ଭଦ୍ରକ: ଅକ୍ଷୟ ତୃତୀୟା ଅବସରରେ ରାଣୀତାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ପୂଜାର୍ଚ୍ଚନା କରି ‘ଅଖିମୁଠି ଅନୁକୂଳ’ କରି ଚଳିତ ବର୍ଷର କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ‘ସିଏମ୍ କିଷାନ ସହାୟତା’ ଯୋଜନା ଅନ୍ତର୍ଗତ ଖରିଫ-୨୦୨୬ ପାଇଁ ସହାୟତା ରାଶି ପ୍ରଦାନ କରିଥିଲେ।
ଭଦ୍ରକ ଜିଲ୍ଲାର ୨ ଲକ୍ଷ ୧୩ ହଜାର ୭୭୫ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୨ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ହସ୍ତାନ୍ତର କରାଯାଇଥିଲା। ଭୂମିହୀନ କୃଷି ପରିବାର ପ୍ରତ୍ୟେକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ସଭାରେ ପ୍ରୀତିରେଖା ମହାଲିକ, ଭଦ୍ରକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଶଶିଭୂଷଣ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ, ଡ ସଞ୍ଜୟ ମହାନ୍ତି, ବରିଷ୍ଠ ବୈଜ୍ଞାନିକ ଏବଂ କେଭିକେର ମୁଖ୍ୟ, ଡ ବିଶ୍ୱରଞ୍ଜନ ନାୟକ, ଆର୍ଆର୍ଟିଟିଏସ୍ ସହ-ନିର୍ଦ୍ଦେଶକ କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଓ ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ସଚେତନ କରାଇଥିଲେ।
ଧାମନଗର ବ୍ଲକ କୃଷି ଅଧିକାରୀ ଅନୁରାଧା ପଣ୍ଡା ମଂଚ ପରିଚାଳନା କରିଥିଲେ। ଏହା ସହ ସିଏମ୍ କିଷାନ ଯୋଜନା ଅନ୍ତର୍ଭୁକ୍ତ କୃଷି ବିଦ୍ୟାନିଧି ଯୋଜନାରେ ୨୦୨୫-୨୬ ଶିକ୍ଷାବର୍ଷରେ ସମୁଦାୟ ୬୦୮୭ ଜଣ ଛାତ୍ରଛାତ୍ରୀଙ୍କୁ ସର୍ବମୋଟ ୨୫.୭୮ କୋଟି ଟଙ୍କାର ଶିକ୍ଷାବୃତି ପ୍ରଦାନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ସାଢେ ଚାରିଗୁଣ ଅଧିକ।