କଟକ: ଡେଂଟାଲ୍ ସର୍ଜନ୍ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ମାମଲାରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ କରି ଦାୟର ଅଦାଲତ ଅବମାନନା ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ହାଇକୋର୍ଟ ଅଦାଲତ ଅବମାନନା ମାମଲାରେ ପ୍ରତିପକ୍ଷ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଓଡିଶା ଲୋକସେବା ଆୟୋଗ ସଚିବ ଓ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।
ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ ଚିତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଡାକ୍ତର ସଞ୍ଜୟ କୁମାର ପଣ୍ଡାଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରତିପକ୍ଷଙ୍କୁ ପୁଲିସ ମାମଲାର ନୋଟିସ ପ୍ରଦାନ କରିବ। ଏହି ନିର୍ଦ୍ଦେଶ ଅନୁପାଳନ ରିପୋର୍ଟ ଇ-ମେଲ ମାଧ୍ୟମରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ପୁଲିସ ଦାଖଲ କରିବ। କୋର୍ଟଙ୍କ ଆଦେଶକୁ ଅବମାନନା କରିବା ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଅଦାଲତ ଅବମାନନା ଆଇନ, ୧୯୭୧ ଅନୁଯାୟୀ କାରାଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ମାମଲାର ପରବର୍ତୀ ଶୁଣାଣି ମେ’ ୧୨କୁ ଧାର୍ଯ୍ୟ କରାଯାଇଛି।
୨୦୧୭-୧୮ରେ ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଡେଂଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ମେଧାବୀଙ୍କୁ ଉପେକ୍ଷା କରାଯାଇଥିବା ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଥିଲେ। ଦୁଇ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ ସପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪, ଫେବ୍ରୁଆରି ୨୩ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ଓପିଏସସି ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲା।
ହାଇକୋର୍ଟ ୨୦୨୬, ଫେବ୍ରୁଆରି ୨୫ରେ ରିଟ୍ ଅପିଲର ରାୟ ପ୍ରକାଶ କରିଥିଲେ। ଏହି ଘଟଣାରେ ତ୍ରୁଟି କରିଥିବା ଅଧିକାରୀଙ୍କ ଉତରଦାୟିତ୍ୱ ଧାର୍ଯ୍ୟ କରାଯିବା ଉଚିତ ବୋଲି ହାଇକୋର୍ଟ କହିଥିଲେ। ତ୍ରୁଟି କରିଥିବା ଅଧିକାରୀଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଉଦାହରଣୀୟ ବିଧିମୂଳକ ବ୍ୟୟ (କଷ୍ଟ୍) ଭରଣା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ସଚିବଙ୍କ ତଦାରଖରେ ଉପଯୁକ୍ତ ତଦନ୍ତ କରାଯିବ ବୋଲି ହାଇକୋର୍ଟ କହିଥିଲେ। ଏଥି ସହିତ ନିଯୁକ୍ତି ପ୍ରକ୍ରିୟାରେ ସଫଳତାର ସହିତ ଅଂଶଗ୍ରହଣ କରି ନିଯୁକ୍ତି ପାଇଁ ଆଶାୟୀ ଥିବା ଦୁଇ ପ୍ରତିପକ୍ଷଙ୍କୁ ଖାଲି ଥିବା ଡେଂଟାଲ ସର୍ଜନ ପଦରେ ନିଯୁକ୍ତି ଦେବା ସପକ୍ଷରେ ହାଇକୋର୍ଟ ରାୟ ଦେଇଥିଲେ। ଏହି ରାୟ କାର୍ଯ୍ୟକାରୀ ନ ହେବାରୁ ମୂଳ ଆବେଦନକାରୀ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି।