ଡବଲ୍‌ ଇଞ୍ଜିନ୍‌ ସରକାରଙ୍କ ଡବଲ୍‌ ଧୋକା: ବିଜେଡି

ଓଡିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ….

ଭୁବନେଶ୍ୱର: ଓଡିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଂଚଳକୁ ଓଡିଶାରେ ଥିବା ପୂର୍ବତଟ ରେଳବାଇରୁ କାଢି ନେଇ ଆନ୍ଧ୍ରପ୍ରଦେଶରେ ଥିବା ଦକ୍ଷିଣତଟ ରେଳବାଇରେ ମିଶ୍ରଣ କରାଯାଇଛି। ଯାହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶୁକ୍ରବାର, ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଡବଲ ଧୋକା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ବିଜେଡି ଉପସଭାପତି ଶ୍ରୀ ନାୟକ କହିଥିଲେ ଯେ ପୂର୍ବତଟ ରେଳବାଇ ଦେଶରେ ଥିବା ସମସ୍ତ ରେଳବାଇ ଡିଭିଜନ ମଧ୍ୟରେ ସର୍ବାଧିକ ରାଜସ୍ୱ ଦେଉଥିବା ଡିଭିଜନ୍‌। ଆନ୍ଧ୍ରକୁ ଖୁସି କରିବାକୁ ଯାଇ ଓଡିଶାରେ ଥିବା ପୂର୍ବତଟ ରେଳବାଇକୁ ଦୁର୍ବଳ କରିବାକୁ ଲଗାତର ଉଦ୍ୟମ ହେଉଛି। ପ୍ରାୟ ୧ ବର୍ଷ ତଳେ କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲାର କିଛି ଅଂଶକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଥିଲା। ଏବେ ଓଡିଶା ଦିବସ ପାଳିତ ହେଉଥିବା ବେଳେ ପଲାସା ଓ ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡବଲ୍‌ ଇଞ୍ଜିନ୍‌ ସରକାର ଡବଲ୍‌ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପିର ନେତାମାନେ ରାଜ୍ୟ ପ୍ରତି ଏହି ଅନ୍ୟାୟ ବିରୋଧରେ ସ୍ୱର ଉତୋଳନ କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ପୂର୍ବତଟ ରେଳବାଇକୁ ଲଗାତର ସଙ୍କୁଚିତ କରାଯାଉଛି।

ଓଡିଶାର ୨୦ ଜଣ ଲୋକସଭା ବିଜେପି ସାଂସଦ ଓ ରାଜ୍ୟର ନେତୃତ୍ୱ ମୁହଁରେ ତୁଣ୍ଡି ଦେଇ ବସି ରହିଛନ୍ତି। ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ସେମାନଙ୍କ ଭୂମିକା କ’ଣ? ଏହାଛଡା ଜଣେ ଓଡିଶାର ସାଂସଦ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉ ଥିବାବେଳେ ଓଡିଶାର ସ୍ୱାର୍ଥକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଥିଲେ। ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି କହିଥିଲେ ଯେ ରାଜ୍ୟରେ ଅନ୍ୟୁନ ୬ଟି ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିନି। ସରକାର ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି। ଗ୍ରହଣ କରାଯାଇଥିବା ନିଷ୍ପତିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ସହିତ ଓଡିଶାର ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ରେଳପଥଗୁଡିକୁ ଦକ୍ଷିଣ-ପୂର୍ବ ରେଳବାଇରୁ କାଢି ପୂର୍ବତଟ ରେଳବାଇରେ ମିଶ୍ରଣ କରି ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି।