ଭୁବନେଶ୍ୱର: ମଦ ବ୍ୟବସାୟରେ ସରକାର ଚଳିତ ଆର୍ଥିକ ବର୍ଷଠାରୁ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଚାହିଛନ୍ତି। ରାଜ୍ୟରେ ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡିକର ଲାଇସେନ୍ସକୁ ଲଟେରି ଜରିଆରେ ନବୀକରଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି। ଏହି ବ୍ୟବସ୍ଥାରୁ ଠିପି ଖୋଲା ଦୋକାନକୁ ବାଦ୍ ଦିଆଯାଇଛି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ୧୧ ଶହ ୪୦ ଠିପି ବନ୍ଦ ଓ ୨ ଶହ ଦେଶୀ ମଦ ଦୋକାନର ଲଟେରି ହେବ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। ପୁରୁଣା ବ୍ୟବସାୟୀ ମଧ୍ୟ ଲଟେରିରେ ଭାଗ ନେବାର ସୁଯୋଗ ରହିବ। ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ଉଭୟ ଲଟେରିରେ ଭାଗ ନେଇ ପାରିବେ।
ଲଟେରି ପାଇଁ ଆବେଦନ ଫି’ ୩ ଲକ୍ଷ ଟଙ୍କା ରଖାଯାଇଛି। ଆବେଦନକାରୀ ବ୍ୟକ୍ତି ଯଦି ଲଟେରି ନପାଇବେ ତା’ ହେଲେ ତାଙ୍କୁ ୩ ଲକ୍ଷ ଟଙ୍କା ଫେରସ୍ତ କରାଯିବ ନାହିଁ। ଲଟେରିରେ ନାମ ଆସିଲେ ମଦ ଦୋକାନ ଖୋଲିବାକୁ ସ୍ୱୀକୃତିପ୍ରାପ୍ତ ହୋଇପାରିବେ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏ ବାବଦରେ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି କୁହାଯାଇଛି। ଏହି ସବୁ ନୂଆ ବ୍ୟବସାୟୀଙ୍କ ଲାଇସେନ୍ସ ଅବଧି ୫ ବର୍ଷ ପର୍ଯ୍ୟନ୍ତ ରହିବ। ଏହି ଲଟେରି ବ୍ୟବସ୍ଥାକୁ ବିବାଦମୁକ୍ତ କରିବାକୁ ପ୍ରକ୍ରିୟାର ଆମୂଳଚୁଳ ଭିଡିଓ ରେକର୍ଡିଂ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୧ ବର୍ଷରୁ କମ୍ ବ୍ୟକ୍ତି, ଏକାଧିକ ଅପରାଧ ମାମଲା କିମ୍ବା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଦଦୋକାନ ପାଇଁ ଲଟେରି ଆବେଦନ କରିପାରିବେ ନାହିଁ। ଯେଉଁମାନଙ୍କ ନାଁରେ ପୂର୍ବରୁ ମଦ ଦୋକାନ ଥିଲା ସେମାନେ ଏମ୍ଜିକ୍ୟୁ (ମିନିମମ୍ ଗ୍ୟାରେଂଟେଡ୍ କୋଟା) ପୂରଣ କରି ନଥିବେ ତାଙ୍କ ଆବେଦନକୁ ଖାରଜ କରାଯିବ। ୨୦୨୧ ମସିହା ଏପ୍ରିଲ୍ ମାସରେ ଯେଉଁମାନେ ଲଟେରି ମାଧ୍ୟମରେ ମଦ ଦୋକନ ପାଇଥିଲେ ସେମାନଙ୍କର ଆସନ୍ତା ୩୧ରେ ୫ ବର୍ଷ ଅବଧି ସରୁଛି। ନୂଆ ଲଟେରୀ ପାଇଁ ସମୟ ଆବଶ୍ୟକ ଥିବାରୁ ଏହାକୁ ନଜରରେ ରଖି ସରକାର ସେସବୁ ମଦ ଦୋକାନକୁ ଦୁଇ ମାସ ଅଧିକ ଦୋକାନ ଚଲାଇବାକୁ ଅନୁମତି ଦେଇଛନ୍ତି।
ରାଜ୍ୟରେ ୧୧୪୦ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ୨୦୦ଟି ଦେଶୀ ମଦ ଦୋକାନ ରହିଛି। ଏହିସବୁ ଦୋକାନଗୁଡିକୁ ସରକାର ରାଜ୍ୟ ପାନୀୟ ନିଗମ ଜରିଆରେ ମଦ ଯୋଗାଉଛନ୍ତି ।