୧୫ ହଜାର ସ୍କୁଲ ଓ ୫ ଶହ କଲେଜରେ କଂଟେଂଟ୍‌ କ୍ରିଏଟର୍‌ ଲାବ୍‌

ଦେଶର ୧୫ ହଜାର ମାଧ୍ୟମିକ ବିଦ୍ୟାଳୟ ଏବଂ ୫ ଶହ କଲେଜରେ ….

ନୂଆଦିଲ୍ଲୀ: ଦେଶର ୧୫ ହଜାର ମାଧ୍ୟମିକ ବିଦ୍ୟାଳୟ ଏବଂ ୫ ଶହ କଲେଜରେ ଏଭିଜିସି କଂଟେଂଟ୍‌ କ୍ରିଏଟର୍‌ ଲ୍ୟାବ୍‌ (ସିସିଏଲ) ପ୍ରତିଷ୍ଠା କରାଯିବ। ଏହି ପଦକ୍ଷେପ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ‘ଅରେଞ୍ଜ ଇକୋନୋମି’ କ୍ଷେତ୍ର ଭାବେ ପରିଚିତ ଆନିମେସନ୍‌, ଭିଜୁଆଲ୍‌ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ର ସମେତ ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାର ବଜେଟରେ ବ୍ୟାପକ ଅର୍ଥ ବ୍ୟବସ୍ଥା କରିଛନ୍ତି। ଏପରିକି ଭାରତକୁ ବିଶ୍ୱସ୍ତରୀୟ କଂଟେଂଟ୍‌ କ୍ରିଏସନ୍‌ ହବ୍‌ ଭାବରେ ଗଢ଼ି ତୋଳିବା ପାଇଁ ସରକାରଙ୍କ ବିସ୍ତୃତ ଚିନ୍ତାଧାରା ଅଧୀନରେ ଅନେକ ପଦକ୍ଷେପ ଆରମ୍ଭ କରାଯାଇଛି। ଲୋକସଭାରେ କୃତି ଦେବୀ ଦେବବର୍ମନ ଏବଂ ଏଟାଲା ରାଜେନ୍ଦ୍ରଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଜବାବରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍‌. ମୁରୁଗନଙ୍କ ଦ୍ୱାରା ଏହି ସୂଚନା ପ୍ରଦାନ କରାଯାଇଛି।

ଏଭିଜିସି: ଏକ୍‌ସଆର କ୍ଷେତ୍ର ପାଇଁ ଜାତୀୟ ଉକ୍ରର୍ଷ କେନ୍ଦ୍ର ଭାବରେ ଆଇଆଇସିଟି ଗଠନ କରାଯାଇଛି। ଜୁଲାଇ ୨୦୨୫ରୁ ଏହା ମୁମ୍ବାଇର ଆଇଆଇସିଟି-ନ୍ୟାସ୍‌ନାଲ୍‌ ଫିଲ୍ମ ଡେଭଲପମେଂଟ୍‌ କର୍ପୋରେସନ୍‌ (ଏନ୍‌ଏଫ୍‌ଡିସି) ପରିସରରୁ କାର୍ଯ୍ୟ କରୁଛି। ଏହା ଅଧୀନରେ ବର୍ତମାନ ୧୮ଟି ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁଥିରେ ୧୩୬ ଜଣ ଛାତ୍ର ନାମ ଲେଖାଇଛନ୍ତି ଏବଂ ୧୫ ଜଣ ଅଂଶଗ୍ରହଣକାରୀ ‘ଟ୍ରେନ୍‌-ଦି-ଟ୍ରେନର୍‌’ କାର୍ଯ୍ୟକ୍ରମ ସମାପ୍ତ କରିଛନ୍ତି। ମୁମ୍ବାଇର ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍ନୋଲୋଜି (ଆଇଆଇସିଟି)କୁ କଂଟେଂଟ୍‌ କ୍ରିଏଟର ଲ୍ୟାବ ଯୋଜନା, ସମନ୍ୱୟ ଏବଂ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି। ଟେକ୍ନୋଲୋଜି ଷ୍ଟାକ୍‌, ହିତାଧିକାରୀ ଅନୁଷ୍ଠାନଗୁଡ଼ିକର ଚିହ୍ନଟ ଏବଂ କାର୍ଯ୍ୟକାରୀ କରିବାର ପ୍ରଣାଳୀ ସମ୍ବନ୍ଧରେ ଅଂଶୀଦାରମାନଙ୍କ ସହିତ ପରାମର୍ଶ ଜାରି ରହିଛି।

ଏଭିଜିସି -ଏକ୍ସଆର କ୍ଷେତ୍ରର ପ୍ରସାର ଏବଂ ଅଭିବୃଦ୍ଧି ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ଏବଂ ନୀତିଗତ ପଦକ୍ଷେପଗୁଡିକର ସୁପାରିଶ କରିବା ପାଇଁ ସରକାରଙ୍କ ଦ୍ୱାରା ଏପ୍ରିଲ ୨୦୨୨ରେ ‘ଏଭିଜିସି ପ୍ରମୋସନ ଟାସ୍କ ଫୋର୍ସ’ ଗଠନ କରାଯାଇଥିଲା। ଏହା ଡିସେମ୍ବର ୨୦୨୨ରେ ନିଜର ରିପୋର୍ଟ ଦାଖଲ କରିଥିଲା।ଏହି ରିପୋର୍ଟରେ ଦର୍ଶାଯାଇଛି, ଏହି କ୍ଷେତ୍ର ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରଖିଛି । ୨୦୩୦ ସୁଦ୍ଧା ଏଭିଜିସି- ଏକ୍ସଆର, କଂଟେଂଟ୍‌ ପ୍ରଡକ୍ସନ୍‌, ଡିଜାଇନ୍‌, ପ୍ରୋଗ୍ରାମିଂ ଏବଂ ସମ୍ପୃକ୍ତ କ୍ଷେତ୍ରରେ ପ୍ରାୟ ଦୁଇ ନିୟୁତ ଦକ୍ଷ ବୃତିଧାରୀଙ୍କ ଆବଶ୍ୟକତା ହୋଇପାରେ।