ଜମାଟଙ୍କା ପାଇବା ଆଶା: ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ଭାଇ

ଜଣେ ଗରିବ ଲୋକ ପାଇଁ ସାମାନ୍ୟ କିଛି ଟଙ୍କାର ଗୁରୁତ୍ୱ ଯଥେଷ୍ଟ ଅଧିକ। ….

ପାଟଣା: ଜଣେ ଗରିବ ଲୋକ ପାଇଁ ସାମାନ୍ୟ କିଛି ଟଙ୍କାର ଗୁରୁତ୍ୱ ଯଥେଷ୍ଟ ଅଧିକ। ବଂଚିବା ପାଇଁ ଟଙ୍କାର ଆବଶ୍ୟକତା ଜରୁରୀ। ପରିଣତ ବୟସରେ ଭାଇଟିଏ ଭଉଣୀର କଙ୍କାଳକୁ ଧରି ବ୍ୟାଙ୍କରେ ପହଂଚିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ମାତ୍ର ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସଂପୃକ୍ତ ବ୍ୟକ୍ତିଙ୍କୁ ଏପରି କରିବାକୁ ବାଧ୍ୟ କରିଛି। ଦୁଇମାସ ପୂର୍ବେ ଆଖି ବୁଜିଥିବା ଭଉଣୀର ଗଳିତ ଶବକୁ କାନ୍ଧରେ ବୋହି ଧୁ ଧୁ ଖରାରେ ପ୍ରାୟ ୩ କିଲୋମିଟର ଚାଲିବା ଆଦୌ ନାଟକବାଜି ହୋଇ ନପାରେ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଅନ୍ତର୍ଗତ ମଲ୍ଲୀପସିସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ପାଟଣା ବ୍ଳକ ଅନ୍ତର୍ଗତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା। ମୃତ ଭଉଣୀ କଲରା ମୁଣ୍ଡାଙ୍କ ନାମରେ ୧୯ ହଜାର ୩ ଶହ ଟଙ୍କା ଏହି ବ୍ୟାଙ୍କରେ ଜମା ଥିଲା। ସୋମବାର, ଏହି ଟଙ୍କା ନେବାକୁ ତାଙ୍କ ଭାଇ ଜିତୁ ଆଜି ବ୍ୟାଙ୍କକୁ ଆସିଥିଲେ। ଯାହା ନାମରେ ଟଙ୍କା ଅଛି ସେ ନ ଆସିଲେ ଟଙ୍କା ଦିଆଯାଇ ପାରିବ ନାହିଁ ବୋଲି ବ୍ୟାଙ୍କର ଶାଖା ପରିଚାଳକ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତରାଧିକାରୀଙ୍କୁ ନେଇକି ଆସ ବୋଲି ବ୍ୟାଙ୍କ ଅଧିକାରୀ କହିଥିଲେ। ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନଘାଟରେ ପୋତା ଯାଇଥିବା ଭଉଣୀର କଙ୍କାଳକୁ ଖୋଳିଥିଲେ ଓ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ପହଂଚିଥିଲେ। କଙ୍କାଳକୁ ବ୍ୟାଙ୍କ ବାରଣ୍ଡାରେ ରଖି ଜମା ଟଙ୍କା ଦେବାକୁ ଦାବି କରିଥିଲେ।

ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ଅନେକ ବ୍ୟାଙ୍କ କର୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଛନ୍ତି। ବ୍ୟାଙ୍କ୍‌ କର୍ମଚାରୀଙ୍କ ଠାରୁ ସୂଚନା ପାଇ ପାଟଣା ପୁଲିସ ପହଂଚି ଜିତୁକୁ ବୁଝାସୁ୍‌ଝା କରିଥିଲା। ସୂଚନାଯୋଗ୍ୟ, କଲରା ମୁଣ୍ଡା କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଓ ଏକମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହାପରେ କଲରାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। କଲରାଙ୍କର ନିକଟ ସମ୍ପର୍କୀୟ ବୋଇଲେ, ଜିତୁ ହିଁ ଏକମାତ୍ର ବ୍ୟକ୍ତି ଥିଲେ। ଏହି କଥାଟିକୁ ବ୍ୟାଙ୍କ ବିଶ୍ୱାସ କରିବାକୁ ନାରାଜ।