ଭୁବନେଶ୍ୱର: ମ୍ୟୁଟେସନ୍ ମାମଲାରେ ଜମି ପରିବର୍ତନ ସଂପର୍କିତ ଏକ ଅନୁକୂଳ ରିପୋର୍ଟ ପ୍ରଦାନ କରିବା ପାଇଁ ୩୦,୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ କଟକ ଜିଲ୍ଲା ଚୌଦ୍ୱାର ତହସିଲ ଅଧୀନ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଶ୍ରୀ ବାନ୍ଦ୍ରା ଜଣେ ଜମି ମାଲିକଙ୍କ ଠାରୁ ତାଙ୍କ ପତିତ ଜମିକୁ ହୋମଷ୍ଟେଡ୍ ଜମିରେ ପରିବର୍ତନ କରିବା ପାଇଁ ୩୦,୦୦୦ ଟଙ୍କା ଲାଂଚ ଦାବି କରିଥିଲେ। ପୂର୍ବରୁ ଦାବି କରିଥିବା ଟଙ୍କା ଆଜି ଗ୍ରହଣ କରୁଥିବା ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରିଥିଲା।
ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଜମି ମାଲିକ ଗତ ୧୦ ତାରିଖ ଦିନ ରାଜସ୍ୱ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଅନ୍ଲାଇନରେ ଏକ ଆବେଦନ କରିଥିଲେ।କିନ୍ତୁ ଅଭିଯୁକ୍ତ ଆରଆଇ ଶ୍ରୀ ବାନ୍ଦ୍ରା ଜମି ମାଲିକଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ୩୦,୦୦୦ ଟଙ୍କା ଲାଂଚ ଦାବି କରି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ।
ଶ୍ରୀ ବାନ୍ଦ୍ରା ଜମି ମାଲିକଙ୍କୁ କହିଥିଲେ, ଯଦି ତାଙ୍କୁ ୩୦,୦୦୦ ଟଙ୍କା ଲାଂଚ ନଦିଆଯାଏ, ତେବେ ସେ ତାଙ୍କ ଦ୍ୱାରା ଦାୟର କରାଯାଇଥିବା ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ପ୍ରଦାନ କରିପାରିବେ ନାହିଁ। ଶ୍ରୀ ବାନ୍ଦ୍ରାଙ୍କ ଏହି କଥା ଜମି ମାଲିକଙ୍କୁ ବିରକ୍ତ କରିଥିଲା।ସେ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତୃପକ୍ଷଙ୍କୁ ସବୁ କଥା ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସର ଏକ ଦଳ ଶ୍ରୀ ବାନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ ଅତର୍କିତ ଚଢ଼ଉ କରିଥିଲା। ଅଭିଯୁକ୍ତ ଶ୍ରୀ ବାନ୍ଦ୍ରାଙ୍କ କବଜାରୁ ଲାଂଚର ୩୦,୦୦୦ ଟଙ୍କା ଉଦ୍ଧାର କରାଯାଇଛି।