ଆମ ଦେଶରେ ୮୦୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାର ଉତ୍ପାଦନ ସମଗ୍ର ଦେଶର ଉତ୍ପାଦନର ପଚାଶ ପ୍ରତିଶତ। ଦିଲ୍ଲୀ, ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ନାଶିକ, ନାଗପୁର ଓ ଠାଣେ, ତାମିଲନାଡୁର ଚେନ୍ନାଇ, କର୍ଣ୍ଣାଟକର ବେଙ୍ଗାଲୁରୁ, ପଶ୍ଚିମବଙ୍ଗର କୋଲକାତା, ଗୁଜରାଟର ଅହମଦାବାଦ ଓ ସୁରଟ, ରାଜସ୍ଥାନର ଜୟପୁର ଓ ତେଲେଙ୍ଗାନାର ହାଇଦ୍ରାବାଦକୁ ନେଇ ଏହି ୧୩ଟି ଜିଲ୍ଲାର କ୍ଷେତ୍ରଫଳ ଦେଶର ସମୁଦାୟ କ୍ଷେତ୍ରଫଳର ମାତ୍ର ୨.୫ ପ୍ରତିଶତ। ଏହି ୧୩ ଜିଲ୍ଲାର ଜନସଂଖ୍ୟା ସମଗ୍ର ଦେଶର ଜନସଂଖ୍ୟାର ମାତ୍ର ୮ ପ୍ରତିଶତ। ଅର୍ଥାତ୍ ଦେଶର ମାତ୍ର ୨.୫% ଅଂଚଳରେ ମାତ୍ର ୮% ଲୋକଙ୍କ ଦ୍ୱାରା ଦେଶର ୫୦% ରାଷ୍ଟ୍ରୀୟ ଆୟ ହାସଲ ହେଉଛି।
କୋଲକାତାକୁ ବାଦ ଦେଲେ ଭାରତ ମାନଚିତ୍ରରେ ପଶ୍ଚିମ ଓ ଦକ୍ଷିଣ ଦିଗ ହିଁ ଆମ ଦେଶର ଆର୍ଥିକ ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ୧୩ଟି ଜିଲ୍ଲାରେ ଉଦ୍ୟୋଗର ପରିସର ବ୍ୟାପକ ହେଉଥିଲା ବେଳେ ଦେଶର ଅନ୍ୟ ଜିଲ୍ଲାଗୁଡିକରେ ଉଦ୍ୟୋଗର ପରିସର ସୀମିତ। ମହାରାଷ୍ଟ୍ର କିମ୍ବା ଗୁଜରାଟରେ ପ୍ରାୟ ସବୁ ପ୍ରକାରର ଉଦ୍ୟୋଗ ଭରପୂର ଥିଲା ବେଳେ ଆମ ରାଜ୍ୟ ଷ୍ଟିଲ, ଆଲୁମିନିଅମ କିମ୍ବା ଫେରୋ ଆଲୟ ଉଦ୍ୟୋଗରେ ସୀମିତ।
ପ୍ରଶ୍ନ ଉଠେ, ଉପରୋକ୍ତ ୧୩ଟି ଜିଲ୍ଲା ତୁଳନାତ୍ମକ ଭାବେ ଏତେ ସଶକ୍ତ କାହିଁକି ଏବଂ ଆମ ରାଜ୍ୟରେ ସମସ୍ତ ସମ୍ପଦ ଭରପୂର ଥିଲା ବେଳେ ଆମେ ଔଦ୍ୟୋଗିକ ବିକାଶର ମୁଖ୍ୟସ୍ରୋତରୁ ବାଦ ପଡିଛୁ କାହିଁକି? କୌଣସି ଅଂଚଳରେ ଉଦ୍ୟୋଗ ବିକାଶ ପାଇଁ ସେହି ଅଂଚଳର କଂଚାମାଲ, ଗମନାଗମନ, ଇନ୍ଧନ ଯୋଗାଣ, ଶ୍ରମିକ ଉପଲବ୍ଧତା ସହ ବାଣିଜ୍ୟିକ ଲାଭଦାୟକ ହେବ କି ନାହିଁ ତାହାକୁ ବିଚାରକୁ ନିଆଯାଏ। ଅନ୍ୟ ଯେଉଁ ଉପାଦାନଟି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୁଖ୍ୟ ଭୂମିକା ବହନ କରେ ତାହା ହେଉଛି ନିରନ୍ତର ଇନ୍ଧନ ଯୋଗାଣ, ଯାହାକୁ ବିଦ୍ୟୁତ୍ ଭିତିଭୂମି ବା ଏନର୍ଜି ଇନ୍ଫ୍ରାଷ୍ଟ୍ରକ୍ଚର ବୋଲି କୁହାଯାଏ।
ଯେଉଁ ରାଜ୍ୟର ଇନ୍ଧନ ଯୋଗାଣ ଯେତେ ସହଜ ଓ କମ୍ ଖର୍ଚ୍ଚ ସାପେକ୍ଷ ସେହି ରାଜ୍ୟ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେତେ ଉପଯୁକ୍ତ।
ଭିନ୍ନ ଉଦ୍ୟୋଗରେ ଭିନ୍ନ ପ୍ରଯୁକ୍ତି ବ୍ୟବହାର ହୁଏ ଏବଂ ଭିନ୍ନ ଇନ୍ଧନ ଆବଶ୍ୟକ ହୁଏ। ଯେମିତିକି, ଆଲୁମିନିଅମ ଓ ଷ୍ଟିଲ କମ୍ପାନିମାନେ ତାପଜ ବିଦ୍ୟୁତ୍ ବ୍ୟବହାର କରନ୍ତି କିନ୍ତୁ କେମିକାଲ୍ସ ଓ ସେରାମିକ୍ସ କମ୍ପାନି ପ୍ରାକୃତିକ ଗ୍ୟାସ୍ କିମ୍ବା ଆଣବିକ ଶକ୍ତି ବ୍ୟବହାର କରନ୍ତି। ଆମ ରାଜ୍ୟର ବିଦ୍ୟୁତ୍ ଯୋଗାଣ ମୁଖ୍ୟତଃ କୋଇଲା ଉପରେ ନିର୍ଭର କରେ। ୮୦ ପ୍ରତିଶତ ବିଦ୍ୟୁତ୍ କୋଇଲାରୁ ଆସିଥାଏ। ସେଥିପାଇଁ ଆମ ରାଜ୍ୟ ଆଲୁମିନିଅମ, ଫେରୋଆଲୟ ଓ ଷ୍ଟିଲ କମ୍ପାନି ମାନଙ୍କର ପେଣ୍ଠସ୍ଥଳୀ। କିନ୍ତୁ ଏଠାରେ ଗୋଟିଏ ବି ବଡ଼ କେମିକାଲ୍ସ, ସେରାମିକ୍ସ କିମ୍ବା ଔଷଧ ଉଦ୍ୟୋଗ ନାହିଁ। କାରଣ ଏହି ଉଦ୍ୟୋଗ ପାଇଁ ଉପଯୁକ୍ତ ଇନ୍ଧନ ପ୍ରାକୃତିକ ଗ୍ୟାସ୍ ବା ପି.ଏନ୍.ଜି. ଯୋଗାଣ ଓଡିଶାରେ ଉପଲବ୍ଧ ନାହିଁ।
ଭାରତର ଅଧିକାଂଶ କେମିକାଲ୍ସ, ଇଞ୍ଜିନିଅରିଙ୍ଗ ଓ ସେରାମିକ୍ସ ଭଳି ଉଦ୍ୟୋଗ ମୁଖ୍ୟତଃ ମହାରାଷ୍ଟ୍ର କିମ୍ବା ଗୁଜରାଟରେ ଅବସ୍ଥିତ। ଯଦିଓ ମହାରାଷ୍ଟ୍ର ମଧ୍ୟ ତାପଜ ବିଦ୍ୟୁତ୍ ଦ୍ୱାରା ପରିଚାଳିତ, ପର୍ଯ୍ୟାୟକ୍ରମେ ରାଜ୍ୟରେ ପ୍ରାକୃତିକ ଗ୍ୟାସ୍୍ ଓ ଆଣବିକ ଶକ୍ତିର ସୁବିଧା ଉପଲବ୍ଧ କରାଯାଇ ବିଦ୍ୟୁତ୍ ଭିତିଭୂମିକୁ ବ୍ୟାପକ କରାଯାଇଛି।ଗୁଜରାଟରେ ତାପଜ ବିଦ୍ୟୁତ୍ ସହ ପ୍ରାକୃତିକ ଗ୍ୟାସ୍, ଆଣବିକ ଶକ୍ତି ଓ ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ପ୍ରାଧାନ୍ୟ ଦିଆଯାଇଛି। ତାମିଲନାଡୁ ଭଳି ରାଜ୍ୟ ନିଜର ଆଣବିକ ଶକ୍ତି ପାଇଁ ସମଗ୍ର ବିଶ୍ୱରୁ ଅଟୋମୋବାଇଲ ନିବେଶକୁ ଆକୃଷ୍ଟ କରିପାରିଛି। ସେହିପରି ରାଜସ୍ଥାନ ଓ କର୍ଣ୍ଣାଟକ ମଧ୍ୟ ଆଣବିକ ଶକ୍ତି ପ୍ରକଳ୍ପ ବସାଇ ନିଜର ଭିତିଭୂମିକୁ ବ୍ୟାପକ କଲେଣି।
ଉପରୋକ୍ତ ୧୩ଟି ଜିଲ୍ଲାର ବିଦ୍ୟୁତ୍ ଭିତିଭୂମି ଅନ୍ୟ ଜିଲ୍ଲା ତୁଳନାରେ ଯେହେତୁ ବ୍ୟାପକ, ତେଣୁ ସେହି ଜିଲ୍ଲାଗୁଡ଼ିକ ଶିଳ୍ପ ସମୃଦ୍ଧ। ଗୁଜରାଟର ମୋର୍ବୀ ଜିଲ୍ଲାକୁ ଏକ କେସ୍ ଷ୍ଟଡି ଭାବେ ନିଆଯାଉ। ଏବେ ଗାଧୁଆଘରେ କମୋଡ ପାଇଖାନା, ଟାଇଲ, ସାୱାର, ପାଣି ଟ୍ୟାପ୍, ହାତ ମୁହଁ ଧୋଇବା ବେସିନ ଇତ୍ୟାଦିର ବ୍ୟବହାର ଅପରିହାର୍ଯ୍ୟ ହୋଇଯାଇଛି। ଏ ସବୁକୁ ‘ସ୍ୟାନିଟାରିୱେର’ ବୋଲି କୁହାଯାଏ। ଆମ ଦେଶରେ ସ୍ୟାନିଟାରିୱେର ବ୍ୟବସ୍ଥିତ ବଜାର ହେଉଛି ପାଖାପାଖି ୩୦,୦୦୦ କୋଟି ଟଙ୍କାର। ସେହିପରି ସେରାମିକ ଟାଇଲ୍ସର ବ୍ୟବସ୍ଥିତ ବଜାର ମୂଲ୍ୟ ପାଖାପାଖି ୭୫,୦୦୦ କୋଟି ଟଙ୍କା। ଦେଶର ୮୫ ପ୍ରତିଶତ ସେରାମିକ ଟାଇଲ୍ସ ଓ ସ୍ୟାନିଟାରିୱେର ଉଦ୍ୟୋଗ ଗୁଜରାଟର ମୋର୍ବୀ ସହରରେ ରହିଛି।
ଆମେ ବ୍ୟବହାର କରୁଥିବା ସ୍ୟାନିଟାରିୱେର ମଧ୍ୟରୁ ମୁଖ୍ୟ ବ୍ରାଣ୍ଡ୍ଗୁଡିକରୁ ଅଧିକାଂଶଙ୍କ ଫ୍ୟାକ୍ଟ୍ରି ମୋର୍ବୀ କିମ୍ବା ଆଖପାଖ ସହରରେ ଅବସ୍ଥିତ। ସେହିପରି ସେରାମିକ୍ ଟାଇଲ୍ସ କ୍ଷେତ୍ରରେ ଦେଶର ୮୦ ପ୍ରତିଶତ ରପ୍ତାନି ମଧ୍ୟ ମୋର୍ବୀ ସହରରୁ ହୋଇଥାଏ। ଏହା ଛଡା ଏଥିରେ ତାମିଲନାଡୁ, ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟ ମଧ୍ୟ ଭଲ ବିକାଶ କରିଛନ୍ତି। ଆମ ରାଜ୍ୟରେ ଯେହେତୁ ଏ ସବୁର ଉତ୍ପାଦନ ପାଇଁ ବଡ଼ ଉଦ୍ୟୋଗ ନାହିଁ, ରାଜ୍ୟରେ ସ୍ୟାନିଟାରିୱେର ଯୋଗାଣ ପାଇଁ ଆମେ ମୁଖ୍ୟତଃ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଉ।
ସ୍ୟାନିଟାରିୱେର କିମ୍ବା ସେରାମିକ୍ସ ଟାଇଲ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ହେଲା- ଚାଇନା କ୍ଲେ ବା କାଓଲିନ, ବଲ କ୍ଲେ, ଫ୍ଲକ୍ସ, ସିଲିକା ବାଲି, ଲାଇମଷ୍ଟୋନ ଓ ଜିର୍କନ। କେବଳ ବଲ କ୍ଲେ କୁ ବାଦ ଦେଲେ କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ରାୟଗଡା ଜିଲ୍ଲାରେ ଉପରୋକ୍ତ ସମସ୍ତ କଂଚାମାଲ ରହିଛି। ଉଲ୍ଲେଖ ଥାଉ କି କାଓଲିନ ଓ ଫ୍ଲକ୍ସ ଭଳି ମୁଖ୍ୟ ଉପାଦାନ ଗୁଜରାଟରେ ଉପଲବ୍ଧ ହୁଏ ନାହିଁ, ତଥାପି ଏହି ରାଜ୍ୟ ଭାରତର ୮୫ ପ୍ରତିଶତ ସ୍ୟାନିଟାରିୱେର ଓ ସେରାମିକ ଟାଇଲ୍ସ ଉତ୍ପାଦନ କରିଥାଏ। ପ୍ରଶ୍ନ ଉଠେ, ଆମ ରାଜ୍ୟରେ ଆବଶ୍ୟକ କଂଚାମାଲ ବହୁଳ ପରିମାଣରେ ଗଚ୍ଛିତ ଥାଇ ସୁଦ୍ଧା ଆମେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ନେଇ ଆତ୍ମନିର୍ଭର ହୋଇପାରୁନେ କାହିଁକି?
ଏ ଦିଗରେ ଯେଉଁ ଏକ ମୁଖ୍ୟ ବିଷୟ ନଜରକୁ ଆସେ ଏବଂ ଯାହା ଆମକୁ ଗୁଜରାଟଠୁ ବହୁତ ପଛୁଆ କରେ ତାହା ହେଲା ଗୁଜରାଟର ଇନ୍ଧନ ବା ବିଦ୍ୟୁତ୍ ଭିତିଭୂମି ଏବଂ ଦୂରଦୃଷ୍ଟିପୂର୍ଣ୍ଣ ରାଜ୍ୟ ବିଦ୍ୟୁତ୍ ନୀତି (ଏନର୍ଜି ପଲିସି)। ସ୍ୟାନିଟାରି ଇଣ୍ଡଷ୍ଟ୍ରିରେ ୩୦ ପ୍ରତିଶତ ଖର୍ଚ୍ଚ ହେଉଛି ଶକ୍ତି ବା ବିଦ୍ୟୁତ୍ ଖର୍ଚ୍ଚ। ଉଲ୍ଲେଖ ଥାଉ କି ସେରାମିକ୍ସ ଫ୍ୟାକ୍ଟ୍ରିର ମେରୁଦଣ୍ଡ ହେଉଛି ପ୍ରୋପେନ ଗ୍ୟାସ୍ ଓ କିଲ୍ନ ତେଲ। ଫ୍ୟାକ୍ଟ୍ରି କିଲ୍ନ ୨୪ ଘଂଟା ଚାଲିବାକୁ ହୁଏ। କିଲ୍ନକୁ ୨୪ ଘଂଟା ଗରମ ରଖିବାକୁ ହେଲେ ଇନ୍ଧନର ବ୍ୟବହାର କରାଯାଏ। କିଲ୍ନକୁ ୨୪ ଘଂଟା ଗରମ ରଖିବା
ପାଇଁ ଇନ୍ଧନ ମଧ୍ୟରୁ ସବୁଠୁ ଉପଯୁକ୍ତ ଇନ୍ଧନ ହେଉଛି ପି.ଏନ୍.ଜି.। ତାପଜ ଶକ୍ତିରେ କିଲ୍ନ ଚାଲିଲେ ଯେଉଁ ଖର୍ଚ୍ଚ ହୁଏ ତା’ର ୮୦ ପ୍ରତିଶତ କମ୍ ଖର୍ଚ୍ଚ ହୁଏ ପ୍ରପେନ ଗ୍ୟାସ୍ ବ୍ୟବହାରରେ। ୨୦୦୮ ମସିହାରୁ ମୋର୍ବୀ ସମେତ ଗୁଜରାଟର ପ୍ରମୁଖ ଶିଳ୍ପାଂଚଳରେ ଇଣ୍ଡଷ୍ଟ୍ରିଆଲ ପି.ଏନ୍.ଜି. ପାଇପ୍ଲାଇନ ବିଛା ସରିଛି। ଫଳତଃ ସେଠାକାର ଉଦ୍ୟୋଗମାନଙ୍କୁ ନିରନ୍ତର ଗ୍ୟାସ୍ ମିଳିଯାଏ ଏବଂ ଉତ୍ପାଦନ ଖର୍ଚ୍ଚ କମେ। ଏଥିଯୋଗୁଁ ମୋର୍ବୀରେ ତିଆରି ସ୍ୟାନିଟାରିୱେର ଓ ଟାଇଲ୍ଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତାର ସକ୍ଷମ ହୋଇପାରିଛନ୍ତି।
ମୋର୍ବୀ ଅଂଚଳକୁ ସେରାମିକ୍ସ ଓ ସ୍ୟାନିଟାରିୱେର ଉଦ୍ୟୋଗ ପ୍ରତିଷ୍ଠାଯୋଗ୍ୟ କରିବା ପାଇଁ ପ୍ରଥମେ ରାସ୍ତାଗୁଡ଼ିକୁ ଚଉଡା କରାଗଲା, ବିଦ୍ୟୁତ୍ ଯୋଗାଣକୁ ଅବ୍ୟାହତ ରଖିବାର ବ୍ୟବସ୍ଥା କରାଗଲା ଏବଂ ପାଇପ ସାହାଯ୍ୟରେ ଉଦ୍ୟୋଗଗୁଡ଼ିକୁ କିପରି ପି.ଏନ.ଜି. ଯୋଗାଣ ଅବ୍ୟାହତ ରଖିହେବ ତାହାର ଯୋଜନା କରାଗଲା। ଯେତେବେଳେ ସାରା ଭାରତ କୋଇଲା ଇନ୍ଧନ ବ୍ୟବହାର କରି ଫ୍ୟାକ୍ଟ୍ରି କିଲ୍ନ ଚଳାଉଥିଲା, ଦୂରଦୃଷ୍ଟିସମ୍ପନ୍ନ ଗୁଜରାଟ ପି.ଏନ୍.ଜି. ପାଇପ ବିଛାଇ ମୋର୍ବୀ ସହରକୁ ଭବିଷ୍ୟତ ପାଇଁ ଶିଳ୍ପ ଉପଯୁକ୍ତ କରିଦେଲା। ଏହା ପରେ ‘ମେଗା ସେରାମିକ୍ସ ପାର୍କ’ କରି ‘ପ୍ଲଗ୍ ଏଣ୍ଡ ପ୍ଲେ’ ବ୍ୟବସ୍ଥାରେ ବିଭିନ୍ନ ସବସିଡି ଘୋଷଣା କରି ନିବେଶକଙ୍କୁ ଆକୃଷ୍ଟ କରାଗଲା।

ମୋର୍ବୀ ଅଂଚଳରେ ୫୦ କିଲୋମିଟର ମଧ୍ୟରେ ୧୨୦୦ରୁ ଅଧିକ ଉଦ୍ୟୋଗ ରହିଛି। ପ୍ରତି ବର୍ଷ ଏଠାରେ ୮-୧୦ଟି ନୂଆ କାରଖାନା ବସୁଛି। ଏଠାରେ ଏ ଯାବତ ସାମୁଦାୟ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇସାରିଛି। କେବଳ ମୋର୍ବୀ ଅଂଚଳରେ ୬ ଲକ୍ଷରୁ ଅଧିକ ଲୋକ କାର୍ଯ୍ୟରତ ଅଛନ୍ତି। ମୋର୍ବୀଠୁ ୧୫୦-୨୦୦ କିଲୋମିଟର ମଧ୍ୟରେ ରହିଛି ମୁନ୍ଦ୍ରା ଓ କାଣ୍ଡଲା ବନ୍ଦର। ଶିଳ୍ପ ବିକାଶ ପାଇଁ ପି.ଏନ୍.ଜି. ପାଇପ୍ ଲାଇନ ଯେ କେତେ ଗୁରୁତ୍ୱପୂର୍ଣ୍ଣ ଏହି ମୋର୍ବୀ ଉଦାହରଣରୁ ସାବ୍ୟସ୍ତ ହୁଏ। ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟ ସେରାମିକ୍ସ ଟାଇଲ କିମ୍ବା ସ୍ୟାନିଟାରିୱେର ଉଦ୍ୟୋଗରେ ଗୁଜରାଟକୁ ଟକ୍କର ଦେଇପାରୁନାହାନ୍ତି।
ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ ଏହାର ପାର୍ଶ୍ୱବର୍ତୀ ଅଂଚଳ ଏବଂ ତାମିଲନାଡୁରେ ଶିଳ୍ପ ବିକାଶର ଏକ ପ୍ରମୁଖ କାରଣ ଶକ୍ତି ଭିତିଭୂମିର ବ୍ୟାପକତା। ଏଇ ରାଜ୍ୟମାନଙ୍କର ଦ୍ରୁତ ବିକାଶକୁ ଲକ୍ଷ୍ୟକରି ଗଲା ଦୁଇ ଦଶନ୍ଧି ଧରି ପଞ୍ଜାବର ଲୁଧିଆନା ଓ ଜଳନ୍ଧରରେ କପଡା ଓ ସାଇକେଲ ଉଦ୍ୟୋଗର ବିକାଶ, ଅବିଭକ୍ତ ଆନ୍ଧ୍ରର କାକିନାଡ଼ା ଓ ବିଶାଖାପାଟଣା ଅଂଚଳରେ କେମିକାଲ୍ସ, ଔଷଧ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, ରାଜସ୍ଥାନର ଜୟପୁର, ନିମରାଣା ଓ ଅଲବର ଅଂଚଳରେ ଗାଡି ପାର୍ଟ ଉଦ୍ୟୋଗର ଯେଉଁ ବିକାଶଧାରା ଦେଖାଦେଇଛି ସେଥିପାଇଁ ପି.ଏନ୍.ଜି. ପାଇପ୍ ଲାଇନର ଭୂମିକା ଗୁରୁତ୍ୱପୂର୍ଣ୍ଣ।
କହିବା ବାହୁଲ୍ୟ, ତାପଜ ଶକ୍ତି ସହ ପ୍ରାକୃତିକ ଗ୍ୟାସ୍ ଓ ଆଣବିକ ଶକ୍ତି ପ୍ରକଳ୍ପ କରି ତାମିଲନାଡୁ ଏକ ଶିଳ୍ପସମୃଦ୍ଧ ରାଜ୍ୟ ଭାବେ ଗଣା ହୋଇପାରୁଛି। ଅନ୍ୟପକ୍ଷରେ ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ, ମଧ୍ୟପ୍ରଦେଶ ଓ କେରଳ ଭଳି ରାଜ୍ୟ ଆଧୁନିକ ଭିତିଭୂମି ଉପରେ ଧ୍ୟାନ ଦେଇ ନଥିବାରୁ ଏହି ରାଜ୍ୟମାନଙ୍କରେ ତୁଳନାତ୍ମକ ଭାବେ ଔଦ୍ୟୋଗିକ ବିକାଶ ହେଇପାରୁ ନାହିଁ।
ଆମ ରାଜ୍ୟରେ କୋଇଲା ଜନିତ ତାପଜ ଶକ୍ତିକୁ ପ୍ରାଥମିକତା ଦିଆଯାଇଛି କିନ୍ତୁ ଏଯାବତ ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପି.ଏନ୍.ଜି. ଯୋଗାଣ, ଆଣବିକ ଶକ୍ତି କିମ୍ବା ସୌର ଶକ୍ତିକୁ ପ୍ରାଥମିକତା ଦିଆଯାଇନି। ଜାତୀୟ ଶକ୍ତି ନୀତି ଅନୁସାରେ ମୁଖ୍ୟତଃ ଘରୋଇ ଜାଳେଣି ଓ ପରିବହନ ପାଇଁ ପି.ଏନ୍.ଜି. ଯୋଗାଣ ତଥା ପାଇପଲାଇନକୁ ପ୍ରାଥମିକତା ଦିଆଯାଇଛି। ତେଣୁ ଓଡ଼ିଶାରେ ଏ ଯାବତ୍ ଔଦ୍ୟୋଗିକ ବ୍ୟବହାର ପ୍ରକ୍ରିୟା ଆରମ୍ଭ କରିବା କଷ୍ଟକର ହୋଇପଡିଛି। ଏ ଦିଗରେ ରାଜ୍ୟ ଆଗାମୀ ୩୦ ବର୍ଷ ପାଇଁ ବିକଳ୍ପ ଚିନ୍ତା କରିବା ଆବଶ୍ୟକ। ମୂଳ କଥା ହେଲା ଆମ ରାଜ୍ୟରେ ଶକ୍ତି ଭିତିଭୂମିର ପରିସରକୁ ବ୍ୟାପକ କରାଯାଉ। ଅର୍ଥାତ୍ ଇଣ୍ଡଷ୍ଟ୍ରିଆଲ ନ୍ୟାଚୁରାଲ ଗ୍ୟାସ୍, ଆଣବିକ ଶକ୍ତି ଏବଂ ସୌରଶକ୍ତି ଉପରେ ଯଥାଶୀଘ୍ର ଧ୍ୟାନ ଦିଆଯାଉ। କେବଳ ବନ୍ଦର ଓ ଜାତୀୟ ରାଜପଥର ସୁବିଧା ରହିଲେ ଯେ ଶିଳ୍ପ ପାଇଁ ସୁବିଧାଜନକ ହେବ ତାହା ନୁହେଁ।
ମୁଖ୍ୟ ସହରଗୁଡ଼ିକର ରାସ୍ତାକୁ ଚଉଡା କରିବା ଏବଂ ଶିଳ୍ପ ନଗରୀ ଯୋଗ୍ୟ କରିବା ମୁଖ୍ୟ କଥା। ଆମ ରାଜ୍ୟର ଉଦ୍ୟୋଗ ନୀତି ବ୍ୟବସ୍ଥିତ ଢଙ୍ଗରେ ଯଦି ଏହି ଉଦ୍ୟୋଗକୁ ପ୍ରୋତ୍ସାହନ ଦିଅନ୍ତା ପର୍ଯ୍ୟାୟ କ୍ରମେ ଆଗାମୀ ୨୦ ବର୍ଷରେ ଆମ ରାଜ୍ୟ ଏ ଦିଗରେ ଆତ୍ମନିର୍ଭର ହୋଇପାରନ୍ତା। ରାଜ୍ୟରେ ପି.ଏନ୍.ଜି. ପାଇପ ସୁବିଧା ହେଲେ କେମିକାଲ୍ସ, କାଚ, ଫୁଡ ଏଣ୍ଡ ଆଗ୍ରୋ ପ୍ରୋସେସିଂ ଇଣ୍ଡଷ୍ଟ୍ରି, ଟେକ୍ସଟାଇଲ ଇଣ୍ଡଷ୍ଟ୍ରି, ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିଅରିଙ୍ଗ ଇତ୍ୟାଦି ଉଦ୍ୟୋଗ ଆପେ ଆପେ ଆକୃଷ୍ଟ ହେବେ। ସେହିପରି ରାଜ୍ୟରେ ଆଣବିକ ଶକ୍ତି ପ୍ରକଳ୍ପ ବସାଗଲେ ଅଟୋମୋବାଇଲ, ହେଭି ଇଣ୍ଡଷ୍ଟ୍ରି, ଇଲେକ୍ଟ୍ରୋନିକ୍ସ ଆଦି ବୃହତ୍ ଉଦ୍ୟୋଗ ଆକୃଷ୍ଟ ହୁଅନ୍ତେ। ଏନର୍ଜି ପରିସର ବ୍ୟାପକ ନ ହେଲେ ଓଡିଶା ୩୦ ବର୍ଷ ପରେ ବି ପଛୁଆ ହୋଇ ରହିଯିବ।