ସୁଧୀରଙ୍କୁ ହତ୍ୟା: ୯ ଜଣଙ୍କୁ ବାନ୍ଧିଲା ପୁଲିସ, ଝିଆରୀ ମୁଖ୍ୟ ଅଭିଯୁକ୍ତ

ଗଞ୍ଜାମ ଜିଲ୍ଲା ଗୋପାଳପୁରର ଜମି ବ୍ୟବସାୟୀ …

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ନିବେଦିତା ପାତ୍ର, କାଳୁ ପ୍ରଧାନ, ତୁଷାର ପାତ୍ର, ଜିତୁନ ପଲାଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ଶୁଭମ ନାୟକ, ଶୁଭମ ଗୌଡ ଓ ସୂର୍ଯ୍ୟ ପ୍ରତାପ ସିଂ।
କାଳୁ ପ୍ରଧାନ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ। ସେହିପରି ତୁଷାର ପାତ୍ର ହେଉଛନ୍ତି ନିବେଦିତାଙ୍କ ଭାଇ ତଥା ମୃତ ସୁଧୀର ପାତ୍ରଙ୍କ ପୁତୁରା।
ନିବେଦିତା ଓ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ ମିଶି ଏହି ଅପହରଣ ଓ ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲେ। ଏହି ଷଡଯନ୍ତ୍ରରେ ତୁଷାର ପାତ୍ର ମଧ୍ୟ ସାମିଲ ଥିଲେ। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ନାରାୟଣ ପ୍ରଧାନ ନାଁରେ ଡବଲ ମର୍ଡର ମାମଲା ରହିଛି। ଜିତୁନ ପଲାଇ ନାଁରେ ଏନ୍‌ଡିପିଏସ୍‌ ଓ ଦୁଷ୍କର୍ମ ମାମଲା ରହିଛି। ସୂର୍ଯ୍ୟ ପ୍ରତାପ ନାଁରେ ମଧ୍ୟ ପୂର୍ବରୁ ୪ରୁ ୫ ମାମଲା ରହିଛି।
ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ। ସେମାନେ ତାଙ୍କୁ ଧମକାଇବାକୁ ବନ୍ଧୁକ ବ୍ୟବହାର କରିଥିଲେ। ହତ୍ୟାକାଣ୍ଡ ପାଇଁ ଆର୍ଥିକ କାରବାର ହୋଇଛି। ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ସମ୍ପତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସମ୍ପତିକୁ ନେଇ ପରିବାର ମଧ୍ୟରେ ବିବାଦ ଚାଲିଥିଲା। କିଛି ଦିନ ପୂର୍ବରୁ ସୁଧୀଙ୍କ ବଡ ଭାଇଙ୍କର ମୃତ୍ୟୁ ହୋଇଥିଲା। ବଡ ଭାଇଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସୁଧୀର ପାତ୍ରଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ।

ଏସ୍‌ପି କହିଛନ୍ତି, ତଦନ୍ତ ବେଳେ ପରିବାର ଲୋକଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରା ସମୟରେ ଜଣାପଡିଲା ଯେ ଏହି ପୂରା ଘଟଣାରେ ମୃତ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ରଙ୍କର ପ୍ରମୁଖ ଭୂମିକା ରହିଛି। ଦାଦା ସୁଧୀର ପାତ୍ରଙ୍କ ଉପରେ ତାଙ୍କର ସନ୍ଦେହ ରହୁଥିଲା। ସୁଧୀର ପାତ୍ରଙ୍କ ବଡ ଭାଇ ତଥା ନିବେଦିତାଙ୍କ ବାପାଙ୍କର କିଛି ମାସ ତଳେ ମୃତ୍ୟୁ ହୋଇଯାଇଥିଲା। ସେ ଜଣେ ପ୍ରମୁଖ ବ୍ୟବସାୟୀ ଥିଲେ। ତାଙ୍କ ମୃତ୍ୟୁ ପରେ ଟଙ୍କାପଇସାକୁ ନେଇ ପରିବାର ଭିତରେ ବିବାଦ ଦେଖା ଦେଇଥିଲା। ନିବେଦିତା ଓ ତାଙ୍କ ଭାଇ ତୁଷାର ପାତ୍ର ଭାବୁଥିଲେ ଯେ ସେମାନେ କ୍ଷତି ରହୁଛନ୍ତି ଓ ଦାଦା ଅଧିକ ଫାଇଦା ନେଇଛନ୍ତି। ସେମାନେ ନିୟମିତ ଭାବେ ଏହି ବିଷୟରେ ଆଲୋଚନା କରୁଥିଲେ। ଏମିତିକି ସୁଧୀର ପାତ୍ରଙ୍କ ପରିବାର କିଛି ଗୁଣିଗାରେଡି କରିଥିବା ଯୋଗୁ ସେମାନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା ବୋଲି ନିବେଦିତା ଓ ତାଙ୍କ ଭାଇ ସନ୍ଦେହ କରୁଥିଲେ। ନିବେଦିତା ଏ ସଂପର୍କରେ ତାଙ୍କ ବୟ ଫ୍ରେଣ୍ଡ କାଳୁ ପ୍ରଧାନ ସହିତ ମଧ୍ୟ ଆଲୋଚନା କରିଥିଲେ। ସୁଧୀର ପାତ୍ର ପଇସାପତ୍ରରେ ତାଙ୍କ ପରିବାରକୁ ହଇରାଣ କରୁଥିବା ସେ କାଳୁ ପ୍ରଧାନଙ୍କୁ କହିଥିଲେ। ପ୍ଲଟ୍‌ ବିଜ୍‌ନେସ୍‌ ହେଲେ କିଛି ଟଙ୍କା ଆସେ ବୋଲି ସେମାନେ ଜାଣିବାକୁ ପାଉଥିଲେ। ଦାଦା ସୁଧୀର ପାତ୍ରଙ୍କ ପାଖରେ ବଡ ପରିମାଣରେ ଟଙ୍କା ଅଛି ବୋଲି ସେମାନେ ଭାବୁଥିଲେ। ତା’ ପରେ ନିବେଦିତା, କାଳୁ ଓ ତୁଷାର ମିଶି ସୁଧୀର ପାତ୍ରଙ୍କଠାରୁ କେମିତି ଟଙ୍କା ଆଣିବେ, ସେ ନେଇ ଯୋଜନା କରିଥିଲେ। ଆଉ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କାଳୁ ପ୍ରଧାନ ସୁରଟରେ ରହି ଅପରାଧ କରୁଥିବା ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ଯୋଗାଯୋଗ କରିଥିଲେ। ସେହି ଅଭିଯୁକ୍ତମାନେ ସୁଧୀରଙ୍କୁ କେମିତି ଅପହରଣ କରିବେ, କେଉଁଠି ନେଇ ପିଟାପିଟି କରିବେ, ଅପହରଣ ପରେ କେଉଁ ସ୍ଥାନକୁ ନେଇ ଟଙ୍କା ମାଗିବେ, କିଏ ଯିବେ ପଇସା ନେବାକୁ- ତା’ର ଯୋଜନା କରିଥିଲେ।

ଯୋଜନା ପ୍ରକାରେ ୧୫ ତାରିଖ ସନ୍ଧ୍ୟା ୬ଟା ୪୦ରୁ ୬ଟା ୪୫ ମଧ୍ୟରେ ଅଭିଯୁକ୍ତମାନେ ଏକ ବୋଲେରୋ ଗାଡିରେ ସୁଧୀରଙ୍କୁ ଅପହରଣ କରିଥିଲେ। ବାଟରେ ଗାଡି ଖରାପ ହେବାରୁ ଆଉ ଏକ ଗାଡିରେ ସୁଧୀରଙ୍କୁ ନେଇଥିଲେ। ସେମାନେ ସୁଧୀରଙ୍କୁ ବାଲିଗୁଡା ଅଂଚଳର ରାମପାଦ ମନ୍ଦିର ନିକଟକୁ ନେଇଥିଲେ। ଅଭିଯୁକ୍ତମାନେ ତା’ ମଧ୍ୟରେ ମଦ ଓ ଖାଇବା ଜିନିଷ କିଣିଥିଲେ। ଖିଆପିଆ କଲା ପରେ ସେମାନେ ସୁଧୀର ପାତ୍ରଙ୍କୁ ପିଟିଥିଲେ। ସେଠାରୁ ସେମାନେ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଟଙ୍କା ମଧ୍ୟ ମାଗିଥିଲେ। ଅଭିଯୁକ୍ତମାନେ ସୁଧୀରଙ୍କୁ ନିସ୍ତୁକ ପିଟିଥିଲେ। ତେଣୁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ସେତେବେଳକୁ ୧୬ ତାରିଖ ଭୋର ହୋଇଯାଇଥିଲା। ସେମାନେ ସୁଧୀରଙ୍କ ମୃତଦେହକୁ ନେଇ ସୋରଡା ଥାନା ଅଂଚଳରେ ଜଙ୍ଗଲରେ ପକାଇ ଦେଇଥିଲେ। ତା’ପରେ ସେମାନେ ବାଲିଗୁଡାରୁ ଛତିଶଗଡ ଦେଇ ଫେରାର ହୋଇଯାଇଥିଲେ।

ଗତ ୧୫ ତାରିଖରୁ ନିଖୋଜ ଥିଲେ ସୁଧୀର ପାତ୍ର। ସେହିଦିନ ସନ୍ଧ୍ୟାରେ ସେ ଭଲି ବଲ୍‌ ଖେଳିବା ପରେ ଡୁରାସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଉଥିବା ବେଳେ ଡିଫେନ୍ସ କୋଲନୀ ଅଂଚଳରୁ ତାଙ୍କୁ ଅପହରଣ କରାଯାଇଥିଲା। ଗତକାଲି ତାଙ୍କ ଗଳିତ ମୃତଦେହ ସୋରଡା ଥାନା ଅନ୍ତର୍ଗତ ରାଶି ପଙ୍କାଳ ଜଙ୍ଗଲରୁ ମିଳିଥିଲା।
ସୂଚନାଯୋଗ୍ୟ, ଏହା ଭିତରେ ଏକ ଛାତି ଥରା ଭିଡିଓ ସାମ୍ନାକୁ ଆସୁଛି। ଅଭିଯୁକ୍ତମାନେ ସୁଧୀର ପାତ୍ରଙ୍କୁ ନିସ୍ତୁକ ମାଡ ମାରୁଥିବା ବେଳେ ତାଙ୍କୁ ମାରି ଦେବା ପାଇଁ ବିକଳ ହୋଇ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।