ନୂତନ ଜ୍ଞାନକୌଶଳ ବିକଶିତ ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ରଖିବା ଆବଶ୍ୟକ

ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି….

ଭୁବନେଶ୍ୱର: ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ “ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଙ୍ଗ ଟେକନୋଲୋଜିସ୍‌- ସିକ୍ୟୁରିଙ୍ଗ ଟୁମୋରୋଜ ଇଂଟେଲିଜେଂଟ ସିଷ୍ଟମ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବୁଧବାର ଅତିଥି ଭାବେ ଯୋଗଦେଇ ଓଡିଶା ସିଆଇଡି-କ୍ରାଇମ୍‌ ବ୍ରାଂଚର ନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର କହିଥିଲେ ଯେ ନୂତନ ଜ୍ଞାନକୌଶଳ ବିକଶିତ କରିବା ସମୟରେ ସୁରକ୍ଷା ଦିଗକୁ ଯେଭଳି ସୁଦୃଢ଼ କରାଯିବ ସେଥି ନିମନ୍ତେ ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକତା ରହିଛି। ଆର୍ଟିଫିସିଆଲ୍‌ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଯେତେବେଳେ କୌଣସି ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୁଏ ସେତେବେଳେ ମୂଳ ପ୍ରଶ୍ନ ଥାଏ ଏହାକୁ ବିକାଶ କରିଥିବା ସଂସ୍ଥା ଏହାର ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ଉପରେ ଅନୁଶୀଳନ କରିଛନ୍ତି ନା ନାହିଁ। ସାଇବର ଅପରାଧ ମାଧ୍ୟମରେ ଗୋଟିଏ ବର୍ଷ ମଧ୍ୟରେ ୨୨ ହଜାର କୋଟି ଟଙ୍କା ଲୁଟ୍‌ ହୋଇଛି ବୋଲି କହିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ଯେଉଁ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କମ୍ପାନୀଗୁଡିକ ନୂତନ ଜ୍ଞାନକୌଶଳର ଆରମ୍ଭ କରୁଛନ୍ତି ସେମାନେ ତାଙ୍କ ଲାଭାଂଶରୁ କିଛି ଅଂଶ ଅପରାଧ ନିୟନ୍ତ୍ରଣ ଏବଂ ବୈଷୟିକ ସମସ୍ୟାଗୁଡିକୁ ସମାଧାନ କରିବା ଦିଗରେ ଖର୍ଚ୍ଚ କରିବା ଆବଶ୍ୟକ।

ଗବେଷକମାନେ ଏଭଳି ସମସ୍ୟାର ସମାଧାନର ବାଟ ଖୋଜିବାକୁ ଅନୁରୋଧ କରିଥିଲେ। ବୁଦ୍ଧି, ଦକ୍ଷତା ଓ କିଛି ନୂଆ କରିବାର ଇଚ୍ଛା ରଖିବା ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି। ଜ୍ଞାନକୌଶଳ ସଶକ୍ତ କରାଏ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

ତେବେ ସୁରକ୍ଷିତ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡାଟା ସିକ୍ୟୁରିଟି କାଉନସିଲ୍‌ ଅଫ ଇଣ୍ଡିଆର ସିଇଓ ବିନାୟକ ଗଡସେ, ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍‌ ସେକ୍‌ରେଟାରୀଏଟ୍‌, ପିଏମଓର ପୂର୍ବତନ ଅଧିକାରୀ ଲେଫ୍ଟନାଂଟ ଜେନେରାଲ୍‌ ଏମ.ୟୁ. ନାୟାର, ଇଂଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ଜେନେଭା ପକ୍ଷରୁ କିଶୋର ନାରଙ୍ଗ, ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆର ବରିଷ୍ଠ ଉପଦେଷ୍ଟା ବିକ୍ରମ ତିୱାଥିଆ ଓ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଏନ.କେ. ଗୋୟଲ ମଧ୍ୟ ବକ୍ତବ୍ୟ ରଖିଥିଲେ।