ଭୁବନେଶ୍ୱର: ଅପରାଧୀଙ୍କର ସ୍ଥାନ ନାହିଁ, ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀଙ୍କ ଉପରେ ହେବ କଠୋର ଆକ୍ସନ। ପାତାଳରେ ଥିଲେ ବି ଦୋଷୀକୁ ଖୋଜି ବାହାର କରାଯିବ। ଜନଗଣନା କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ଏଭଳି ଚରମ ବାଣୀ ଶୁଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଝଙଚ ଆସିବ। ୨୦୨୬ରେ ହେଉଥିବା ଜନଗଣନା ହାଇଟେକ୍ ଜନଗଣନା। ଘର ଘର ଯାଇ କି ଜନଗଣନା କରିବା ଏକ ଚାଲେଞ୍ଜ। ହିଟୱେଭ୍ ଏବେ ବଡ଼ ସମସ୍ୟା। ମନ୍ତ୍ରୀ କହିଛନ୍ତି ଯେ, ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ, ଅସୁସ୍ଥ ହେବା ଖବର ଆସିଛି। ଶାରୀରିକ ସମସ୍ୟା ହିଟ୍ୱେଭ୍ ପାଇଁ କି ନାହିଁ ପରୀକ୍ଷା ପରେ ଜଣାପଡିବ। ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ। ଯେଉଁଠି ଆକ୍ରମଣ ହୋଇଛି ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି।
ସେପଟେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ, ଜନଗଣନା କାର୍ଯ୍ୟ ସୁରୁଖୁରରେ ଚାଲିଛି। ପ୍ରାୟ ୧ କୋଟି ଘର ଜନଗଣନା ସାରିଲାଣି। ଜନଗଣନାକାରୀମାନେ ବିଭିନ୍ନ ଅଂଚଳ ବୁଲିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଆଖି ଆଗରେ ରଖି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ନଜର ରଖାଯାଇଛି। ଯେଉଁଠି ଯେଉଁ ସମସ୍ୟା ସାମ୍ନାକୁ ଆସୁଛି ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଉଛି। ହିଟ୍ୱେଭକୁ ଏଡାଇ କିପରି ଜନଗଣନା କରିହେବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସ୍କୁଲ ଛୁଟି ଥିବାରୁ ସକାଳେ କିମ୍ବା ଅପରାହ୍ନରେ ତାଙ୍କ ସୁବିଧା ଅନୁସାରେ ଜନଗଣନା କରିପାରିବେ। ଜନଗଣନାକାରୀମାନେ ମିଳିତ ଭାବେ ଯାଇ ଜନଗଣନା କରିପାରିବେ। ଏପରିକି ସୁପରଭାଇଜରମାନେ ମଧ୍ୟ ସାଙ୍ଗରେ ଯାଇପାରିବେ। ଯେଉଁଠି କିଛି ସମସ୍ୟା ରହିଛି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ପୁଲିସର ସହାୟତା ନେଇପାରିବେ। ବହୁତ ସମୟ ଅଛି ବ୍ୟସ୍ତ ହେବାର ନହିଁ। ସମସ୍ତ ଜନସାଧାରଣ ଜନଗଣନା କାର୍ଯ୍ୟକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ନିଖିଲ ପବନ କଲ୍ୟାଣ।