ପ୍ଲଟ୍ ବ୍ୟବସାୟୀ ହତ୍ୟା ମାମଲା: କ୍ରାଇମ୍ ସ୍ପଟ୍ରେ ସିନ୍ ରିକ୍ରିଏସନ୍
ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ….
ଭୁବନେଶ୍ୱର: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସ୍ପଟ୍ରେ ସିନ୍ ରିକ୍ରିଏସନ୍ କରିଛି। ୩ ଦିନିଆ ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତକୁ ନେଇ ପୁଲିସ ତନାଘନା କରୁଛି। ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି ସେହି ପଡ଼ିଆକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା। ଭାବିନାରାୟଣପୁର ସ୍ଥିତ ଭଲିବଲ ପଡ଼ିଆକୁ ନେଇ ପୁଲିସ ଛାନଭିନ୍ କରିଥିଲା।
କେଉଁ ସ୍ଥାନରୁ ସୁଧୀରଙ୍କୁ ଅପହରଣ କଲେ, ଅପହରଣ ପରେ କେଉଁ ସ୍ଥାନକୁ ନେଇ ପିଟି ମାରିଥିଲେ ହତ୍ୟାକାରୀ ସେସବୁର ଡେମୋ ଦେଖାଇଛନ୍ତି। ସୁଧୀରଙ୍କୁ ହତ୍ୟା ବେଳର ବର୍ବରତା ସମସ୍ତଙ୍କୁ ବିଚଳିତ କରିଛି। ସୂଚନାନୁଯାୟୀ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ। ତାଙ୍କୁ ବୁଗୁଡା ନିଆଯାଇଥିଲା। ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗି ଦିଆଯାଇଥିଲା। ହତ୍ୟା ଅଭିଯୋଗରେ ସୁଧୀରଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ଝିଆରୀ ନିବେଦିତା ପାତ୍ର, ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ପୁତୁରା ତୁଷାର, ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ (୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡା ବି. ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡା ଗାଁର ଶୁଭମ୍ ନାୟକ (୨୦) ଓ ପୁନରାଖଣ୍ଡି ଗାଁର ଗେଡୁ ଓରଫ୍ ଶୁଭମ ଗୌଡ(୨୦)।
ପୁଲିସ ଗୁରୁବାର ୯ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ସେମାନେ ଏବେ ବ୍ରହ୍ମପୁର ଜେଲ୍ ହାଜତରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଛି।ମୁଖ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ, କାଳୁ ଚରଣ ପ୍ରଧାନ, ଜିତୁନ୍ ପଲେଇ, ଆଶିଷ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ମିଳିଛି। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଆଉ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।