ସମୀକ୍ଷା ପରେ ମନରେଗା କାମ ଜାରି ରଖିବାକୁ ନିଷ୍ପତି
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଯୋଜନାଗୁଡିକର ….
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଯୋଜନାଗୁଡିକର ସମୀକ୍ଷା ଆରମ୍ଭ କରିଛନ୍ତି। ବିଶେଷ କରି କଲ୍ୟାଣମୂଳକ ଓ ଭିତିଭୂମି ଯୋଜନା ଉପରେ ଯୁଦ୍ଧର ପ୍ରଭାବ କଣ ରହିଛି ତାହା ସରକାର ଜାଣିବାକୁ ଚାହୁଛନ୍ତି।ଗ୍ରାମୀଣ ଜୀବିକ, ଗୃହ ନିର୍ମାଣ, ସଡକ ନିର୍ମାଣ ଓ ଜଳ ବିଭାଜିକା ପ୍ରକଳ୍ପ ଗୁଡିକ ଉପରେ ଯୁଦ୍ଧର ପରୋକ୍ଷ ପ୍ରଭାବକୁ ସରକାର ଆକଳନ କରିବା ଆରମ୍ଭ କରିଛନ୍ତି।
ନୂଆ ଯୋଜନା ଭିବି-ଜି ରାମ ଜି ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ପୁରୁଣା ଯୋଜନା ମନରେଗା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ମନରେଗାରେ କୌଣସି ବିଭ୍ରାଟ ହେବ ନାହିଁ।ଚାହିଦା ଆଧାରିତ ନିଯୁକ୍ତି, ଉଚିତ୍ ସମୟରେ ମଜୁରି ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ମନରେଗାରେ ମଜୁରି ବାବଦରେ କେନ୍ଦ୍ର ସରକାର ପ୍ରଥମ କିସ୍ତି ବାବଦରେ ୧୭,୭୪୪ କୋଟି ଟଙ୍କା ଜାରି କରିଛନ୍ତି।ଭିବି ଜି ରାମ ଜି ଯୋଜନା କାର୍ଯ୍ୟକାରୀ ହେବା ପରେ ଗ୍ରାମୀଣ ପରିବାରଗୁଡିକୁ ବର୍ଷକୁ ୧୨୫ ଦିନର କାମ ମିଳିବ। ତାହାର ସଂଶୋଧିତ ମଜୁରି ହାର ପରବର୍ତୀ ସମୟରେ ଜାରି କରାଯିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ୨୦୨୯ ସୁଦ୍ଧା ସରକାର ୪.୯୫ କୋଟି ଘର ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯୁଦ୍ଧ ପାଇଁ ନିର୍ମାଣ ସାମଗ୍ରୀ ଦରବୃଦ୍ଧି ଓ ଯୋଗାଣ ଶୃଙ୍ଖଳ ସମସ୍ୟା ସମ୍ପର୍କରେ ସରକାର ଆଲୋଚନା କରିଛନ୍ତି।ହିତାଧିକାରୀମାନଙ୍କୁ ଠିକ୍ ସମୟରେ ପାଣ୍ଠି ହସ୍ତାନ୍ତର କରିବାକୁ ପ୍ରାଥମିକତା ଦିଆଯାଉଛି। କାମ ଆରମ୍ଭ ହୋଇଯାଇଥିବା ଘରଗୁଡିକୁ ଶୀଘ୍ର ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏଥି ସହିତ ପରିବାରଗୁଡିକ ପାଖରେ ପରିମଳ, ପାନୀୟ ଜଳ, ଏଲ୍ପିଜି ଓ ବିଦ୍ୟୁତ୍ ଭଳି ସୁବିଧା ସୁଯୋଗ ପହଂଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ସମୀକ୍ଷାରୁ ଜଣାପଡିଛି ଯେ ଗ୍ରାମାଂଚଳରେ ୧୨,୧୦୦ କିଲୋମିଟର ରାସ୍ତା ମଞ୍ଜୁର କରାଯାଇଛି ଓ ତାହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ସଡକ ନିର୍ମାଣ ଉପରେ ଯୁଦ୍ଧର ପ୍ରଭାବ ସୀମିତ ରହିଛି।କାରଣ କେବଳ ବିଟୁମେନ ମୂଲ୍ୟ ଅସ୍ଥିର ହୋଇଛି। କିନ୍ତୁ ମୋଟ୍ ନିର୍ମାଣ ଖର୍ଚ୍ଚରେ ତାହାର ଭାଗ ଏତେ ବଡ ନୁହେଁ।କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ୫୦ ଲକ୍ଷ ହେକ୍ଟର ଜମିକୁ ସାମିଲ କରାଯାଇଛି।