ରାଉରକେଲା: ବିଳମ୍ବିତ ରାତିରେ ପ୍ଲାଂଟ୍ ସାଇଟ୍ ଥାନା ଅଂଚଳରେ ବଡ ଡକାୟତି ଯୋଜନା ଚାଲିଥିବା ବେଳେ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ନୟାବଜାର ରାମେଶ୍ୱରପାଲିର ଦୀପ୍ତିରଞ୍ଜନ ପଟ୍ଟନାୟକ(୩୦), କିଶୋର ରଣା(୩୧), ମହତାବ ରୋଡ୍ର ଆଦିତ୍ୟ ସାହୁ (୨୧), କଇତାବସା ଅଂଚଳର ସୁଶୀଲ ହୋ (୨୪) ଓ ଗୋପବନ୍ଧୁପାଲିର ରାକେଶ ସିଂ(୨୭)। ଧରପଗଡ ନେଇ ମଙ୍ଗଳବାର ପୁଲିସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରଦତ ସୂଚନାନୁସାରେ ସେମାନଙ୍କ ଠାରୁ ୨ଟି ଖଣ୍ଡା, ଗୋଟିଏ ଭୁଜାଲି ଓ ୨ଟି ଲୁହାରଡ୍ ଜବତ ହୋଇଛି।
ସମସ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ରେ ପ୍ଲାଂଟ୍ ସାଇଟ୍ ଥାନା ଏସ୍ଆଇ ଉମେଶ ଅହିର ପାଟ୍ରୋଲିଂ କରୁଥିଲେ। ନୟାବଜାର କଂଗ୍ରେସ ଭବନ ପଛରେ କେତେକ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଚଳପ୍ରଚଳ କରୁଥିବା ନେଇ ତାଙ୍କୁ ଏକ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଥିଲା। ସେ ସଦଳବଳେ ସେଠାରେ ପହଂଚିଥିଲେ। ଘେରାବନ୍ଦୀ କରି ୫ ଜଣ ଯୁବକଙ୍କୁ କାବୁ କରିଥିଲେ। ଖାନତଲାସି କରିବାକୁ ସେମାନଙ୍କଠାରୁ ଏକାଧିକ ମାରଣାସ୍ତ୍ର ଜବତ ହୋଇଥିଲା।
ତନାଘନା କରିବାରୁ ସେମାନେ ସହରରେ ଦୋକାନ, ଘର ଓ ପାଟ୍ରୋଲ୍ ପମ୍ପରୁ ଡକାୟତି ଯୋଜନା କରିଥିବା ଜଣାପଡିଥିଲା। ସମସ୍ତଙ୍କୁ ଗିରଫ କରି ମାରଣାସ୍ତ୍ର ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଆଦିତ୍ୟ ସାହୁ ନାଁରେ ପୂର୍ବରୁ ରେଳବାଇ ଥାନା, ରଘୁନାଥପାଲି ଥାନା ଓ ପ୍ଲାଂଟ୍ ସାଇଟ୍ ଥାନାରେ ୭ଟି ଆପରାଧିକ ମାମଲା ରହିଛି।
ସେହିଭଳି ସୁଶୀଲ ନାଁରେ ଟାଙ୍ଗରପାଲି ଓ ରଘୁନାଥପାଲି ଥାନାରେ ମୋଟ ୧୪ଟି ମାମଲା ଓ କିଶୋର ରଣା ନାଁରେ ପ୍ଲାଂଟ୍ ସାଇଟ୍ ଓ ଟାଙ୍ଗରପାଲି ଥାନାରେ ୮ଟି ମାମଲା ରହିଛି। ସେହିପରି ଦୀପ୍ତିରଞ୍ଜନ ଓ ରାକେଶ ନାଁରେ ମଧ୍ୟ ଗୋଟିଏ ଲେଖାଏ ମାମଲା ରହିଛି।