନ୍ତି। ଅନେକ ମଣ୍ଡିରେ ପଡ଼ିଆରେ ବର୍ଷା ପାଣି ଜମି ଯିବାରୁ ଧାନ ବସ୍ତା ପାଣିରେ ଭାସୁଛି । ଏହି ୧୫୩ ଟି ମଣ୍ଡିରେ ପ୍ରାୟ ୬ ଲକ୍ଷ ୫୦ ହଜାର କୁଇଂଟାଲ ଧାନ ପଡ଼ିରହିଛି।ସେହିପରି ୯୬,୨୩୩ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୮୧,୬୫୬ ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି।

ଆହୁରି ୧୪,୫୭୭ ଜଣ ଚାଷୀ ଧାନ ବିକିବାକୁ ଅପେକ୍ଷା କରି ବସିଛନ୍ତି। ଯାହା ଜଣାପଡୁଛି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆଉ ୧୦ ହଜାର ଚାଷୀଙ୍କ ଧାନ କିଣା ଯିବାର ଯୋଜନା ରହିଛି। ଆହୁରି ୫ ହଜାର ପଞ୍ଜୀକୃତ ଚାଷୀଙ୍କ ଧାନ କିଣା ଯାଇଁପାରିବ ନାହିଁ। ଏହି ଚାଷୀମାନେ କ’ଣ କରିବେ ବୋଲି ଏବେ ଚିନ୍ତାରେ ରହିଛନ୍ତି। ଜିଲ୍ଲା ଯୋଗଣ ବିଭାଗ ସମସ୍ତ ମଣ୍ଡିକୁ ନିର୍ଦ୍ଦେଶ ଦେଉଛନ୍ତି ମାର୍ଚ୍ଚ ୩୧ ସୁଦ୍ଧା ସବୁ ମଣ୍ଡିରୁ ଧାନ ଉଠାଇବା ପାଇଁ।

ଭଦ୍ରକ ଜିଲ୍ଲା ଭିତରେ ଥିବା ୨୩ଟି ଧାନକଳ ଓ ଜିଲ୍ଲାବାହାରୁ ୧୮ଟି ରାଇସ ମିଲକୁ ଡକାଇ ୧୦ ଲକ୍ଷ ୪ ହଜାର କଂଟାଲ ଧାନ କିଣିବାକୁ ଟାର୍ଗେଟ ଥିଲା। ଏମାନେ ୯ ଲକ୍ଷ କୁଇଂଟାଲ ଧାନ କିଣିବାକୁ ସମ୍ମତି ପ୍ରକାଶ କରିଛନ୍ତି। ବାକି ୧ ଲକ୍ଷ ୫୦ ହଜାର କୁଇଂଟାଲ ଧାନ କିଣା ଯିବା ନେଇ ପ୍ରଶାସନିକ ପଦକ୍ଷେପ ପ୍ରତି ସମସ୍ତଙ୍କ ନଜର ରହିଛି।