ଟ୍ରମ୍ପଙ୍କ ଉପରେ ବିଶ୍ୱବାସୀଙ୍କ ଦୃଷ୍ଟିି

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ….

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ଚାଲିଥିବା କୂଟନୈତିକ ପ୍ରୟାସ ବିଫଳ ହେଲେ ଲମ୍ବା ଯୁଦ୍ଧ ନିଶ୍ଚିତ ବୋଲି ସାମରିକ ବିଶେଷଜ୍ଞମାନେ ଚେତାଇ ଦେବାପରେ ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂସ୍ଥା ଏବେ ପ୍ରସ୍ତୁତି ତ୍ୱରାନ୍ୱିତ କରିଛନ୍ତି। ଇରାନର ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ଦ୍ୱାରା ହର୍ମୁଜ ପ୍ରଣାଳୀର ଅବରୋଧ ଯୋଗୁଁ ବିଶ୍ୱର ପ୍ରାୟ ୨୦% ତୈଳ ଓ ଏଲ୍‌ଏନ୍‌ଜି ଯୋଗାଣ ପ୍ରଭାବିତ ହୋଇଛି। ଆନ୍ତର୍ଜାତିକ ଶକ୍ତି ସଂସ୍ଥାଗୁଡିକ ଚେତାବନୀ ଦେଇଛନ୍ତି ଯେ ଯୁଦ୍ଧ ଲମ୍ବା ହେଲେ ତୈଳ ମୂଲ୍ୟ ଆହୁରି ବଢ଼ିପାରେ ଏବଂ ମାସ ମାସ ଧରି ଅଭାବ ଦେଖାଦେଇପାରେ। ଏହା ସହିତ ହର୍ମୁଜ ଓ ଲୋହିତ ସାଗର ମଧ୍ୟରେ ଥିବା ସମୁଦ୍ର ତଳ ଫାଇବର-ଅପ୍ଟିକ୍‌ କେବଲ୍‌ ଉପରେ ବିପଦ ବଢ଼ୁଛି, ଯାହା ବିଶ୍ୱର ପ୍ରାୟ ୯୫% ଇଂଟରନେଟ୍‌ ଟ୍ରାଫିକ୍‌ ବହନ କରେ। ଯଦି ଏହି କେବଲ୍‌ କ୍ଷତିଗ୍ରସ୍ତ ହୁଏ ତେବେ ବ୍ୟାଙ୍କିଙ୍ଗ୍‌, ଷ୍ଟକ୍‌ ମାର୍କେଟ୍‌, ହସ୍ପିଟାଲ୍‌, ଏଆଇ ସିଷ୍ଟମ୍‌ ଓ ସାଧାରଣ ଇଂଟରନେଟ୍‌ ସେବାରେ ବ୍ୟାପକ ବାଧା ସୃଷ୍ଟି ହୋଇପାରେ।

ଶକ୍ତି ସୁରକ୍ଷା ଓ ବିକଳ୍ପ ଯୋଗାଣ: ଭାରତ ଜରୁରୀ ଭିତିରେ ରୁଷ୍‌, ଆମେରିକା ଓ ଅନ୍ୟାନ୍ୟ ଉତ୍ସରୁ ତୈଳ, ଏଲ୍‌ପିଜି ଓ ଏଲ୍‌ଏନ୍‌ଜି କ୍ରୟ ବଢ଼ାଇଛି। ରିଫାଇନାରିଗୁଡ଼ିକ ରୁଷୀୟ ତୈଳ ପ୍ରକ୍ରିୟାକରଣ ବଢ଼ାଉଛନ୍ତି। ଫିଲିପାଇନ୍ସ ତୈଳ ମୂଲ୍ୟ ଦୁଇଗୁଣ ହେବା ପରେ ଜାତୀୟ ଶକ୍ତି ଜରୁରୀ ଅବସ୍ଥା ଘୋଷଣା କରିଛି। ୟୁରୋପୀୟ ରାଷ୍ଟ୍ରମାନେ, ଆମେରିକା, ଅଷ୍ଟ୍ରେଲିଆ ଓ ରୁଷ୍‌ରୁ ଏଲ୍‌ଏନ୍‌ଜି ଆମଦାନି ବଢ଼ାଇଛନ୍ତି ଏବଂ ଗଚ୍ଛିତ ଭଣ୍ଡାର ବ୍ୟବହାର କରୁଛନ୍ତି। ସାଉଦି ଆରବ ଲୋହିତ ସାଗର ପାଇପ୍‌ଲାଇନ୍‌ ବ୍ୟବହାର କରୁଛି ଏବଂ ଚୀନ୍‌ ନିଜର ବିଶାଳ ରଣନୈତିକ ତୈଳ ଭଣ୍ଡାର ଖୋଲୁଛି।

କୂଟନୀତି ବିଫଳ ହେଲେ ଇରାନ ଭିତରେ ସ୍ଥଳସେନା ପ୍ରବେଶ କରାଇବାକୁ ଆମେରିକା ବ୍ୟାପକ ଯୋଜନା କରିଛି ଏବଂ ମଧ୍ୟପ୍ରାଚ୍ୟକୁ ଅତିରିକ୍ତ ସୈନ୍ୟ ପଠାଇଛି। ଉପସାଗରୀୟ ଦେଶଗୁଡ଼ିକ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଜଭୁତ କରୁଛନ୍ତି। ଉପସାଗରୀୟ ଦେଶଗୁଡିକରେ ଏଆଇ ହବ୍‌ ଓ ଇଣ୍ଡିଆ-ୟୁରୋପ ଇଂଟରନେଟ୍‌ ଟ୍ରାଫିକ୍‌ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଆଶଙ୍କା ପାଇଁ ବିଶ୍ୱର ଟେକ୍‌ କମ୍ପାନୀଗୁଡ଼ିକ ବିକଳ୍ପ ରୁଟ୍‌ ବିକଶିତ କରୁଛନ୍ତି। ଯୁଦ୍ଧବିରତି ପାଇଁ ପାକିସ୍ତାନ, ତୁର୍କୀ ଓ ଇଜିପ୍ଟର ମଧ୍ୟସ୍ଥତା ଜାରି ରହିଥିବା ବେଳେ ଏବଂ ଜି-୭ ବିଦେଶ ମନ୍ତ୍ରୀମାନେ ଦ୍ରୁତ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି।