ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ବର୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ……

ସୁନ୍ଦରଗଡ଼: ବର୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ୱାସ ଯୋଗୁ ସୋମବାର ରାତିରେ ଘଟିଛି ହତ୍ୟା ଘଟଣା। ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହ କରାଯାଇ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସାନପତ୍ରାପାଲି କେନ୍ଦାଖୋଲ ଗ୍ରାମର ବୃଦ୍ଧ ଦମ୍ପତିଙ୍କୁ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି।

ଏଥିରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ବୃଦ୍ଧା ଆହତ ହୋଇଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ମହାଦେବ ପ୍ରଧାନ(୬୫)। ମଙ୍ଗଳବାର ସକାଳେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କୁମୁଦ ବାଗ (୩୭), ଲବ କୁଜୁର (୨୨), ଶିବ ପ୍ରଧାନ (୪୦) ଓ ପ୍ରମୋଦ ବାଗ (୩୫)। ହତ୍ୟାରେ ବ୍ୟବହୃତ ଚୁଲିଫୁଙ୍କା ନଳ, ଲାଠି ଓ ଛୁରି ଆଦି ପୋଲିସ ଜବତ କରିଛି।

ସୂଚନା ଅନୁଯାୟୀ, କେନ୍ଦାଖୋଲ ଗ୍ରାମରେ ମହାଦେବ ଓ ତାଙ୍କ ସ୍ତ୍ରୀ ଅମିଲା ରହୁଥିଲେ। ଦମ୍ପତିଙ୍କର ପୁଅ ନ ଥିବାବେଳେ ଏକମାତ୍ର ଝିଅ ବାଲିଜୁରୀ ଗ୍ରାମରେ ବିବାହ କରିଛନ୍ତି। ମହାଦେବ ଗୁଣିଗାରେଡ଼ି କାର୍ଯ୍ୟକରିବା ସହ ଅମିଲା ଡାହାଣୀ ବୋଲି ଗାଁ ଲୋକେ ସନ୍ଦେହ କରୁଥିଲେ।
ଗାଁରେ କେତେଜଣଙ୍କ ଦେହ ଭଲ ରହୁ ନ ଥିବାରୁ ବୃଦ୍ଧ ଦମ୍ପତିଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ତେଣୁ ଏହି ୪ ଯୁବକ ସୋମବାର ରାତି ପ୍ରାୟ ୮ଟା ୩୦ରେ ଦମ୍ପତିଙ୍କ ଘରକୁ ଯାଇ ସଂଘବନ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମହାଦେବଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଅମିଲା ଆହତ ହୋଇଛନ୍ତି।

ବୃଦ୍ଧଙ୍କ ଝିଅ ଜୟନ୍ତୀ ବାଗ ବିଳମ୍ବିତ ରାତିରେ ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତିଙ୍କଠାରୁ ଫୋନ ଯୋଗେ ଖବର ପାଇଥିଲେ। ମଙ୍ଗଳବାର ଭୋର ବାପଘରେ ପହଂଚି ମା’ଙ୍କୁ ଡାକ୍ତରଖାନା ନେବା ସହ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବରପାଇ ସଦର ଏସ୍‌ଡିପିଓ ନିର୍ମଳ ମହାପାତ୍ର ସାଇଂଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଂଚିଲେ।ଅଭିଯୁକ୍ତମାନେ ଗୁଣିଗାରେଡ଼ି ସନ୍ଦେହରେ ସଂଘବନ୍ଧ ଆକ୍ରମଣ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ଏ ନେଇ ସଦର ଥାନାରେ ଏକ ମାମଲା (ନଂ.୧୮୫/୨୦୨୬) ରୁଜୁ ହୋଇଛି।