ଖୋର୍ଦ୍ଧା: ଖୋର୍ଦ୍ଧା ଓ ଜଟଣୀରେ ଚାଲୁଥିବା ବେଆଇନ ଲଘୁ ଖଣିଜ ଚୋରାଚାଲାଣ ଉପରେ ଏବେ କଡା ନଜର। ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ଏହାର ତଦନ୍ତ ପାଇଁ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ଅବୈଧ ଭାବେ ମୋରମ ଓ ମାଙ୍କଡା ପଥର ଖନନ ହେଉଥିବା ଅଭିଯୋଗର ସତ୍ୟତା ଖୋଜିବାକୁ ଖୋର୍ଦ୍ଧାର ବିଭିନ୍ନ ଖଣିରେ ପାଇଁତରା ମାରୁଛି ଏହି ସ୍ୱତନ୍ତ୍ର ଟିମ। ତେବେ ଏହି କମିଟିରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ଆଂଚଳିକ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରତିନିଧି, ଜଙ୍ଗଲ ବିଭାଗ, ଓ ଖଣି ବିଭାଗର ସଦସ୍ୟମାନେ ରହିଛନ୍ତି। ଘଏଞଙ୍କ ୧୭ ମାର୍ଚ୍ଚର ଆଦେଶ ଅନୁଯାୟୀ, କମିଟି ଘଟଣାସ୍ଥଳରେ ପହଂଚି ସ୍ଥଳ ପରିଦର୍ଶନ କରିବ ଓ ବାସ୍ତବ ପରିସ୍ଥିତିର ସମୀକ୍ଷା କରିବ। ଏହା ସହିତ, ଅବୈଧ ଖନନକୁ ରୋକିବା ପାଇଁ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୁପାରିଶ କରିବ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସରରୁ ନିର୍ଦ୍ଧାରିତ ସମୟ ଅନୁସାରେ ଟିମ ବାହାରି ପ୍ରଥମେ ଜଟଣୀ ତହସିଲର ମଧୁପୁର, ଖୋର୍ଦ୍ଧା ତହସିଲର ଟାଙ୍ଗିଆପଡ଼ା, ଅରାଙ୍ଗ, ନିଆଳ ଆଦି ଖଣି ବୁଲି ଦେଖିଥିଲେ। ବିଭିନ୍ନ ସ୍ଥାନରେ ଥିବା ଖଣିର ସ୍ଥିତି, କେଉଁ ପ୍ରକାର ଜମି, କେତେ ଆକାରର ଖନନ ହୋଇଛି। ସେ ସବୁ ଜଙ୍ଗଲ ଜମି କି ନାହିଁ ତାହାର ତର୍ଜମା କରି ତଦନ୍ତ କରିଥିଲେ। ଏହି ପ୍ରକ୍ରିୟାକୁ ଅତ୍ୟାବଶ୍ୟକ ଭାବେ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଅଂଚଳରେ ବେଆଇନ ଖଣି ଖନନ ହେଉଥିବା ମାମଲାରେ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ପ୍ରତାପ ମହାନ୍ତି। କେହି ତାଙ୍କ ଅଭିଯୋଗ ପ୍ରତି ଦୃଷ୍ଟି ଦେଉ ନଥିଲେ। ଶେଷରେ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ। ଏନଜିଟିର ହସ୍ତକ୍ଷେପ ପରେ ତଦନ୍ତ ପାଇଁ ଗଠନ ହୋଇଛି ଟିମ୍। ଏହି ଟିମ ଆଧାରର ରିପୋର୍ଟ ଆସିବା ପରେ ଘଏଞର ପଦକ୍ଷେପ ଜାରି ରହିବ ବୋଲି କୁହାଯାଉଛି। ଏହି ସବୁ ଅଂଚଳରେ ବ୍ୟାପକ ଖଣି ଖନନ ଚାଲିଥିବା ବେଳେ କେବଳ ଘଏଞ ରିପୋର୍ଟ ଆଧାରରେ କେବଳ ସେତିକି ଖଣିର କାହିଁକି ତଦନ୍ତ ହେଉଛି, ଅନ୍ୟ ଖଣିର କେବେ ବୋଲି ପ୍ରଶ୍ନ କରିଛନ୍ତି ଖୋର୍ଦ୍ଧାର ବୁଦ୍ଧିଜୀବୀ।