ଚାଷୀଙ୍କ ବଜାରରେ ତାଲା ଝୁଲୁଛି

ଚାଷୀଙ୍କ ସୁବିଧା ପାଇଁ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ …

ରାଉରକେଲା: ଚାଷୀଙ୍କ ସୁବିଧା ପାଇଁ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଫୁଲଝରରେ ନିର୍ମିତ ଇ-ନାମ୍‌ ବଜାର (ଜାତୀୟ କୃଷିବଜାର) ଶୂନଶାନ। ପ୍ରାୟ ୩ ବର୍ଷ ଧରି ସେଥିରେ ଝୁଲୁଛି ତାଲା। କେନ୍ଦ୍ର ସରକାରଙ୍କ ପାଣ୍ଠିରେ ପ୍ରାୟ ୫ ଏକର ପରିମିତ ଜାଗାରେ ନିର୍ମିତ ଗୋଦାମ, ନିଲାମ ଗୃହ, ପରୀକ୍ଷାଗାର ଚାଷୀଙ୍କ କୌଣସି କାମରେ ଆସୁନି। ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା, କ୍ରୟ ଓ ବିକ୍ରୟରେ ସ୍ୱଚ୍ଛତା ଆଣିବାକୁ ଏଭଳି ବଜାର ନିର୍ମାଣ କରାଯାଇଛି। ଏହାର ପରିଚାଳନା ଦାୟିତ୍ୱ ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)କୁ ଦିଆଯାଇଛି।
ଗତ ତିିନିବର୍ଷ ମଧ୍ୟରେ ଏଠାରେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର କ୍ରୟବିକ୍ରୟ ହୋଇନାହିଁ। ଗୋଦାମ ଓ ପରୀକ୍ଷାଗାର ମଧ୍ୟ ଅଦ୍ୟାବଧି ବ୍ୟବହାର କରାଯାଇନି। ପରୀକ୍ଷାଗାର ପାଇଁ ନିଯୁକ୍ତ ଦୁଇ ଟେକ୍ନିସିଆନ୍‌ ଇ-ନାମ୍‌ ବଜାରକୁ ଯାଉନାହାନ୍ତି। ବଜାର କାର୍ଯ୍ୟକ୍ଷମ ହେବା ସଂକ୍ରାନ୍ତରେ ପାନପୋଷ ନିୟନ୍ତ୍ରିତ ବଜାର କମିଟି ସଦସ୍ୟ ସତ୍ୟନାରାୟଣ ପ୍ରସାଦ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

କେବଳ ଏତିକି ନୁହେଁ, ନୂଆଗାଁ ବିଡିଓ ବଜାରର ଉନ୍ନତୀକରଣ, ପାଚେରି, ବିଦ୍ୟୁତ୍‌କରଣ, ୱେବ୍ରିଜ୍‌ ଆଦି ନିର୍ମାଣ କରିବାକୁ ପ୍ରାୟ ୬୦ ଲକ୍ଷ ଟଙ୍କାର ଦେଇଥିବା ପ୍ରସ୍ତାବ ବିଭାଗୀୟ ଅଧିକାରୀଙ୍କ ଫାଇଲ୍‌ରେ ଅଟକିଛି। ତିନି ବର୍ଷ ଧରି ବଜାର କାର୍ଯ୍ୟକ୍ଷମ ହେଉ ନଥିବାରୁ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି। ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି।
ପାନପୋଷ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ରମେଶ ଅଗ୍ରୱାଲ କହିଛନ୍ତି, ‘ନୂଆ ସରକାର ଆସିଛନ୍ତି। ବନ୍ଦ ପଡିଥିବା ଇ-ନାମ ବଜାରକୁ କେମିତି ତୁରନ୍ତ କାର୍ଯ୍ୟକାରୀ କରାଯିବ ସେଥିପାଇଁ ପାନପୋଷ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ବିଜୟ ନାୟକଙ୍କ ସହ ଆଲୋଚନା କରାଯାଇଛି। ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ଦ୍ୱାରା ଏହି ସ୍ଥାନ ଅସାମାଜିକଙ୍କ ଆଡାସ୍ଥଳ ପାଲଟିଛି। ଦରକାର ପଡିଲେ ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ।’