ମିଛୁଆ ମନ୍ତ୍ରୀ: ସମସ୍ୟା ସୃଷ୍ଟି କରୁଛନ୍ତି ଗ୍ୟାସ ଏଜେନ୍ସି

ଘରୋଇ ଗ୍ୟାସ ଯଥେଷ୍ଟ ପରିମାଣରେ ମହଜୁଦ …

ଭୁବନେଶ୍ୱର: ଘରୋଇ ଗ୍ୟାସ ଯଥେଷ୍ଟ ପରିମାଣରେ ମହଜୁଦ ଅଛି; ଚିନ୍ତା କରିବାର ନାହିଁ ବୋଲି ରାଜ୍ୟ ସରକାର ଗାଇ ବୁଲୁଛନ୍ତି। ଖୋଦ ମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି। ଗ୍ୟାସ ସମସ୍ୟାକୁ ନେଇ ଭୟଭୀତ ହୁଅନ୍ତୁନି। ଖୋଦ ଜିଲ୍ଲାପାଳ ଏଭଳି ଆଶ୍ୱାସନା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି ଅଲଗା। ଘରୋଇ ଗ୍ୟାସ ବୁକ୍‌ କରି ଦିନ ପରେ ଦିନ ଗଡୁଥିଲେ ମଧ୍ୟ ଘରେ ଗ୍ୟାସ୍‌ ପହଂଚୁନି।

ଏଜେନ୍ସି ନିକଟକୁ ଯାଇ ଗ୍ୟାସ ଆଣିବାକୁ ଚେଷ୍ଟା କଲେ ଏଜେନ୍ସି ଦୁଆରେ ତାଲା। ଏଭଳି ସ୍ଥିତିରେ ସର୍ବାଧିକ ସମସ୍ୟା ଭୋଗୁଛନ୍ତି ବରିଷ୍ଠ ନାଗରିକ। ୬୫ ବର୍ଷୀୟ ଗୀତାଞ୍ଜଳି ପ୍ରଧାନ କହନ୍ତି; ମାର୍ଚ୍ଚ ୯ରୁ ଗ୍ୟାସ ବୁକ୍‌ କରି ତାଙ୍କର ମେମୋ ହୋଇଥିଲେ ମଧ୍ୟ ତାଙ୍କ ନିକଟରେ ଗ୍ୟାସ ପହଂଚିନି। ସେ ସ୍ଥାନୀୟ ଗ୍ୟାସ ଏଜେନ୍ସି ମାଧ୍ୟମରେ ଗ୍ୟାସ ବୁକ୍‌ କରିଥିଲେ। ଗୀତାଞ୍ଜଳି ଅଭିଯୋଗ କରିଛନ୍ତି, ଘରେ ୨ ଜଣ ବୟସ୍କ ସଦସ୍ୟ ରହୁଥିବା ବେଳେ ଆଉ କେହି ନାହାନ୍ତି। ଏଭଳି ସ୍ଥିତିରେ ଗ୍ୟାସ ଯୋଗାଣକାରୀଙ୍କୁ ଫୋନ କରିବାରୁ ସେ ସନ୍ତୋଷଜନକ ଉତର ନ ଦେଇ ଫୋନ କାଟି ଦେଉଛନ୍ତି। ଏଜେନ୍ସି ପାଖକୁ ଫୋନ କରିବାରୁ ଏଜେନ୍ସି ବାହାରେ ଫାଟକରେ ‘ଗ୍ୟାସ ଗାଡି ଆସିନାହିଁ, କାଲି ଆସିବ’ ଲେଖାଥିବା ପୋଷ୍ଟର ଝୁଲାଯାଇଛି। ଏଭଳି ସ୍ଥିତିରେ ଉଭୟ ଖୁବ ହଇରାଣ ହେଉଥିବା ସେ କହିଛନ୍ତି। କେବଳ ଗୀତାଞ୍ଜଳି ନୁହେଁ ସମାନ ଏଜେନ୍ସିରେ ଗ୍ୟାସ ବୁକ୍‌ କରିଥିବା ରାଜଶ୍ରୀ ସାହୁ ମଧ୍ୟ ସମାନ ସମସ୍ୟା ଭୋଗିଛନ୍ତି। ଗତ ଫେବ୍ରୁଆରୀ ୨୪ରୁ ଗ୍ୟାସ ବୁକ୍‌ କରି ମେମୋ ଆସିଥିଲେ ମଧ୍ୟ ତାଙ୍କ ନିକଟରେ ଏବେ ସୁଦ୍ଧା ଗ୍ୟାସ ପହଂଚିନି। ସେହିଭଳି ଅନ୍ୟ ଜଣେ ଗ୍ରାହକ ଦୀପ୍ତିପ୍ରଭା ସାହୁ ମଧ୍ୟ ପାଖାପାଖି ସପ୍ତାହେ ହେବ ଗ୍ୟାସ ବୁକ୍‌ କରିଥିଲେ ବି ଗ୍ୟାସ ପହଂଚିନି।