ପିଲାଙ୍କୁ ବିଛୁଆତି ପୂରାଇବାକୁ କହି ପ୍ରଧାନଶିକ୍ଷକ ନିଲମ୍ବିତ
ଛାତ୍ରମାନଙ୍କୁ ପ୍ୟାଂଟ୍ ଭିତରେ ବିଛୁଆତି ପୂରାଇବାକୁ କହିଥିବା ଅଭିଯୋଗରେ …..
ଯାଜପୁର: ଛାତ୍ରମାନଙ୍କୁ ପ୍ୟାଂଟ୍ ଭିତରେ ବିଛୁଆତି ପୂରାଇବାକୁ କହିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କାଳିଆପାଣି କ୍ଲଷ୍ଟର ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। ସୁକିନ୍ଦା ବ୍ଳକ୍ ଶିକ୍ଷାଧିକାରୀ (ବିଇଓ) ନାରାୟଣ ଚନ୍ଦ୍ର ଦାସ ଏହି ସୂଚନା ଦେଇଛନ୍ତି।
ବିଇଓ କହିଛନ୍ତି ଯେ ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ସେ ପିଲାମାନଙ୍କୁ ବିଛୁଆତି ଲଗାଇବା ପାଇଁ କହିଥିବାର ଅଭିଯୋଗ ଆସିଛି। ଗ୍ରାମବାସୀଙ୍କ ଦ୍ୱାରା ଅଣାଯାଇଥିବା ଏହି ଅଭିଯୋଗ ଆଧାରରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।
ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯିବ। ପ୍ରକୃତରେ କ’ଣ ଘଟିଥିଲା, ତାହା ଜାଣିବା ପାଇଁ ପ୍ରୟାସ କରାଯିବ। ତା’ପରେ ପରବର୍ତୀ ପଦକ୍ଷେପ ନିଆଯିବ।
ସୂଚନା ଅନୁଯାୟୀ, ତିନିଦିନ ତଳେ ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀ କିଛି ପିଲାଙ୍କୁ ବିଛୁଆତି ଆଣି ନିଜ ନିଜ ପ୍ୟାଂଟ୍ ଭିତରେ ଭର୍ତି କରିବାକୁ କହିଥିଲେ। ପିଲାମାନେ ତାଙ୍କ ନିର୍ଦ୍ଦେଶରେ ବିଛୁଆତି ଆଣି ନିଜ ନିଜ ପ୍ୟାଂଟ୍ରେ ପୂରାଇଥିଲେ ଓ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହା ଜଣାପଡିବା ପରେ ଅଭିଭାବକମାନେ ବିଦ୍ୟାଳୟକୁ ଆସି ହଙ୍ଗାମା କରିଥିଲେ। ଏହା ସହିତ ସେମାନେ ପ୍ରଧାନ ଶିକ୍ଷକ ଶ୍ରୀ ଦେହୁରୀଙ୍କ ନାଁରେ କାଳିଆପାଣି ଥାନାରେ ଅଭିଯୋଗ କରିଥିଲେ।
ସ୍ଥାନୀୟ ସରପଂଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ହସ୍ତକ୍ଷେପ କରିବା ପରେ ପ୍ରଧାନ ଶିକ୍ଷକ ନିଜ ଦୋଷ ସ୍ୱୀକାର କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ମାମଲାର ଆପୋଷ ସମାଧାନ ହୋଇଥିଲା। ତେବେ ଏଭଳି ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯିବା ସହ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା। ଏହା ପରେ ଗତକାଲି ସୁକିନ୍ଦା ବିଇଓ ନାରାୟଣ ଦାସ ଘଟଣାର ପ୍ରାଥମିକ ତଦନ୍ତ କରିବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି।