ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ବିଭାଗର ଆଉ ଏକ ବଡ ଅଧିକାରୀ ଧରାଦେଇଛନ୍ତି। ଲାଂଚ ଟଙ୍କା ସଂଗ୍ରହ କରି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଓପିଏଚ୍ଡବ୍ଲ୍ୟୁସିର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଇଙ୍କ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି। ଏହାପରେ ତାଙ୍କର ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ସୂଚନାନୁସାରେ, ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଂଟ୍ ବଳରେ ଭିଜିଲାନ୍ସ ଟିମ୍ ସମ୍ବଲପୁର ରେଳ ଷ୍ଟେସନ୍ରେ ଅଟକାଇ ଯାଂଚ୍ କରିଥିଲେ। ଶ୍ରୀଭୋଇଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କାର ସେ ଲାଂଚ ନେଇଥିବା ସନ୍ଦେହ କରାଯାଉଛି। ଏହାପରେ ତାଙ୍କର ସମ୍ବଲପୁର, ଭୂବନେଶ୍ୱର ଓ ଭଞ୍ଜନଗର ଥିବା ବାସ ଭବନରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରର ରସୁଲଗଡ ଠାରେ ଥିବା ପୁଲିସ କଲୋନୀର କ୍ୱାଟର ନଂ ଭି/୧୬ ବାସଭବନରୁ ୫ଲକ୍ଷ ଟଙ୍କା ନଗଦ ମିଳିଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ବିଡିଏ ହାଉସିଂ ବୋର୍ଡର ଏମ୍ଆଇଜି କଲୋନୀରେ ଥିବା ତାଙ୍କ ଭଉଣୀଙ୍କ ଘରୁ ୭୦ଟି ୫୦୦ଟଙ୍କିଆ ନୋଟ୍ ବିଡା ଜବତ ହୋଇଛି।