ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମ ପଂଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଜନୈକ ଗରିବ ଚାଷୀ ଭଗବାନ ନାୟକଙ୍କ ପୁତ୍ର ନାରାୟଣ (୪୯)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ନାରାୟଣ ଗୁରୁବାର ଭୋର ସାଢେ ପାଂଚଟା ସମୟରେ ଏକ ଝୁଡ଼ିରେ ଖତ ନେଇ ନିଜ ବିଲରେ ପକାଇବାକୁ ଯାଇଥିଲେ। ବିଲରୁ ଫେରିବା ସମୟରେ ଅଦିନିଆ କାଳବୈଶାଖୀ ମାଡ଼ିଆସିଲା। ବିଜୁଳି ଘଡଘଡି ମାରିବା ଦାରା ଉକ୍ତ ବଜ୍ରପାତରେ ନାରାୟଣ ଟଳି ପଡ଼ିଥିଲେ। ସେହି ବାଟ ଦେଇ ଗ୍ରାମର କିଛି ପିଲା ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ତାଙ୍କୁ ତଳେ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ଫେରି ଆସି ଗ୍ରାମରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଘଟଣାସ୍ଥଳକୁ ଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଗଣିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ପଠାଇଥିବା ପରିବାରଙ୍କ ପକ୍ଷରୁ ସୂଚନା ମିଳିଛି। ମୃତ ଚାଷୀ ଜଣକ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ପରିବାର ଲୋକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଜଣାଯାଇଛି।
ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ତହସିଲ, ବ୍ଲକ ଓ ଜିଲା ପ୍ରଶାସନକୁ ଦାବି କରିବା ସହିତ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।