ମେୟର ଓ ପୌରାଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ
୨୦୦୩ ଆଇନରେ ସଂଶୋଧନ କରିବେ ସରକାର
୨୦୨୨ରେ ରାଜ୍ୟର ସମସ୍ତ ପୌରସଂସ୍ଥାରେ ….
ଭୁବନେଶ୍ୱର: ୨୦୨୨ରେ ରାଜ୍ୟର ସମସ୍ତ ପୌରସଂସ୍ଥାରେ ମେୟର ଓ ପୌରାଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା। ସ୍ଥାନୀୟ ମତଦାତାମାନେ ନିଜ ପସନ୍ଦର ମେୟର/ପୌରାଧ୍ୟକ୍ଷ ନିର୍ବାଚିତ କରିଥିଲେ। କିନ୍ତୁ ଆସନ୍ତା ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ ପରୋକ୍ଷ ନିର୍ବାଚନ ହେବ। ଅର୍ଥାତ୍ ନିର୍ବାଚିତ କର୍ପୋରେଟରମାନେ ମେୟର ଏବଂ କାଉନସିଲରମାନେ ପୌରାଧ୍ୟକ୍ଷ ବାଛିବେ। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶା ମ୍ୟୁନିସିପାଲିଟି ଆକ୍ଟ, ୨୦୦୩ ଏବଂ ଓଡିଶା ମ୍ୟୁନିସିପାଲ କର୍ପୋରେସନ୍ ଆକ୍ଟ ୨୦୦୩ରେ ସଂଶୋଧନ ଅଣାଯିବ।
୨୦୧୮ ମସିହାରେ ଏହି ଦୁଇଟି ଆଇନରେ ସଂଶୋଧନ ଅଣାଯାଇ ପୌରସଂସ୍ଥାରେ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ଲାଗୁ ହୋଇଥିଲେ ବି ଏହାକୁ ପୁଣି ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବିଜେପିର ବରିଷ୍ଠ ନେତାମାନଙ୍କ ବୈଠକରେ ଏନେଇ ଦୁଇରୁ ତିନି ପର୍ଯ୍ୟାୟ ଆଲୋଚନା ସରିଛି। ୨୦୨୭ ପୌର ନିର୍ବାଚନରେ ବହୁ ପୌର ସଂସ୍ଥାରେ ୱାର୍ଡ ସଂଖ୍ୟା ବଢ଼ିବାକୁ ଥିବାବେଳେ ସୀମା ପୁନଃନିର୍ଦ୍ଧାରଣ ହେବ। ଏହା ସହ ସଂରକ୍ଷଣ ବ୍ୟବସ୍ଥା ବି ବଦଳିବ। ଏଥିପାଇଁ ଓଡିଶା ମ୍ୟୁନିସିପାଲ ଆଇନ (ସଂଶୋଧିତ) ନିୟମ, ୨୦୨୨ ଏବଂ ଓଡିଶା ମ୍ୟୁନିସିପାଲ ଆଇନ, ୧୯୫୦ରେ ପରିବର୍ତନ କରିବାକୁ ଆଲୋଚନା ଚାଲିଛି। ରାଜନୈତିକ ପରିସ୍ଥିତିକୁ ନଜରରେ ରଖି ଯେପରି ଅଧିକରୁ ଅଧିକ ପୌରସଂସ୍ଥାକୁ ସରକାରୀ ଦଳ ନିଜ କବଜାରେ ରଖିବ, ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି।