ପାରଳାଖେମୁଣ୍ଡି: ପ୍ରାକୃତିକ ଶୋଭାରାଜିରେ ଭରପୁର ଗଜପତି ଜିଲ୍ଲା। ଏହି ଜିଲ୍ଲାରେ ପାହାଡ଼ ଜଙ୍ଗଲ ଘେରା ସବୁଜ ବନାନୀର ଆକର୍ଷଣୀୟ ପରିବେଶ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅନେକ ଜଳପ୍ରପାତ ଓ ଐତିହ୍ୟ ତଥା କିମ୍ବଦନ୍ତୀ ସମ୍ପନ୍ନ ଅନେକ ସ୍ଥାନ ରହିଛି। ଗଜପତି ଜିଲ୍ଲାରେ ମହେନ୍ଦ୍ରଗିରି ଭଳି ଆଉ ଗୋଟିଏ ପର୍ବତ ଶୃଙ୍ଗ ରହିଛି ଦେବଗିରି। ହେଲେ ମହେନ୍ଦ୍ରଗିରି ଭଳି ଦେବଗିରି ପାହାଡ ଐତିହ୍ୟ ସଂସ୍କୃତି ସହ ଯୋଡି ହୋଇ ନଥିଲେ ମଧ୍ୟ ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର, ଏହି ପାହାଡର ପରିବେଶ ଅତ୍ୟନ୍ତ ମନୋରମ। ଔଷଧୀୟ ବୃକ୍ଷଲତା ସାଙ୍ଗକୁ ଜଙ୍ଗଲି ଜନ୍ତୁଙ୍କ ଚଳପ୍ରଚଳ ରହିଛି, ପାହାଡ ଶିଖରରେ ବିସ୍ତିର୍ଣ୍ଣ ସମତଳ ଅଂଚଳ ସହ ଏକ ପାର୍ଥନା ସ୍ଥଳ ଥିବା କୁହାଯାଉଛି।
ଦିନ ଥିଲା ଏହି ଅଂଚଳ ବାଉଁଶ, ସାଗୁଆନ ଏବଂ ବାସ ଚନ୍ଦନର ଜଙ୍ଗଲ ଭାବରେ ବେଶ ପରିଚିତ ଥିଲା, କିନ୍ତୁ ଆଉ ଏବେ ତାହା ନାହିଁ, ତଥାପି ବିସ୍ତିର୍ଣ୍ଣ ଜଙ୍ଗଲ ସହ ଏକାଧିକ ଜଳପ୍ରପାତ ଏବଂ ତାର ଶୀତଳ ଆଉ ଶାନ୍ତ ପରିବେଶ ନିଶ୍ଚିତ ଭାବରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ, ତେଣୁ ରାଜ୍ୟ ସରକାର ଦେବଗିରିକୁ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବା ପାଇଁ ରୂପରେଖ ପ୍ରସ୍ତୁତ କରି ୨୦୨୪ – ୨୫ ଆର୍ଥିକ ବର୍ଷରେ ଦେବଗିରି ପର୍ବତ ଶୃଙ୍ଗର ଆକର୍ଷଣୀୟ ପ୍ରାର୍ଥନା ସ୍ଥଳୀର ବିକାଶ ପାଇଁ ୧ କୋଟି ୨୩ ଲକ୍ଷ, ଅନୁଦାନ ପ୍ରଦାନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି।
ପର୍ଯ୍ୟଟନ ସ୍ଥାନର ବିକାଶ କରିବା ସହ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର। ଭିତିଭୂମି, ରାସ୍ତାଘାଟ, ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବା ପାଇଁ ଆବଶ୍ୟକ ଅନୁଦାନ ମଧ୍ୟ ମଞ୍ଜୁର କରିଥିଲେ। ଠିକା ସଂସ୍ଥା ଟେଣ୍ଡର ପାଇ ୨୦୨୫ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ନାମକୁ ମାତ୍ର ପର୍ବତ ପାଦଦେଶରେ ଗୋଟିଏ ପ୍ରବେଶ ଦ୍ୱାର କରି ଚୁପ ବସିଛି। ଏନ୍ବିସିସି ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦ୍ୱାୟିତ୍ୱ ନେଇଥିବା ବେଳେ ଠିକା ସଂସ୍ଥା କାହିଁକି କାର୍ଯ୍ୟ ବନ୍ଦ କରି ରଖିଛି ସେ ସମ୍ପର୍କରେ କୌଣସି ସୂଚନା ଠିକା କମ୍ପାନୀ ପକ୍ଷରୁ ଦିଆଯାଇନି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏଚ ସଂଗ୍ରାମଙ୍କ ସୂଚନା ପ୍ରକାରେ କିଛି ସ୍ଥାନୀୟ ଅଧିବାସୀ ଉନ୍ନୟନ କାର୍ଯ୍ୟକୁ ବିରୋଧ କରୁଛନ୍ତି। ତେଣୁ ନିର୍ମାଣ କାର୍ଯ୍ୟ ଆଗେଇ ପାରିନି। ତେବେ ଏନେଇ କୌଣସି ଅନୁଷ୍ଠାନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ବିରୋଧ କରୁଥିବା କୌଣସି ସ୍ଥାନରେ ଲିଖିତ ଅଭିଯୋଗ କରିନାହାନ୍ତି।
ତେଣୁ ଉନ୍ନୟନ କାର୍ଯ୍ୟକୁ ସତରେ ବିରୋଧ କରୁଛନ୍ତି ନାଁ ନିଜ ଅପାରଗତାକୁ ଲୁଚାଇବା ପାଇଁ ଠିକାଦାର ଏଭଳି କହିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। ସୂଚନା ଥାଉ କି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାହାଡ ଶିଖରରେ ଗୋଟିଏ ଆଶ୍ରୟ ସ୍ଥଳ ଓ ଦୁଇଟି ପିଣ୍ଡି ନିର୍ମାଣ କରାଯାଇଛି। କୂପ ଉଦ୍ଧାର କରାଯାଇଛି, ୭ କିଲୋମିଟର ପାହାଡିଆ ରାସ୍ତା ସୁଗମ ହେଲେ ପର୍ଯ୍ୟଟକଙ୍କ ପାଇଁ ବାଟ ଫିଟିବ। ଜିଲ୍ଲାର ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ପୁରାତନ ଜୀବନ ଶୈଳୀ ଯାହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଯଥେଷ୍ଟ ସୁଯୋଗ ସୃଷ୍ଟି କରିପାରିଛି। ପର୍ଯ୍ୟଟନର ବିକାଶ ହେଲେ ରୋଜଗାର ସୃଷ୍ଟି ହେବା ସହ ବ୍ୟବସାୟ ବୃଦ୍ଧି ପାଇବ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ତେଣୁ ସ୍ଥାନୀୟ ବାସିନ୍ଦା ଉନ୍ନୟନ କାର୍ଯ୍ୟରେ ସହଯୋଗ କରିବା ଆବଶ୍ୟକ ରହିଛି।