ଲୋଭର ବଶବର୍ତୀ ହୋଇ ଅଧିକ ପରିମାଣର ମିଠା ଖାଉଥିଲେ, ସତର୍କ ହୋଇଯାନ୍ତୁ। ଏହାର ସ୍ୱାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସତର୍କ ସୂଚନା ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପୁଷ୍ଟିବିଜ୍ଞାନୀମାନେ। ‘ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି’ ବିଷୟକୁ ନେଇ ହୋଇଥିବା ସର୍ଭେରୁ ଏଭଳି ଭୟଙ୍କର ତଥ୍ୟ ମିଳିପାରିଛି। ଏହି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କିଛି ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରିଥିଲେ।
ସେମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରି ଗୋଟିଏ ଗ୍ରୁପରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ନିର୍ଦ୍ଦି ଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ତନ୍ନତନ୍ନ କରି ଅନୁଧ୍ୟାନ ମଧ୍ୟ କରିଥିଲେ।ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କ ସ୍ମରଣଶକ୍ତିରେ ତାରତମ୍ୟ ଦେଖିବାକୁ ମିଳିଥିଲା।