ନୂଆଦିଲ୍ଲୀ: ଢେଙ୍କାନାଳ ଜିଲ୍ଲାରେ ହେବ ବାର୍ଷିକ ୬ ନିୟୁତ ଟନ ଉତ୍ପାଦନ କ୍ଷମତାଯୁକ୍ତ ସମନ୍ୱିତ ଷ୍ଟିଲ ପ୍ରକଳ୍ପ। ଦକ୍ଷିଣ କୋରିଆ ଷ୍ଟିଲ କମ୍ପାନୀ ପୋସ୍କୋ ଓ ଭାରତୀୟ ଷ୍ଟିଲ ନିର୍ମାତା ଜେଏସ୍ଡବ୍ଲ୍ୟୁ ମଧ୍ୟରେ ମିଳିତ ରାଜିନାମା ହୋଇଯାଇଛି। ଉଭୟ କମ୍ପାନି ମଧ୍ୟରେ ସୋମବାର ଏକ ଯୌଥ ଉଦ୍ୟୋଗ ବୁଝାମଣା ସ୍ୱାକ୍ଷର ହୋଇଛି।
ଉଭୟ ଦେଶୀ-ବିଦେଶୀ କମ୍ପାନୀ ୫୦-୫୦ ଅଂଶୀଦାର ଅଛନ୍ତି। ପାଖାପାଖି ୬୮ ହଜାର ୫୦୦ କୋଟି ଟଙ୍କା ଖଟାଇବେ ଉଭୟ କମ୍ପାନୀ। ରାଜିନାମା ଅନୁସାରେ ୨୦୩୧ ସୁଦ୍ଧା କମ୍ପାନୀ ପୂର୍ଣ୍ଣାଙ୍ଗ ରୂପ ନେବ। ପୋସ୍କୋ ସିଇଓ ଲି ହି-ଜିଓନ୍ କହିଛନ୍ତି, ଉଭୟ ଦେଶର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଉଭୟ କମ୍ପାନୀ ଲାଭାନ୍ୱିତ ହେବେ। ଭାରତରେ ଏକ ଉତ୍ପାଦନ ହବ୍ ସ୍ଥାପନ କରିବା ଏବଂ ନିଜର ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପୋସ୍କୋ ଏହି ନିବେଶ କରୁଛି।
ଏଭଳି ସମୟରେ ଏହି ଯୌଥ ଉଦ୍ୟୋଗ ଗଠନ କରାଯାଇଚି, ଯେତେବେଳେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍ ଭାରତ ଗସ୍ତରେ ଆସିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏକତ୍ର ହୋଇଥିବା ବେଳେ ପୋସ୍କୋ-ଜେଏସ୍ଡବ୍ଲ୍ୟୁ ମଧ୍ୟରେ ରାଜିନାମା ଶେଷ ହୋଇଛି। ଏଭଳି ସଂଯୋଗ କ୍ୱଚିତ ଘଟିଥାଏ। ଦକ୍ଷିଣ କୋରିଆ ରାଷ୍ଟ୍ରପତି କହିଛନ୍ତି, ଭାରତ ସହ ଦକ୍ଷିଣ କୋରିଆ ପ୍ରମୁଖ ଖଣିଜ ପଦାର୍ଥ, ଏଆଇ, ଜାହାଜ ନିର୍ମାଣ, ପରମାଣୁ ଶକ୍ତି, ସ୍ୱଚ୍ଛଶକ୍ତି ଭଳି କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବାକୁ ଆଗ୍ରହୀ।