ପୁରୀ: ମାସ ସରିବାକୁ ବସିଲାଣି, ହେଲେ ଦରମା ମିଳିନି। ଏଣେ ପୁରୀ ମହାନଗର ନିଗମ (ପିଏମସି) ମୁଖିଆ କହିଲେଣି ପୁରୀରେ ଭୁବନେଶ୍ୱର ଭଳି ଦୁଇ ଥର ସଫା ହବ। ଆନ୍ତର୍ଜାତିକ ପର୍ଯ୍ୟଟନ ସହରକୁ ସ୍ୱଚ୍ଛ ରଖିବାକୁ ହେଲେ ଏଥର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସଫା କରିବାକୁ ହେବ ବୋଲି ପିଏମ୍ସି କମିସନର ଅରୁଗୁଳା ସ୍ନେହା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହାକୁ ନେଇ ସଫେଇ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ୫୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ ପିଏମ୍ସି ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ କରିଛନ୍ତି।
ପୌରସଂସ୍ଥା ଅଧୀନରେ ଥିବା ପୁରୀରେ ୪୧୭ ଜଣ ସଫେଇ କର୍ମଚାରୀ ରହିଛନ୍ତି। ସେଥିମଧ୍ୟରୁ ସ୍ଥାୟୀ କର୍ମଚାରୀ ୩୦ ଜଣ ରହିଥିବା ବେଳେ ୩୮୭ ଜଣ ଠିକା ଭାବେ କାମ କରନ୍ତି। ସେମାନଙ୍କ ପାଇଁ ‘କାମ ନାହିଁ ତ ଦରମା ନାହିଁ’। ପୂର୍ବରୁ ସଫେଇ କର୍ମଚାରୀ ୪୬୪ ଜଣ ରହିଥିବା ବେଳେ ତାହା ବର୍ତମାନ ୪୧୭ରେ ପହଂଚିଛି। ଗାଡିଖାନା, ମାର୍କେଟଛକ, ଆଇଟିଆଇ ଛକ, ନରେନ୍ଦ୍ର ପୁଷ୍କରିଣୀ, ବସଷ୍ଟାଣ୍ଡ ଓ ଦାମୋଦର ଛକ ଏଭଳି ୭ ଭାଗରେ ବିଭକ୍ତ କରାଯାଇ ସହରକୁ ସଫେଇ କରାଯାଉଛି।
ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି କି, ଖାଲି ପଦବୀ ପୂରଣ ହେଉନି। ହେଲେ କାମ ବଢି ବଢି ଚାଲିଛି ବୋଲି ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଗତ ମାସର ଦରମା ଏ ପର୍ଯ୍ୟନ୍ତ ମିଳିନାହିଁ। ସେମାନଙ୍କ ପାଇଁ ବିଶ୍ରାମସ୍ଥଳୀ ନାହିଁ। ଠିକା ପ୍ରଥା ସେମାନଙ୍କ ପାଇଁ ବଡ଼ ଅଭିଶାପ ସାଜିଛି। ପୂର୍ବରୁ ଭୋର ୪ଟା ରୁ ସକାଳ ୮ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିବା ବେଳେ ଏବେ କୁହାଯାଇଛି ସକାଳ ୬ଟାରୁ ୨ ଘଟିକା ପର୍ଯ୍ୟନ୍ତ କାମକରିବାକୁ ପଡିବ। କିନ୍ତୁ ସେଇ ଦରମାରେ।
ଏ ନେଇ କର୍ମଚାରୀମାନେ ପୁରୀ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପୁରୀ ମ୍ୟୁନିସିପାଲ ଶ୍ରମିକ ୟୁନିୟନ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଛି। ବଜାରରେ ଦର ବୃଦ୍ଧି ଦେଖି ସର୍ବନିମ୍ନ ମଜୁରୀ ୮୦୦ ଟଙ୍କାକୁ ବୃଦ୍ଧି କରିବା, କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସମସ୍ତଙ୍କୁ ତୁରନ୍ତ ପ୍ରଦାନ କରିବା, ପରିମଳ କର୍ମଚାରୀଙ୍କୁ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବା, ଉପସ୍ଥାନ ପାଇଁ ମୋବାଇଲ ଫଟୋ ପରିବର୍ତେ ପିଙ୍ଗରପ୍ରିଂଟ୍ ନେବା, ୨ ବେଳା କାମ ପରିବର୍ତେ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅନୁମତି ଦେବା ଆଦି ଦାବି ରହିଛି। ଏହି ଦାବିକୁ ନେଇ ସୋମବାର ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଂଘ ସମ୍ପାଦକ ଟୁନା ନାୟକ କହିଛନ୍ତି।
ସଫେଇ କର୍ମଚାରୀ ଭବାନୀ ଦେଈ କହିଛନ୍ତି, ଆମେ ପୂର୍ବରୁ ୪ ଘଂଟା କାମ କରୁଥିଲୁ। ବର୍ତମାନ ୮ ଘଂଟା କାମ କରିବାକୁ କୁହାଯାଉଛି। ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ କେମିତି ଖଟିବୁ। ଅଧିକା ପଇସା ନଦେଲେ ଚଳିବା କଷ୍ଟ ହୋଇଯିବ। ବାବୁମାନଙ୍କୁ ଅନୁରୋଧ ପୂର୍ବରୁ ଯେମିତି କାମ କରିଥିଲୁ ଆମକୁ ସେହି ଅନୁଯାୟୀ କାମ କରିବାକୁ ଦିଆଯାଉ କିମ୍ବା ଅଧିକା ଦରମା ଦିଆଯାଉ।
ସବିତା ଦେଇ କହିଛନ୍ତି, ଆମେ ଗଧ ପରି ଖଟୁଛୁ। ସେହି ଅନୁଯାୟୀ ପାରିଶ୍ରମିକ ମିଳୁନି। ସକାଳୁ ଆମ ପରିବାର ଛାଡିକି ଆସୁଛୁ। ଯଦି ୨ଟାରେ ଘରକୁ ଯିବୁ ରୋଷେଇ କରିବୁ କେତେବେଳେ ଆମ ଛୋଟ ଛୁଆ ଖାଇବେ କ’ଣ? ଯଦି ଆମକୁ ପୂର୍ବପରି କାମ କରିବାକୁ ନ ଦିଅନ୍ତି ତାହାହେଲେ ବାଧ୍ୟ ହେବୁ କାମ ଛାଡିବାକୁ। ସକିନା ନାୟକ କହିଛନ୍ତି, ଆମେ ସହରକୁ ସଫା କରିବା ପାଇଁ ମୁଖ୍ୟ ଭୂମିକା ନେଉଥିଲେ ମଧ୍ୟ ଆମ ପାଇଁ କିଛି ସୁବିଧା ଦିଆଯାଉନାହିଁ। ଏବେ ପ୍ରବଳ ଖରା ହେଲାଣି ଖରାରେ କେମିତି ଖଟିବୁ। ଆମ ପେଟକୁ ଆମ ସ୍ୱାସ୍ଥ୍ୟକୁ ଚିହ୍ନୁନାହାନ୍ତି। ତାଙ୍କର କେବଳ କାମ ଦରକାର। ଆମର ଇଫିଏପ୍ ମେଡିକାଲ ସୁବିଧା ନାହିଁ । ବହୁତ କଷ୍ଟରେ କାମ କରିବାକୁ ପଡୁଛି। ରିଲୁ ଗୋଛାୟତ କହିଛନ୍ତି, ବର୍ଷା ଶୀତ କାକରରେ ଆମେ ସକାଳୁ ଆସୁଛୁ କାମ କରୁଛୁ।