କଟକ: କମ୍ ଖଣିଜ ଉତୋଳନ କରୁଥିବା ଲିଜଧାରୀଙ୍କୁ ଡିମାଣ୍ଡ ନୋଟିସ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ହାଇକୋର୍ଟ।
ନିୟମ ଅନୁସାରେ ଖଣି ଲିଜଧାରୀମାନେ ଯେତିକି ପରିମାଣର ଖଣିଜ ଉତୋଳନ ଓ ପ୍ରେରଣ କରିବା କଥା, ତାହା କରୁ ନଥିବା ସାମ୍ନାକୁ ଆସିବା ପରେ ଖଣିଜ ନିୟମାବଳୀ (ଏମସିଆର, ୨୦୧୬)ର ନିୟମ ୧୨(କ) ଅନୁଯାୟୀ ଖଣି ବିଭାଗ ଉପ ନିର୍ଦ୍ଦେଶକଙ୍କ ପକ୍ଷରୁ ଜରିମାନା ଆଦାୟ ପାଇଁ ଡିମାଣ୍ଡ ନୋଟିସ ଦିଆଯାଇଥିଲା।
ଚୁକ୍ତି ସର୍ତାବଳୀ ଅନୁଯାୟୀ ନିର୍ଦ୍ଧାରିତ ପରିମାଣ ଠାରୁ କମ୍ ଖଣିଜ ଉତୋଳନ କରୁଥିବା ଲିଜଧାରୀଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ଡିମାଣ୍ଡ ନୋଟିସ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ହାଇକୋର୍ଟ।
ଖଣିଜ ନିୟମାବଳୀ (ଏମସିଆର, ୨୦୧୬)ର ନିୟମ ୧୨(କ)ର ବୈଧତା ଏବଂ ଏପରି ନୋଟିସ ଉପରେ ଲିଜଧାରୀ ଦାଖଲ କରିଥିବା ଆପତିକୁ ବିଚାରକୁ ନିଆଯାଇ ନଥିବା ଦର୍ଶାଇ ଏକାଧିକ ଲିଜଧାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ମାମଲା ଗୁଡିକର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିବା ସହିତ ଆବେଦନକାରୀ ଲିଜଧାରୀଙ୍କ ବିରୋଧରେ ଖଣି ଉପନିର୍ଦ୍ଦେଶକ ଜାରି କରିଥିବା ଡିମାଣ୍ଡ ନୋଟିସ୍ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ।
ତେବେ ଏ ସଂପର୍କିତ ସମସ୍ତ ମାମଲା ଗୁଡିକର ପୂର୍ଣ୍ଣାଙ୍ଗ ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ଖଣି ବିଭାଗ ତରଫରୁ ଜାରି ଡିମାଣ୍ଡ ନୋଟିସ ଅନୁସାରେ ଲିଜଧାରୀମାନେ ଅର୍ଥ ପଇଠ କରିବାକୁ ବାଧ୍ୟ ହେବେ।