ପାଳିତ ହୋଇଛି ଜାତୀୟ ପୋଷାକ ଦିବସ। କେତେ କିଏ ନିଜ ନିଜର ଜାତୀୟ ତଥା ଉପଜାତୀୟ ପୋଷାକ ପିନ୍ଧି ଉତ୍ସବ ପାଳିଲେ। ଫଟୋ ଉଠାଇ ତାକୁ ଖବରରେ ପରିଣତ କଲେ। ଭାରତୀୟତା ଆମର ଜାତୀୟତା। ଓଡିଆ ପରିଚୟ ଉପଜାତୀୟତା। ଅତଏବ ଆମର ଜାତୀୟ ପୋଷାକ ଏବଂ ଉପଜାତୀୟ ଓଡିଆ-ପୋଷାକର ବିଚାର ମନକୁ ଆସିବା ସ୍ୱାଭାବିକ। ଭାରତୀୟ-ପୋଷାକ କ’ଣ? କ’ଣ ଆମର ଓଡିଆ-ପରିଧାନ? ପୋଷାକକୁ ନେଇ ଆମର ପରିଚୟ ଅନ୍ୟମାନଙ୍କ ଆଗରେ କେମିତି ରୂପ ପାଉଛି ଆଜି?
ପୁଣି ମନରେ ପ୍ରଶ୍ନ ଉଠେ ପୋଷାକର ପରିଭାଷାକୁ ନେଇ। ପୋଷାକ ଦେହର ଆବରଣ ପାଇଁ ନା ପରିଚୟ ପାଇଁ? ପ୍ରାଣୀ ଜଗତରେ ମନୁଷ୍ୟ ହିଁ କେବଳ ପୋଷାକ ପିନ୍ଧେ। କେତେବେଳେ ସାରାଦେହକୁ ଘୋଡ଼ାଇ ରଖିଥାଏ ତ କେବେ ମାତ୍ର କୌପିନ ଖଣ୍ଡିଏରେ ଚଳେଇ ନିଏ। କହାଯାଉଛି ଯେ ମନୁଷ୍ୟର ଏ ପୋଷାକ ପିନ୍ଧା ଅଭ୍ୟାସ ଲକ୍ଷାଧିକ ବର୍ଷ ପୁରୁଣା। ବରଫ ଯୁଗକୁ ସାମନା କରିବା ପାଇଁ ସେ କୁଆଡେ ପରିଧାନ ଆବଶ୍ୟକ କରିଥିଲା। ଗ୍ରୀଷ୍ମପ୍ରଧାନ ଅଂଚଳର ଯେଉଁ ଜଙ୍ଗଲଜୀବନ ସେଥିରେ ପତ୍ର, ଗଛଛାଲି ବା ପକ୍ଷୀର ପର ତଥା ମୃତ ପଶୁର ଚମଡାକୁ ପୋଷାକ କରୁଥିଲା ମଣିଷ। ତୁଳା, ରେଶମ, ପଶମର ବ୍ୟବହାର ଆସିଛି ଅନେକ ପରେ। ପଲିଥିନ୍, ପଲିଷ୍ଟର, ନାଇଲନ୍, ଲାଇକ୍ରା, ଆକ୍ରିଲିକ୍ ଓ କୃତ୍ରିମ ଚମଡା ଭଳି ଉପାଦାନ ଆଜି ପ୍ରାୟ ସାରା ପୃଥିବୀରେ ବ୍ୟବହୃତ ହେଉଛି ପୋଷାକର ମାଧ୍ୟମ ଭାବରେ।
ମୂଳ କଥାଟି ହେଲା ଜଳବାୟୁର ବାଧ୍ୟବାଧକତା କାରଣରୁ ମଣିଷ ହୁଏତ ପୋଷାକ ପିନ୍ଧିବା ଆରମ୍ଭ କରିଥିଲା। ହେଲେ ଧୀରେ ଧୀରେ ତାହା ପାଲଟିଗଲା ପରିଚୟର ଆଧାର। ସେ ମଣିଷଟି, ଏ ପୋଷାକ ପିନ୍ଧିଛନ୍ତିମାନେ ସେ ଅମୁକ ହୋଇଥିବେ! ସେମିତି ପିନ୍ଧିଛନ୍ତି ଅର୍ଥ ସେ ସମୁକ ହୋଇଥିବେ! ନାରୀ ଓ ପୁରୁଷଙ୍କ ଭିତରେ ପୋଷାକର ଭିନ୍ନତା ମଣିଷ ସଭ୍ୟତାର ଆରମ୍ଭରୁ ଗଢ଼ି ଉଠିଚି ଏଇ ପରିଚୟର ଭିନ୍ନତାକୁ ନେଇ। ଏମିତି ପିନ୍ଧିଛନ୍ତି ଅର୍ଥ ସେ ନର। ସେମିତି ପରିଧାନରେ ଅଛନ୍ତି ମାନେ ସେ ନାରୀ। ନାରୀ ଓ ପୁରୁଷଙ୍କ ଦେହର ଗଠନ ସେମାନଙ୍କର ପୋଷାକକୁ ସବୁ ପ୍ରକାରର ଜଳବାୟୁରେ ଚିର କାଳ ଅଲଗା ଅଲଗା କରି ରଖିଛି। ଏବେ ବିଭିନ୍ନ କାରଣରୁ ଏହି ନାରୀ, ପୁରୁଷ-ପୋଷାକ, ପରିଧାନର ଭିନ୍ନତା ଧୀରେ ଧୀରେ ବଦଳିବାରେ ଲାଗିଛି।
ଆଜି ମଣିଷ ଜୀବନ ପାଇଁ ପୋଷାକ ଅପରିହାର୍ଯ୍ୟ। କେଉଁଠି କେଉଁଠି ଛୋଟଛୋଟ ସଂପ୍ରଦାୟରେ ଯେ ଲଙ୍ଗଳା ସମାଜ ନାହିଁ ସେ କଥା ନୁହେଁ। ତେବେ ସଭ୍ୟତାର ବିକାଶ ସହ ପୋଷାକ ପିନ୍ଧିବାର ପରମ୍ପରା ସର୍ବତ୍ର ଚିର ପରିବର୍ତନଶୀଳ, ଏ କଥା ଅସ୍ୱୀକାର କରାଯାଇ ପାରିବ ନାହିଁ।
ପୋଷାକ କ’ଣ କେବଳ ଶରୀରକୁ ଆଚ୍ଛାଦିତ କରେ? ନା। ପୋଷାକ ନିଜେ ଏକ ପରିଚୟ। ପରିଚୟ ପୋଷାକ ତିଆରି କରାଏ। ଅପର ପକ୍ଷରେ ପରିଚୟ ମଧ୍ୟ ପୋଷାକ ତିଆରିର କାରଣ ସାଜେ। ଆମ ସମାଜରେ ପାଟ, ମଠା, ସିଲ୍କର ଭିନ୍ନ ପରିଚୟ ଅଛି। ଜଣେ ସେ ପୋଷାକ ବା ବସ୍ତ୍ର ଦେହରେ ଧାରଣ କରିଛନ୍ତି ମାନେ ସେ ଭିନ୍ନ ପରିଚୟର ମଣିଷ।
ଆମେ ଘରେ ଥିଲାବେଳେ ଯେଉଁ ପୋଷାକ ପିନ୍ଧୁ, ବାହାରକୁ ବାହାରିଲେ ସେ ପୋଷାକ ପିନ୍ଧୁନା। ଦପ୍ତର ବା କର୍ମକ୍ଷେତ୍ରର ପୋଷାକ ଭିନେ ତ ମେଳା, ମଉଚ୍ଛବ, ଭୋଜିଭାତ, ପାର୍ଟିର ପୋଷାକ ଭିନେ। ପୂଜା, ଆରାଧନାରେ ବସିଲା ବେଳେ ସେ ପୋଷାକ ପୁଣି ଅଲଗା ହୋଇଯାଏ। ତା’ର ଅର୍ଥ ପୋଷାକ ପରିଚୟ ଦିଏ। ପୁଣି ପରିଚୟ ବି ପୋଷାକର ନିୟନ୍ତା ସାଜେ।
ଜଣେ ପୁଲିସ ବାବୁଙ୍କ ପୋଷାକର ଆଲୋଚନା କରିବା। ସେ ପୁଲିସ ପୋଷାକ ପିନ୍ଧିଛନ୍ତି ଅର୍ଥ ଡ୍ୟୁଟିରେ ଅଛନ୍ତି। ସାଧାରଣ ପୋଷାକରେ ଅଛନ୍ତି ବୋଇଲେ ଡ୍ୟୁଟିରେ ନ ଥାଇପାରନ୍ତି। ଭଲ ସଜିଲା ପୋଷାକ ପିନ୍ଧିଛନ୍ତି ମାନେ କେଉଁ ଏକ ବିଶେଷ କର୍ମରେ ବା ଘରୋଇ ଉତ୍ସବରେ ଯୋଗଦାନ ଲାଗି ବାହାରିଛନ୍ତି। ପାଟ ମଠା ପିନ୍ଧିଛନ୍ତି ଅର୍ଥ ପୂଜାକୁ ବାହାରିଛନ୍ତି।
ଭିନ୍ନ ପୋଷାକର ଭିନ୍ନ ଉଦ୍ଦେଶ୍ୟ। ଅନେକ ସମୟରେ ଉଦ୍ଦେଶ୍ୟ ହିଁ ପୋଷାକକୁ ନିୟନ୍ତ୍ରଣ କରେ। ମଲ୍ଲକୁସ୍ତିକୁ ବାହାରିଥିବା ବ୍ୟକ୍ତି ବା ଫୁଟ୍ବଲ୍ କିମ୍ବା କ୍ରିକେଟ୍ ଖେଳକୁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ସେଇ ଅନୁସାରେ ପୋଷାକ ପିନ୍ଧନ୍ତି।
ସଂସାରରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ଚିରକାଳ ସେଇ ଗୋଟିଏ ପୋଷାକରେ ହିଁ ଥାଆନ୍ତି। ମୁନି, ଋଷି, ସାଧୁ, ସନ୍ଥ, ସନ୍ନ୍ୟାସୀମାନେ ପ୍ରାୟତଃ ସେମାନଙ୍କର ପୋଷାକ ବଦଳାନ୍ତି ନାହିଁ। ଗାନ୍ଧୀଜୀ ଥରେ ଆଣ୍ଠୁ ନ ଲୁଚା ଧୋତି ଓ କାନ୍ଧ ଗାମୁଛାକୁ ପୋଷାକ ରୂପେ ଗ୍ରହଣ କରିବା ପରେ ଶେଷ ଯାଏ ଆଉ ଅନ୍ୟ ପୋଷାକ ପିନ୍ଧି ନ ଥିଲେ। ମଦର୍ ଟେରେସା ବି ସେମିତି। ଯାହା ଜୀବନର ଲକ୍ଷ୍ୟ ଗୋଟିଏ, ସେ ଚିରକାଳ ବୋଧେ ସେଇ ପୋଷାକରେ ରହେ।
ନିଅଣ୍ଡର୍ଥାଲ୍ ମଣିଷ ସିନା ଲକ୍ଷାଧିକ ବର୍ଷ ପୂର୍ବେ ପ୍ରଥମେ ଦେହ ପାଇଁ ପରିଧାନ ଲୋଡିଥିଲା ବୋଲି ଗବେଷଣା କହୁଛି, ତେବେ ସିଲେଇ କରାଯାଇଥିବା ପୋଷାକ କେବେ କେଉଁଠାରୁ ଆସିଲା ମଣିଷ ସଭ୍ୟତା ଭିତରକୁ? ତା’ର ଉତର ହେଲା ଏ ଉଦ୍ଭାବନ ପ୍ରାୟ ୪୦,୦୦୦ ବର୍ଷ ପୁରୁଣା। ଆଜି ଏମିତି କେଉଁ ଦେଶ ଅଛି ଯେଉଁଠାରେ ସିଲେଇ ହୋଇଥିବା ପୋଷାକ ପିନ୍ଧାଯାଉ ନାହିଁ? ଅଥଚ ପ୍ରାଚୀନ ଭାରତୀୟ ସଭ୍ୟତାରେ ପରିଧାନ ଲାଗି ସିବନ ପ୍ରକ୍ରିୟାର ଉପଯୋଗ ମୋଟେ ନ ଥିଲା। ରାମାୟଣ, ମହାଭାରତ, ଭାଗବତ ଅଥବା ପୁରାଣଗୁଡିକର ଆଖ୍ୟାନକୁ ନେଇ ଯେତେସବୁ ନାଟକ, ଚଳଚ୍ଚିତ୍ର ବା ଅଭିନୟ, ସୁଆଙ୍ଗ ଦେଖିବାକୁ ମିଳୁଛି ସେଥିରେ ପ୍ରାୟ ସବୁ ପାତ୍ର-ପାତ୍ରୀଙ୍କ ଦେହରେ ସିଲେଇ ପୋଷାକ। ମାତ୍ର ଅସଲ କଥା ହେଉଛି ସିଲେଇ ପୋଷାକ ଭାରତୀୟଙ୍କ ଭିତରକୁ ଆସିଛି ବିଦେଶୀ ଆଗନ୍ତୁକଙ୍କ ମାଧ୍ୟମରେ ଅନେକ ପରେ।
ଇଜିପ୍ଟରେ ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷ ପୂର୍ବେ ‘ତରଖାନ୍ ପୋଷାକ’ ବ୍ୟବହୃତ ହୋଇଥିବାର ପ୍ରମାଣ ମିଳୁଛି। ସେମିତି ଖ୍ରୀଷ୍ଟପୂର୍ବ ୨୫୦୦ ବର୍ଷ ପୂର୍ବରୁ ଆମ ହିନ୍ଦୁ ସଭ୍ୟତାରେ ବୁଣାସୂତାର ବ୍ୟବହାର ଥିବା ମହେଞ୍ଜୋଦାରୋ, ହରପ୍ପାର ପ୍ରତ୍ନତାତ୍ୱିକ ଖନନରୁ ପ୍ରମାଣିତ ହୋଇଛି। ସିଲେଇ ପୋଷାକ ଯେ ପ୍ରାଚୀନ ଭାରତର ପରମ୍ପରା ନ ଥିଲା ତାହା ହିନ୍ଦୁ ଧର୍ମର ଗୋଟିଏ କର୍ମ-ପଦ୍ଧତିରୁ ପ୍ରମାଣିତ ହୁଏ। ପ୍ରମାଣ ହେଉଛି ଏବେ ବି ବୈଦିକ ପରମ୍ପରା ଆଧାରରେ ଯେଉଁଠି ଯେଉଁଠି ବ୍ରାହ୍ମଣ ପରିବାରରେ ବାଳକମାନଙ୍କ ପାଇଁ ବ୍ରତକର୍ମ ଉତ୍ସବ କରାଯାଏ ସେଠାରେ ସିଲେଇ ବସ୍ତ୍ରର ବ୍ୟବହାର ଅବିଧି ଭାବରେ ସ୍ୱୀକୃତ।
ଏହା ନିତାନ୍ତ ସତ କଥା ଯେ ପୋଷାକ, ପରିଚୟ ତିଆରି କରେ। ଆମେ ସାଧାରଣରେ ଭାବୁ, କେହି ଗୈରିକ ବସ୍ତ୍ର ପିନ୍ଧିଛନ୍ତି ଅର୍ଥ ସେ ସାଧୁ, ସନ୍ନ୍ୟାସୀ ଓ ଜଣେ ସର୍ବତ୍ୟାଗୀ ମନୁଷ୍ୟ ହୋଇଥିବେ। ସେଇଥିପାଇଁ ତା’ର ସୁଯୋଗ ନେଇ ଅନେକ ଅସାଧୁ, ପାଖଣ୍ଡ ମଧ୍ୟ ସେ ପୋଷାକ ପିନ୍ଧି ପରିଚୟ ବନାନ୍ତି। କେହିକେହି ଭାବନ୍ତି ବେକରେ ଟାଇ ବାନ୍ଧି କୋଟ୍ ସୁଟ୍ ପିନ୍ଧିଦେଲେ ସେ ସମାଜରେ ଆପେ ପଦସ୍ଥ ହୋଇଗଲେ। ବ୍ରିଟିଶ୍ ଅମଳରୁ ଏ ହାକିମୀ ପୋଷାକ ଅନେକଙ୍କର ଶ୍ରେୟ ଓ ଧ୍ୟେୟ ହୋଇଆସିଛି।
ଆମେ ସ୍ୱାଧୀନତା ପାଇଲେ ୧୯୪୭ରେ। ସର୍ବଭାରତୀୟ ତଥା ପ୍ରାଦେଶିକ ଶାସନତନ୍ତ୍ର ପାଇଁ ଯେଉଁ ହାକିମୀ ଢାଂଚା ନିର୍ମାଣ କରାଗଲା ତା’ର ଶୀର୍ଷ ପୋଷାକ ପାଲଟିଗଲା ବୁଟ୍, ସୁଟ୍, ଟାଇ, କୋଟ୍। ସର୍ବଭାରତୀୟ ଏ ନୂଆ ହାକିମୀ ସଂପ୍ରଦାୟ ଗଢ଼ିବା ମନୀଷୀ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତାଙ୍କ ଦେହରେ ଥିଲା ଧୋତି, କୁର୍ତା, ଫତେଇ ଓ ଚଦର। ପାଦରେ ଚପଲ। ଅଥଚ ସେ ଯେଉଁ ହାକିମଶ୍ରେଣୀ ଗଢ଼ିଲେ ତା’ର ପ୍ରତୀକ ପାଲଟିଗଲା ବେକର କଣ୍ଠଗଣ୍ଠି। ଟାଇଟିଏ ଭିଡିଛନ୍ତି ଅର୍ଥ ସେ ସ୍ମାର୍ଟ, ପାରଙ୍ଗମ। କେହି କେହି ପୁରୁଣା ଚଳଚ୍ଚିତ୍ର ଦୃଶ୍ୟ ଅଣ୍ଡାଳିଲେ ଦେଖିବେ ଦପ୍ତରର ବଡବାବୁ ତଳେ ଧୋତି ଓ ଉପରେ କୁର୍ତାଟିଏ ପିନ୍ଧିଛନ୍ତି ଅଥଚ ବେକରେ ପିନ୍ଧିଛନ୍ତି ଟାଇ। ଏବେ ବି ଗରିବ ଘରର ପିଲାଟିଏ ୟୁପିଏସ୍ସି ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ସାକ୍ଷାତ୍କାର ପାଇଁ ଯେତେବେଳେ ଯାଏ ସେତେବେଳେ କେଉଁଠାରୁ ଟାଇଟିଏ ମାଗିନିଏ ନ ହେଲେ କିଣେ। ବିଚରା ସାରା ଜୀବନ କେବେ ବି ସେମିତି ଗଣ୍ଠିଟିଏ ଆଗରୁ ପକେଇ ନ ଥିଲା ବେକରେ।
ଏ ଟାଇ ଅତୀତରେ ଥିଲା ଦୁଷ୍ପ୍ରାପ୍ୟ। ଦିନ ଥିଲା ଯେତେବେଳେ ମେଧାବୀ ଛାତ୍ରଟିଏ ସାକ୍ଷାତ୍କାର ପରୀକ୍ଷା ପାଇଁ ଯାଉଥିଲା ତାକୁ କୋଟ୍ ଟାଇ ମାଗିନେଇ ସଜ ହେବାକୁ ପଡୁଥିଲା। ଏବେ ବି ଅନେକ ପୁରୁଣା ଆଇଏଏସ୍, ଆଇପିଏସ୍, ଆଲାଏଡ୍, ବ୍ୟାଙ୍କର୍, ଅଧ୍ୟାପକ, ଏକ୍ଜିଉକିଟିଭ୍ ସେମାନଙ୍କର ଅତୀତକୁ ମନେ ପକେଇଲେ ଆପେ ଉକ୍ତ ମଗା-ପୋଷାକ ଝଲସିଯିବ ଆଖି ଆଗରେ।
ସେଭଳି ପୋଷାକ ସ୍ୱାଧୀନତାର ନା ପରାଧୀନତାର? ପାରଙ୍ଗମତାର ନା ପାରଙ୍ଗମ ବୋଲି ଦେଖେଇ ହେବାର? ଧୋତି, କୁର୍ତା, ଚାଦର ଦେହରେ ପକାଇ ବା ଧୋତି, କୁର୍ତା, ଫତେଇ ପିନ୍ଧି କେହି ଆମ ବ୍ୟବସ୍ଥାରେ ଆଇଏଏସ୍. ବା ଆଇଏଫ୍ଏସ୍. ଆଦିର ସାକ୍ଷାତ୍କାର-ପରୀକ୍ଷାକୁ ଯାଇଥିବା ଅସମ୍ଭବ।
ପୋଷାକ ଯେ ପରିଚୟ ସେ ସଂପର୍କରେ ଏହାଠାରୁ ବଳି ବଡ ଉଦାହରଣ ଆଉ କ’ଣ ଅଛି ଆମ ଆଗରେ? କୋଟ୍, ସୁଟ୍ ପିନ୍ଧିଛନ୍ତି ମାନେ ସେ ହାକିମ, ଉଚ୍ଚ ବର୍ଗର ମଣିଷ। ସାଧାରଣ ମଣିଷ ଠାରୁ କାହିଁ କେତେ ଉଚ୍ଚରେ। ଆମ ସଂବିଧାନ ଯେଉଁ ସମାନତାର କଥା କହିଛନ୍ତି ସେଥିରେ ଜାତି, ଧର୍ମ, ଅଂଚଳ, ଲିଙ୍ଗ କଥା କହିଛନ୍ତି ମାତ୍ର ପୋଷାକ କଥା କହିନାହାନ୍ତି। ଅଥଚ ଏ ପୋଷାକ ପିନ୍ଧିଲେ ସେଇଟା ଦି’କଡିଆ, ସେ ପୋଷାକ ପିନ୍ଧିଲେ ସେ ମାତବର ବୋଲି ଧାରଣା ଚିରାୟତ ହୋଇ ରହିଛି।
ଗୋଟିଏ କାହାଣୀ ମନେପଡୁଛି। ପୁରୁଣା କଥା। ଜଣେ ଗରାଖ ନିଜଲାଗି ପୋଷାକ ସିଲେଇ କରିବାକୁ ଯାଇ ପହଂଚିଲେ ଦର୍ଜିଙ୍କ ପାଖରେ। ଦର୍ଜି ମହାଶୟ ମାପ ନେବା ଆଗରୁ ପଚାରିଲେ- ଆପଣ କ’ଣ କରନ୍ତି? ସେଇ ଅନୁସାରେ ମୁଁ ମାପ ନେବି। ଚିଡିଗଲେ ଗରାଖ। କହିଲେ ପୋଷାକ କରିବା ପାଇଁ ଏ ସୂଚନାର ଆବଶ୍ୟକତା କ’ଣ? ବୁଝାଇଦେଲେ ଦର୍ଜିଭାଇ। ଆପଣ ଯଦି କିଛି ବୃତିରେ ନାହାନ୍ତି, ସାଧାରଣ ମଣିଷଟିଏ, ତେବେ କୁର୍ତାର ଆଗପଛ ଲମ୍ବ ସମାନ ରହିବ। କାରଣ ଆପଣ ସିଧା ମୁଣ୍ଡ ଉଠାଇ ଚାଲିବେ। ନାଇଁ ଯଦି କେଉଁଠି ତଳିଆ କର୍ମଚାରୀ, ସବୁବେଳେ ଆଜ୍ଞା ଆଜ୍ଞା କହି ମୁଣ୍ଡ ତଳକୁ କରି ଚାଲନ୍ତି ତେବେ ମତେ ଆପଣଙ୍କ କୁର୍ତାର ଆଗପଟ ଛୋଟ କରି ପଛର ଲମ୍ବ ଅଧିକ ରଖିବାକୁ ପଡିବ। ନାଇଁ ଯଦି ଜଣେ ହାକିମ ବା ରାଜକର୍ମଚାରୀ ତେବେ ଆଗପଟର ଲମ୍ବ ଅଧିକ ରଖି ପଛପାଖ କମ୍ ରଖିବାକୁ ପଡିବ କାରଣ ଆପଣ ମୁଣ୍ଡଟେକି, ଛାତି ଉଗୁଜେଇ ଚାଲିବେ। ଗରାଖ ବୁଝିଗଲେ ପୋଷାକର ପରିଭାଷା।
ସାଧାରଣତଃ ପୋଷାକର ତିନିଗୋଟି ଭାଗ। ଗୋଟିଏ ଭାଗ ଦେହର; ଅଂଟାରୁ ଉପରକୁ। ଅନ୍ୟ ଭାଗଟି ତଳର। ଆଣ୍ଠୁ ଠାରୁ ତଳକୁ ଏବଂ ତୃତୀୟ ହେଉଛି ପାଦ। ଆଉ ଗୋଟିଏ ଭାଗ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି, ମୁଣ୍ଡର ପୋଷାକ। କାହାର ଠେକା ତ କାହାର ପଗଡି, କାହାର ମୁକୁଟ। ପୁଣି କାହାର ଟୋପି। ମଣିଷ ମେଳରେ ପୋଷାକର ସମାନତା ଆଧାରରେ ପରିଚୟଗତ ସମାନତା ପାଇଁ ବିଭିନ୍ନ ବୃତିରେ ୟୁନିଫର୍ମ ବା ସମାନ ପୋଷାକର ବ୍ୟବସ୍ଥା ରହିଥାଏ। ଯେମିତିକି ସ୍କୁଲ, କଲେଜ ଓ ୟୁନିଭର୍ସିଟି, କଳକାରଖାନା, ସାମରିକବାହିନୀ। ଏକଦା ସାରା ଭାରତର ମନ୍ତ୍ରୀ ଓ ନେତାଗଣ ଗୋଟିଏ ପୋଷାକରେ ଦୃଶ୍ୟମାନ ହେଉଥିଲେ। ସେ ବ୍ୟବସ୍ଥା ବଦଳି ଏବେ ନାନା ରୂପ ଧରିଲାଣି। ସମାନ ପୋଷାକ ଥିଲେ ବି ପଦପଦବି ଆଧାରରେ ତହିଁରେ ଯୋଡାଯାଉଛି ନାନା ଆଭୂଷଣ।
ଆଜିର ସମାଜରେ ପୋଷାକ, ନିର୍ମାଣ କରିଚାଲିଛି ଆପଣାର ଅର୍ବୁଦ ଅର୍ବୁଦ ପରିଚୟ, ନିଜ ଢଙ୍ଗରେ ନିଜ ବାଟରେ। ଇଉରୋପ ଜାବୁଡି ଧରିଛି ସାରା ପୃଥିବୀର ପୋଷାକ-ପରିଚୟକୁ।
ଅଳ୍ପ ଦିନ ତଳଯାଏ ଚୀନ୍ ଓ ରୁଷିଆର ତୁଙ୍ଗନେତା ନିଜ ନିଜ ଦେଶୀୟ ପୋଷାକରେ ଦୃଶ୍ୟମାନ ହେଉଥିଲେ। ଏବେ ସେମାନେ ବି ଇଉରୋପୀୟ ପୋଷାକରେ। ଆଫ୍ରିକୀୟ ବି ବଦଳେଇ ଦେଲେଣି ପୋଷାକ।
ଭାରତୀୟତାର ପରିଚୟ ପାଇଁ ଆମ ପୋଷାକ ସତରେ କ’ଣ? ବେକଚିପା ସେର୍ୱାନି ଓ ଗୋଡଚିପା ପାଇଜାମା ପଞ୍ଜାବୀ, ପାଇଜାମା ଧୋତି, ପଞ୍ଜାବୀ ନା ଆଉ କ’ଣ? ଶାଢ଼ି ନା ସାଲ୍ୱାର୍ ପଞ୍ଜାବୀ?
ସେମିତି ଓଡିଆଙ୍କ ପରିଚୟର ପୋଷାକ କ’ଣ? ଧୋତି, କୁର୍ତା, ପଞ୍ଜାବୀ ନା ପ୍ୟାଂଟ୍ ସାର୍ଟ ଶାଢ଼ି। ଆଜିର ଏ ଅସ୍ମିତା-ପ୍ରବଳ ପରିବେଶରେ ତା’ର ପ୍ରାସଙ୍ଗିକତା ଖୁବ୍ ଜରୁରି ମନେହୁଏ।