ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ: ଅନ୍ଲାଇନ୍ରେ ସାର୍ଟିଫିକେଟ୍
ନିର୍ଭୁଲ ଏବଂ ବିନା ଦ୍ୱନ୍ଦ୍ୱରେ ମାଟ୍ରିକ୍ ଖାତା ଦେଖା ସରିଲା। …..
କଟକ: ନିର୍ଭୁଲ ଏବଂ ବିନା ଦ୍ୱନ୍ଦ୍ୱରେ ମାଟ୍ରିକ୍ ଖାତା ଦେଖା ସରିଲା। ଏବେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଁ ଦ୍ୱିତୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ମାଟ୍ରିକ୍ ରେଜଲ୍ଟ ଟାବୁଲେସନ୍ ପାଇଁ ଏକ ମାସ ଲକ୍ଷ୍ୟ ରଖାଯାଇଛି।
ମାଟ୍ରିକ୍ ଫଳ ପ୍ରକାଶ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନରେ ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଏଥି ସହିତ ପେପର ଖରାପ ହୋଇଥିଲେ ସପ୍ଲିମେଂଟାରୀ ପରୀକ୍ଷା ଦେଇପାରିବେ। ଏଭଳି ମତାମତ ପ୍ରକାଶ କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିଲା। ମାଟ୍ରିକ୍ ସମେତ ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତି ମଧ୍ୟରେ ଶେଷ ହୋଇସାରିଛି। ମାଟ୍ରିକ୍ ସବଜେକ୍ଟିଭ୍ ପ୍ରଶ୍ନର ଉତରଖାତା ମୂଲ୍ୟାୟନ ଲାଗି ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହୋଇଥିଲେ।
ସୂଚନାଯୋଗ୍ୟ, ମାଟ୍ରିକ୍, ଏସ୍ଓଏସି ଓ ମଧ୍ୟମା ପରୀକ୍ଷା ମିଶି ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୧୦୦ ନମ୍ବର ବିଶିଷ୍ଟ ପରୀକ୍ଷାରୁ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ୍ ପ୍ରଶ୍ନର ଉତର ଓଏମ୍ଆର ସିଟରେ ଥିବାରୁ ତାହାର ମୂଲ୍ୟାୟନ ଶେଷ ହୋଇସାରିଛି। ସବ୍ଜେକ୍ଟିଭ୍ ଉତର ଖାତାଗୁଡିକର ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା। ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ପ୍ରତିଦିନ ଶିକ୍ଷକମାନେ ଖାତା ଦେଖିସାରିବା ପରେ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ଲିଙ୍କ୍ରେ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ ହୋଇଛି।