ପୁରୀ/ରାମଚଣ୍ଡୀ: ପୁରୀ ଓ ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଅଘଟଣ ଘଟିଛି। ସଚେତନତା ସତ୍ୱେ ସତର୍କ ନରହି ଗାଧୋଇବା ସମୟରେ ଜଣେ ଯୁବକ ବୁଡି ଯାଇଥିଲେ ଓ ଜଣେ ନିଖୋଜ ଅଛନ୍ତି। ମୃତ ଯୁବକ ହେଲେ ମୁନୁ କୁମାର (୨୦) ଏବଂ ନିଖୋଜ ବ୍ୟକ୍ତି ହେଲେ ଶୁଭେନ୍ଦୁ ପ୍ରଧାନ (୧୮)। ଯାଜପୁର ଅଂଚଳର ଶୁଭେନ୍ଦୁ ପ୍ରଧାନ ଶୁକ୍ରବାର ସକାଳେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ। ସମୁଦ୍ରର ଜୁଆର ଆସିବାରୁ ବୁଡି ଯାଇଥିଲେ। ସେହିପରି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନ କୋଣାର୍କ ଚନ୍ଦ୍ରଭାଗା ଇକୋ ରିଟ୍ରେଟ ନିକଟ ସମୁଦ୍ରରେ ଉତରପ୍ରଦେଶର ଫିରୋଜାବାଦ ଆମ୍ବେଦକର ନଗର ଅଂଚଳର ମୁନୁ କୁମାର ଗାଧୋଉ ଥିବାବେଳେ ସମୁଦ୍ର ଲହଡ଼ିରେ ବୁଡି ଯାଇଥିଲେ। ଖବର ପାଇ ମେରାଇନ ପୁଲିସ ଓ ଲାଇଫ ଗାର୍ଡ ପହଂଚି ସମୁଦ୍ର ଭିତରୁ ମୁନୁଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ମୁନୁ ଇକୋ ରିଟ୍ରେଟରେ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଥିଲେ।