ଓଡିଆ ନାଟକ ଭବିଷ୍ୟତ ଅନ୍ଧକାର!

ନାଟକ ପରିବେଷଣ ପାଇଁ କୋଲ୍‌କାତାରେ ….

ନାଟକ ପରିବେଷଣ ପାଇଁ କୋଲ୍‌କାତାରେ ୨୨ଟି, ବମ୍ବେରେ ୧୮ଟି, ବେଙ୍ଗାଲୁରୁରେ ୧୪ଟି ଓ ଅଗରତାଲାରେ ୬ଟି ପ୍ରେକ୍ଷାଳୟ ରହିଛି। ହେଲେ ରାଜଧାନୀ ଭୁବନେଶ୍ୱରରେ ରହିଛି ମାତ୍ର ୨ଟି ପ୍ରେକ୍ଷାଳୟ। ‘ରବୀନ୍ଦ୍ର ମଣ୍ଡପ’ ଓ ‘ଭଞ୍ଜ କଳାମଣ୍ଡପ’।

ରବୀନ୍ଦ୍ର ମଣ୍ଡପକୁ ଛାଡିଦେଲେ କିଛି ନାଟକ ଭଞ୍ଜକଳା ମଣ୍ଡପରେ ପରିବେଷଣ କରାଯାଉଥିଲେ ମଧ୍ୟ ଏହାର ଭିତିଭୂମି ସନ୍ତୋଷଜନକ ନୁହେଁ। ୨୦୦୬ ମସିହାରୁ ରାଜ୍ୟର ସର୍ବବୃହତ୍‌ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ନିର୍ମାଣ ଚାଲିଛି ଯେ ଏ ଯାଏ ସରିବାର ନାମ ନେଉନି।

ଓଡିଶାରେ ନାଟକର ସ୍ଥିତି ଭଲ ରହିଥିବା ବେଳେ ଭିତିଭୂମିର ଅଭାବ ଓ ନାଟ୍ୟ କଳାକାରଙ୍କୁ ପ୍ରୋତ୍ସାହନ ଦେବାରେ ଅବହେଳା ନାଟକକୁ ବଢ଼ିବା ବଦଳରେ ଛିଡିବାକୁ ବାଧ୍ୟ କରୁଛି।
ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟ ଭଳି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତମୁନି ନାଟକକୁ ‘ପଂଚମ ବେଦ’ ବୋଲି ବର୍ଣ୍ଣନା କରିଛନ୍ତି। ୧୮୭୭ରେ ରଚିତ ହେଲା ପ୍ରଥମ ଓଡିଆ ନାଟକ ‘ବାବାଜୀ’।

ଏହା ଦର୍ଶକଙ୍କୁ ବେଶ୍‌ ଛୁଇଁଥିଲା। ସେବେଠାରୁ ଏହା ବେଶ୍‌ ଦର୍ଶକୀୟ ଆଦୃତି ମଧ୍ୟ ପାଇଛି। ଆଜି ବି ଓଡିଶାରେ ନାଟକର ସ୍ଥିତି ବେଶ୍‌ ସୁଦୃଢ଼ ଥିବାବେଳେ ଆବଶ୍ୟକ ଭିତିଭୂମିର ଅଭାବ, ନାଟକ ଓ ନାଟ୍ୟ କଳାକାରଙ୍କୁ ପଙ୍ଗୁ କରିବାରେ ବସିଲାଣି।

ଏ ସଂପର୍କରେ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ କହିଛନ୍ତି, ଓଡିଶାରେ ନାଟକର ସ୍ଥିତି ବେଶ୍‌ ଭଲ ରହିଛି। କିନ୍ତୁ ନାଟ୍ୟ ପରିବେଷଣ ପାଇଁ ମଂଚ ସୁବିଧା ନାହିଁ। ୧୯୮୫ ମସିହାରୁ ଏନେଇ ଦାବି କରିଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ପୁଣି ପୁରୁଣା ନାଟକକୁ ବଂଚାଇ ରଖିବାକୁ ମ୍ୟୁଜିୟମ୍‌, ଲାଇବ୍ରେରି ତଥା ପୁରୁଣା ବିଶିଷ୍ଟ ନାଟ୍ୟକାରମାନଙ୍କ ସମ୍ପର୍କରେ ତଥ୍ୟ, ପୁରୁଣା ନାଟ୍ୟ କଳାକାରଙ୍କ ପୋଷାକ, ସେମାନେ ବ୍ୟବହାର କରୁଥିବା ସାମଗ୍ରୀ ଆଦିକୁ ସଂରକ୍ଷଣ କରିବା ପାଇଁ ‘ନାଟ୍ୟ ଉନ୍ନୟନ ସମିତି’ କରିବାକୁ ବାରମ୍ବାର ଦାବି ଉଠୁଛି। କିନ୍ତୁ କିଛି କାର୍ଯ୍ୟକାରୀ ହେଉନାହିଁ। ଏଥିସହ ଭୁବନେଶ୍ୱରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଖଣ୍ଡଗିରି, ଉତରା ଛକରେ ଗୋଟିଏ ଲେଖାଏଁ ପ୍ରେକ୍ଷାଳୟ କରାଯିବା ସହ ପ୍ରଦର୍ଶନୀ ପଡିଆ ଓ ଜନତା ମଇଦାନ ମଧ୍ୟରେ ମଧ୍ୟ ଆଧୁନିକ ପ୍ରେକ୍ଷାଳୟ ନିର୍ମାଣର ଆବଶ୍ୟକତା ରହିଛି।
କଳାମଣ୍ଡଳ କାମ ଶୀଘ୍ର ସାରିବାର ବାରମ୍ବାର କହିଲେ ବି କିଛି ଘଟୁନାହିଁ। ଏଥିସହ ସମ୍ବଲପୁର, ବଲାଙ୍ଗୀର, ଜୟପୁର ଭଳି ସହରରେ ନାଟ୍ୟ ପରିବେଷଣ ପାଇଁ ବିଲ୍‌କୁଲ୍‌ ପ୍ରେକ୍ଷାଳୟ ନାହିଁ।
ଖାଲି ପ୍ରେକ୍ଷାଳୟ ଗଢ଼ିଦେଲେ ହେବ ନାହିଁ, କଳାକାରଙ୍କୁ ଆର୍ଥିକ ସହଯୋଗ ଯୋଗାଇବାର ବି ଆବଶ୍ୟକତା ରହିଛି।

ରାଜ୍ୟସ୍ତରୀୟ ଉତ୍ସବ କଲେ ୩ ଲକ୍ଷ ଟଙ୍କା, ଜାତୀୟସ୍ତରୀୟ ଉତ୍ସବ କଲେ ୫ ଲକ୍ଷ ଟଙ୍କା ଏବଂ ଏକ ନାଟକ ପ୍ରସ୍ତୁତ କଲେ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବାକୁ ଶ୍ରୀ ମଲ୍ଲିକ ସଂସ୍କୃତି ବିଭାଗକୁ ଅନୁରୋଧ କରିଛନ୍ତି। ତେବେ ଯାଇ ନାଟକ ଓ କଳାକାର ଉଭୟଙ୍କୁ ଓଡିଶାର କଳା ଆଗକୁ ନେବାରେ ଆଗ୍ରହ ଆସିବ ବୋଲି ସେ କହିଛନ୍ତି।
ଓଡିଶା ନାଟ୍ୟସଂଘ ସଭାପତି ମିହିର ମେହେର କହିଛନ୍ତି, ନାଟ୍ୟ ପରିବେଷଣ ଉପଯୋଗୀ ଅତ୍ୟାଧୁନିକ ମଂଚ ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ତଥା କଳାକାରଙ୍କୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କିତ ସମସ୍ତ ଦାବି ଆମେ ଖୁବ୍‌ ଶୀଘ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିବୁ।
ଠିକ୍‌ ସମୟରେ ସମୟୋପଯୋଗୀ ଦାବି ଉପସ୍ଥାପିତ କରିପାରିଲେ, ଦାବି ନିଶ୍ଚୟ ପୂରଣ ହେବ ବୋଲି ମୋର ଆଶା।