ପ୍ରଥମ ଦିନରେ ସ୍ୱଜନଗଣନା କଲେ ୧୭ ହଜାର

ରାଜ୍ୟରେ ଡିଜିଟାଲ ଜନଗଣନା ଆରମ୍ଭ ହୋଇଛି। ….

ଭୁବନେଶ୍ୱର: ରାଜ୍ୟରେ ଡିଜିଟାଲ ଜନଗଣନା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସ୍ୱଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ୱଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍‌ କରିଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟରେ ଚାଲିଥିବା ଜନଗଣନା ସଂପର୍କରେ ବୈଠକ ଡାକି ଆଲୋଚନା କରିଛନ୍ତି। ଜନଗଣନା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ଏପ୍ରିଲ ୧ରୁ ରାଜ୍ୟରେ ଡିଜିଟାଲ୍‌ ଜନଗଣନା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ପ୍ରତ୍ୟେକ ଲୋକ ନିଜେ ନିଜକୁ ଜନଗଣନା କାର୍ଯ୍ୟକ୍ରମରେ ସାମିଲ କରିପାରିବେ। ପ୍ରତି ଲୋକଙ୍କ ଜଣଗଣନା ତଥ୍ୟ ଗୋପନୀୟ ରହିବ। ଜନଗଣନା ପାଇଁ ସରକାର ୩୩ଟି ପ୍ରଶ୍ନ ତିଆରି କରିଛନ୍ତି। ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ଖଚଏ ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ। ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି। ୧୬ ତାରିଖଠାରୁ ଅଧିକାରୀ ଘରକୁ ଘର ଯାଇ ଜନଗଣନା କରିବେ।