ଧାନ କିଣା ଅବଧି ୭ ଦିନ ବଢ଼ିଲା

ଖରିଫ ଧାନକିଣାରେ ରାଜ୍ୟ ସରକାର …..

ଭୁବନେଶ୍ୱର: ଖରିଫ ଧାନକିଣାରେ ରାଜ୍ୟ ସରକାର ୭ ଦିନ ବୃଦ୍ଧି କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର। ମାର୍ଚ୍ଚ ୩୧ରେ ଖରିଫ ଧାନକିଣା ଅବଧି ଶେଷ ହୋଇଥିଲା। ହେଲେ ଏବେବି ଅନେକ ଚାଷୀଙ୍କ ଧାନ କିଣା ହୋଇ ନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନ କିଣା ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରାଯାଇଛି ।

ବିଶେଷ କରି ସୀମାନ୍ତବର୍ତୀ ଜିଲ୍ଲାଗୁଡ଼ିକରେ ଚାଷୀମାନଙ୍କ ପାଖରେ ବିକ୍ରି ନହୋଇ ପଡ଼ି ରହିଥିବା ଧାନକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏବଂ ସେମାନେ ଯେପରି ଅଭାବୀ ବିକ୍ରିର ଶିକାର ନହୁଅନ୍ତି, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସମୟସୀମାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାର୍ଚ୍ଚ ୩୧ ପରେ ଏବେ ଏହି ପ୍ରକ୍ରିୟା ଆଉ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ । ଯେଉଁ ଚାଷୀଙ୍କ ପାଖରେ ବୈଧ ଟୋକନ୍‌ ଅଛି କିନ୍ତୁ ଧାନ ବିକ୍ରି କରିପାରିନାହାନ୍ତି, ସେମାନଙ୍କୁ ପ୍ରାଥମିକତା ଦିଆଯିବ । ସମସ୍ତ ମଣ୍ଡି କର୍ତୃପକ୍ଷଙ୍କୁ ସଜାଗ ରହିବାକୁ ଏବଂ ସ୍ୱଚ୍ଛତାର ସହ ଧାନ ସଂଗ୍ରହ କରିବାକୁ କୁହାଯାଇଛି। ଏହି ନିଷ୍ପତି ଫଳରେ ହଜାର ହଜାର ଚାଷୀ ଉପକୃତ ହେବେ ।