ଭୁବନେଶ୍ୱର: ନାରୀଶକ୍ତି ବନ୍ଦନ ଅଧିନିୟମ କେବଳ ଏକ ଆଇନ୍ ନୁହେଁ, ବରଂ କୋଟି କୋଟି ମହିଳାଙ୍କ ସ୍ୱପ୍ନର ଉଡାଣ। ଏହି ଅଧିନିୟମ ଦ୍ୱାରା ଲୋକସଭା ଓ ବିଧାନସଭା ଗୁଡିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସୁନିଶ୍ଚିତ ହୋଇଛି। ଇତିହାସ ଜାଣିଛି, ଯେତେବେଳେ ଜଣେ ନେତୃତ୍ୱ ନିଅନ୍ତି, ସେତେବେଳେ ସେ ନିଜେ ସଶକ୍ତ ହେବା ସହିତ ସମଗ୍ର ସମାଜ ଓ ରାଷ୍ଟ୍ର ଉପକୃତ ହୋଇଥାଏ। ଭାରତୀୟ ଗଣତନ୍ତ୍ରରେ ଆଜି ମହିଳାମାନେ କେବଳ ଭୋଟର ନୁହନ୍ତି ବରଂ ସକ୍ରିୟ ଭାଗିଦାର ହୋଇଛନ୍ତି। ନାରୀଶକ୍ତି ବନ୍ଦନ ମିଟିଂ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡିଶାରେ ତୃଣମୂଳ ସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଂଚାୟତରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରି ଦକ୍ଷତା ପ୍ରମାଣିତ କରିଛନ୍ତି। ତେଣୁ, ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ ହେବାକୁ ସହାୟକ ହେବ। ଆଗାମୀ ଦିନରେ ଏହି ଅଧିନିୟମ ମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ୱ ଆହୁରି ବ୍ୟାପକ ହେବ। ଏହି ଅଧିନିୟମ ମହିଳା ବିକାଶ କ୍ଷେତ୍ରରେ ମୋଦିଜୀଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେ, ବିକଶିତ ଭାରତ ପାଇଁ ସମୃଦ୍ଧ ଓଡିଶା ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହି ଯାତ୍ରାରେ ଓଡିଶାର ମା ଓ ଭଉଣୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହିତ ଆତ୍ମ ନିର୍ଭର କରିବା ପାଇଁ ଆମେ ଆରମ୍ଭ କରିଛୁ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା। ସୁଭଦ୍ରା ଠାରୁ ଆରମ୍ଭ କରି ଲକ୍ଷପତି ଦିଦି ପର୍ଯ୍ୟନ୍ତ ଏହି ଯାତ୍ରା ଓଡିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିକଶିତ ରାଷ୍ଟ୍ର ଗୁଡିକରେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ଭାଗିଦାରୀ ଖୁବ୍ ଅଧିକ ରହିଛି। ତେଣୁ, ନାରୀ ଶକ୍ତିର ବିକାଶ ହେଉଛି ବିକାଶର ଏକ ମୁଖ୍ୟ ଆଧାର। ନାରୀ ଶକ୍ତିର ଉନ୍ନତି ପାଇଁ ଏବେ ସାରା ଭାରତ ଆଗେଇ ଆସିଛି। ଭାରତୀୟ ନାରୀ ଆଜି ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ୱ କରୁଛନ୍ତି। ଯୁଦ୍ଧ କ୍ଷେତ୍ରରେ ମଧ୍ୟ। ଅପରେସନ ସିନ୍ଦୁର ତା’ର ଜ୍ୱଳନ୍ତ ପ୍ରମାଣ। ବର୍ତମାନ ସମୟ ଆସିଛି, ବିଧାନସଭା ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ନାରୀ ଶକ୍ତିର ନେତୃତ୍ୱକୁ ଆମକୁ ସ୍ୱୀକାର କରିବାକୁ ପଡିବି। ଏଥିପାଇଁ ସମସ୍ତେ ଆଗେଇ ଆସି ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଅକୁଣ୍ଠ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ କହିଥିଲେ ଯେ, ବିଧାନସଭା ଓ ସଂସଦରେ ମଧ୍ୟ ମହିଳା ପ୍ରତିନିଧିତ୍ୱ ସମାନ ଭାବେ ପ୍ରତିଫଳିତ ହେବା ଉଚିତ୍। ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ସମ୍ମାନ ଦେଇ ଏହି ଅଧିନିୟମକୁ ସମସ୍ତେ ସମର୍ଥନ କରିବା ଉଚିତ୍। ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ ଯେ, ମହିଳାଙ୍କ ସମ୍ମାନ, ସମତା, ନେତୃତ୍ୱ ଓ ସ୍ୱାଭିମାନ ପାଇଁ ମହିଳା ମାନଙ୍କୁ ପାର୍ଲାମେଂଟ୍ରେ ବସିବାର ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। ଏହି ଅଧିନିୟମ ବଳରେ ବର୍ତମାନ ପଂଚାୟତରୁ ପାର୍ଲାମେଂଟ୍ ଯିବା ସହଜ ହେବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ହେଉ କିମ୍ବା ଖୁସି ସ୍କିମ୍ ହେଉ, ଏସବୁ ଯୋଜନା ମାଧ୍ୟମରେ ମା’ ଗର୍ଭରୁ ମହିଳା ସଶକ୍ତ କରଣର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି। ସେ କହିଥିଲେ ନାରୀ ଶକ୍ତି ବଦଳୁଥିବା ଭାରତର ନେତୃତ୍ୱ ନେବା ପାଇଁ ଆଗେଇ ଆସୁଥିବା ବେଳେ ଓଡିଶା ହେଉଛି ନାରୀ ସଶକ୍ତିକରଣର ବେଷ୍ଟ ମଡେଲ। ତେଣୁ ଆମେ କେବଳ ମହିଳା ହିତାଧିକାରୀ ନୁହେଁ, ମହିଳା ଭାଗିଦାରୀ ଚାହୁଁଛୁ। ବିଶିଷ୍ଟ ସାହିତ୍ୟିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ, ନାରୀ ଆବଶ୍ୟକ ସ୍ଥଳେ ଲକ୍ଷ୍ମୀ, ଦୁର୍ଗା ଅଥବା କାଳୀଙ୍କ ସ୍ୱରୂପିଣୀ। ନାରୀ କେବେହେଲେ ଯୁଦ୍ଧ ଚାହେଁ ନାହିଁ, ନାରୀ ଚାହେଁ ଶାନ୍ତି। ତେଣୁ ପ୍ରତ୍ୟେକ ଗୃହରେ ଯଦି ନାରୀଶକ୍ତି ବନ୍ଦନ ହୁଏ, ତେବେ ପୃଥିବୀର ଭାଗ୍ୟ ବଦଳିଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଶିଷ୍ଟ କ୍ରୀଡାବିତ୍ ଅନୁରାଧା ବିଶ୍ୱାଳ, ଖ୍ୟାତନାମା ଓଡିଶୀ ନୃତ୍ୱଶିଳ୍ପୀ ତଥା ଗୁରୁ ଡକ୍ଟର ଅରୁଣା ମହାନ୍ତି ପ୍ରମୁଖ ନାରୀ ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ୱକାଂକ୍ଷୀ ଅଧିନିୟମକୁ ଯୁଗୋପଯୋଗୀ ଦର୍ଶାଇଥିଲେ।