୭୮ ପୁଲିସ ଅଧିକାରୀ ଓ କର୍ମଚାରୀ ସମ୍ବର୍ଦ୍ଧିତ

ଗୁରୁବାର ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ୭୮ ଜଣ ….

ଭୁବନେଶ୍ୱର: ଗୁରୁବାର ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ୭୮ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପଦକ (ଡିଜିପି ପଦକ) ପ୍ରଦାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପଦକ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଏସ୍‌ ସାଇନି , ଆଇଜିପି (ଅପରେସନ) ଡ ଦୀପକ କୁମାର, ଆଇଜିପି (କ୍ରାଇମବ୍ରାଂଚ୍‌) ଡ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ସ୍ୱତନ୍ତ୍ର ଗୁଇନ୍ଦା ଶାଖା) ଅଖିଲେଶ୍ୱର ସିଂ, ଡିସିପି (ଭୁବନେଶ୍ୱର) ଜଗମୋହନ ମୀନା, ଡିସିପି (କଟକ) ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସପି (ସ୍ପେଶାଲ ବ୍ରାଂଚ୍‌) ସୁନିଲ କୁମାର ନନ୍ଦ, ଏସପି (ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ) ଅଶୋକ କୁମାର ଦେହୁରୀଙ୍କ ସମେତ ଏସଓଜିର ୨୯ ଜଣ, ସ୍ପେଶାଲ ବ୍ରାଂଚ୍‌ର ୭ ଜଣ, ଏସ୍‌ଆଇଡବ୍ଲ୍ୟୁର ୧୦ ଜଣଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ।

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟର ସର୍ବଶ୍ରେଷ୍ଠ ପୁଲିସ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ବଡଗଡ ଥାନାର ଇନ୍ସପେକ୍ଟର ବିମଳ କୁମାର କଅଁରଙ୍କୁ ମଧ୍ୟ ଡିଜିପି ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।