‘ମହିଳା ସଂରକ୍ଷଣ ବିଲ୍’କୁ କେନ୍ଦ୍ର କରି ଶାସକ ବିରୋଧୀ ତୁ ତୁ ମେଁ ମେଁ
ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କରି ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ …..
ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କରି ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଛନ୍ତି। ବିଜେଡି କହିଛି , ‘ବିଜେପି ସରକାର କାହାରିକୁ ନ ଜଣାଇ ଏପରି ବିଲ୍ ଆଣିଛନ୍ତି। ଏହା ବିଜେପିର ଏକ ଲଲିପପ ଥିଲା। ଆମକୁ ୫୪୩ରେ ୩୩ ପ୍ରତିଶତ ସଂରକ୍ଷଣ କଥା କୁହାଯାଇଥିଲା। ଏବେ ଜନ ଗଣନା ସରିନି କାହିଁକି ଏ କଥା କରୁଛନ୍ତି। ବିଜେଡି ମତରେ ଲୋକଙ୍କୁ ଠକିବା ପାଇଁ ବିଜେପି ଏପରି କରୁଛି। କିଛି ରାଜ୍ୟରେ ନିର୍ବାଚନ ଥିବାରୁ ବିଜେପି ଛଳନା କରୁଥିବା କଥା କହିଛି ବିଜେଡି। କାହାକୁ ପଚାରି ୮୩୦ ସିଟ୍ କଲେ ବୋଲି ବିଜେଡିର ପ୍ରମୁଖ ନେତ୍ରୀ ସୁଲତା ଦେଓ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜେପି ଯୁକ୍ତି ହାସ୍ୟାସ୍ପଦ। ଆପଣ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି। ଖାଲି ପ୍ରଚାର କରୁଛନ୍ତି।’
୨୦୨୩ରେ ଏହି ବିଲ୍ ଆସିଲା ବେଳେ ସବୁ ଦଳ ସମର୍ଥନ କଲେ। ଏବେ ଦେଶକୁ ଅନ୍ଧାରରେ ରଖି ଡିଲିମିଟେସନ ଓ ଆସନ ବଢାଇବାକୁ ଷଡ଼ଯନ୍ତ୍ର କରାଯାଉଛି। ମହିଳାଙ୍କୁ ଢାଲ କରି ଏହା କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପି ଉପରେ ଅଭିଯୋଗ ଆଣିଛି ବିଜେଡି। ବିଜେପି ୨୦୨୯ ନିର୍ବାଚନ ଜିତିବାକୁ ଏପରି କରାଯାଇଛି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରତିକ୍ରିୟା ରଖିଛି। ପ୍ରକୃତ ମହିଳାଙ୍କ କଥା ବିଜୁବାବୁ ଓ ନବୀନ ପଟ୍ଟନାୟକ ବୁଝିଛନ୍ତି।
ବିରୋଧୀ ବିଜେଡିର ପ୍ରତିକ୍ରିୟାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମହିଳା ସଂରକ୍ଷଣ ବିଲଙ୍କୁ ନେଇ ବିଧାନସଭାରୁ ପଂଚାୟତ ପର୍ଯ୍ୟନ୍ତ ନିନ୍ଦା ପ୍ରସ୍ତାବ ବିଜେପି ପାରିତ କରିବ ବୋଲି କହିଛନ୍ତି ମନମୋହନ। ବିଜେପି ବିଧାନସଭାରୁ ସାମାଜିକ ଅନୁଷ୍ଠାନ ପର୍ଯ୍ୟନ୍ତ ଏହା ଉପରେ ଆଲୋଚନା କରିବ। ସବୁଠି ନିନ୍ଦା ପ୍ରସ୍ତାବ ପାରିତ ହେବ। ପଂଚାୟତ, ବ୍ଳକ, ଜିଲ୍ଲା ପରିଷଦ, ଗ୍ରାମ ସଭା ପର୍ଯ୍ୟନ୍ତ ନିନ୍ଦା ପ୍ରସ୍ତାବ ପାରିତ ହେବ। ବିରୋଧୀ ହୀନ ଚକ୍ରାନ୍ତ କରି ମହିଳାଙ୍କୁ ତାଙ୍କ ଅଧିକାରରୁ ବଂଚିତ କରିଛନ୍ତି, ଏହା ବିରୋଧୀଙ୍କୁ ମହଙ୍ଗା ପଡିବ; କହିଛନ୍ତି ରାଜ୍ୟ ବିଜେପି ସଭାପତି।