ନିକଟରେ ଭାରତର ୫ଟି ମୁଖ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେଲା। ନିର୍ବାଚନ ଚାଲିଥିବା ସମୟରେ ହଠାତ୍ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିର ନେତା ଅମିତ ଶାହ ଏକ ସଭାରେ ଉଚ୍ଚସ୍ୱରରେ ଘୋଷଣା କଲେ ଆମେ ପୂର୍ବ ଭାରତର ଅଙ୍ଗ ଓ କଳିଙ୍ଗ ଦଖଲ କରିସାରିଛୁ। ଏବେ ବଙ୍ଗ ଦଖଲ କରିବୁ । ପୂର୍ବ ଭାରତରେ ଥିବା ରାଜ୍ୟମାନଙ୍କ ଭିତରେ ଆସାମର ଐତିହାସିକ ପରିଚୟ ହେଉଛି, ଏହା ଏକଦା ଅଙ୍ଗ ରାଜ୍ୟ ଥିଲା। ଓଡିଶାର ଐତିହାସିକ ପରିଚୟ ଏହି ରାଜ୍ୟ କଳିଙ୍ଗ ଥିଲା। ସେହିପରି ବର୍ତମାନ ଯାହାକୁ ଭାରତର ନକ୍ସା ବଙ୍ଗଳାର ପରିଚୟ ଦେଇଛି ସେହି ଭୂଖଣ୍ଡର ପୁରୁଣା ପରିଚୟ ହେଉଛି ବଙ୍ଗ। ଗତ କିଛି ବର୍ଷ ଧରି ଭାରତବର୍ଷର କେନ୍ଦ୍ର ଶାସନ ଭାରତୀୟ ଜନତା ପାର୍ଟି ହାତକୁ ଯାଇଛି ଓ ଅନେକ ରାଜ୍ୟ ଭାରତୀୟ ଜନତା ପାର୍ଟିର ଶାସନାଧୀନ ଥିଲା। ମାତ୍ର ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ତାର କ୍ଷମତା ପାଦ ଥାପି ପାରି ନଥିଲା। ଏହି ରାଜ୍ୟରେ ଦୀର୍ଘ ଦିନଧରି ସାମ୍ୟବାଦୀମାନଙ୍କର ମିଳିତ ମଂଚ ଶାସନ କରୁଥିଲା। ଏହି ମଂଚର ମୁଖ୍ୟ ଥିଲେ ମାର୍କ୍ସବାସୀ ଓ ଅନ୍ୟାନ୍ୟ ବାମପନ୍ଥୀ ଦଳ। ଏହାର ନେତା ଜ୍ୟୋତି ବସୁ ଦୀର୍ଘ ଦିନଧରି ରାଜ୍ୟରେ ଥିବା ସମସ୍ତ ଛୋଟ ବଡ ସାମ୍ୟବାଦୀ ଦଳମାନଙ୍କୁ ଏକତ୍ରିତ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶାସନ, ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ରଖିଥିଲେ। ସେହି ଦଳ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଅଧିକ ସଂଖ୍ୟକ ପ୍ରତିନିଧି ନିଜ ସପକ୍ଷରେ ଆଣି ଗଠବନ୍ଧନର ନେତୃତ୍ୱ ନେଇଥିଲା। ଏଥିସହିତ ଅନ୍ୟ ଯେଉଁସବୁ ଦଳ ଏକତ୍ରିତ ହୋଇଥିଲେ ସମସ୍ତେ ପ୍ରାୟତଃ ସମଭାବସମ୍ପନ୍ନ। ପଶ୍ଚିମବଙ୍ଗରେ ଏହି ଗଠବନ୍ଧନ ଦଳ ଦେଶରେ କ୍ଷମତାସୀନ କଂଗ୍ରେସ ପାର୍ଟିକୁ ବାରମ୍ବାର ପରାଜିତ କରି ପଶ୍ଚିମବଙ୍ଗରେ କ୍ଷମତା ହାତେଇଥିଲା ଏବଂ କଂଗ୍ରେସ ଦଳରେ ଗତ ଶତାବ୍ଦୀର ଶେଷ ଭାଗରେ ଏକ ବିରାଟ ବିଭାଜନ ହେଲା। ସେହି ବିଭାଜନ ସମୟରେ ୧୯୯୮ରେ ଜଣେ ଯୁବ ନେତୃତ୍ୱର ଅଭ୍ୟୁଦୟ ଘଟିଲା। ସେହି ଯୁବ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀ ଥିଲେ।
ସେ ଭାରତୀୟ ଜାତୀୟ କଂଗ୍ରେସ ଠାରୁ ଅଲଗା ହୋଇ ୧୯୯୮ ମସିହା ଜାନୁୟାରୀ ୧ ତାରିଖରେ ତୃଣମୂଳ କଂଗ୍ରେସ ଗଠନ କଲେ। ଯେଉଁ ରାଜ୍ୟରେ କଂଗ୍ରେସର ମୂଳଭିତି ପଡିଥିଲା ଓ କାଳକ୍ରମେ ସୁଦୃଢ଼ ହୋଇଥିଲା ଏବଂ ଜାତୀୟ ସଂଗ୍ରାମର ମୁଖ୍ୟ ନାୟକମାନେ ଜନ୍ମ ନେଇଥିଲେ, ସେହି ରାଜ୍ୟରେ ତୃଣମୂଳ କଂଗ୍ରେସ ଜନ୍ମଦେଲା। ଔପନିବେଶୀୟ ବ୍ରିଟିଶ ଶାସନ ବିରୋଧରେ ବଙ୍ଗଳା ହିଁ ସଂଗ୍ରାମର ମୁଖ୍ୟ ନେତୃତ୍ୱ ନେଇଥିଲା।
ସେହି ପଶ୍ଚିମବଙ୍ଗରେ ପୁରୁଖା ନେତା ସିଦ୍ଧାର୍ଥ ଶଙ୍କର ରାୟ, ଅତୁଲ୍ୟ ବୋଷ, ପ୍ରଣବ ମୁଖାର୍ଜୀ ପ୍ରମୁଖଙ୍କୁ ମୁଖ୍ୟ ଜନସ୍ରୋତରୁ ପଛକୁ ଠେଲି ଜଣେ ଅତ୍ୟନ୍ତ ପରିଶ୍ରମୀ, ଚତୁର, ନିରଳସ କଂଗ୍ରେସର ତୃଣମୂଳ ଯୁବନେତ୍ରୀ ମମତା ବାନାର୍ଜୀ ତଳସ୍ତରର (ତୃଣମୂଳ) ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଏକତ୍ରିତ କରି କଂଗ୍ରେସର ଉଚ୍ଚ ନେତୃବର୍ଗଙ୍କ ବିରୋଧରେ ସ୍ୱର ଉତୋଳନ କଲେ । ଅବଶ୍ୟ ୧୯୬୭ ମସିହାରେ ପଶ୍ଚିମବଙ୍ଗରେ କଂଗ୍ରେସରୁ ବିଭାଜନ ହୋଇ ‘ବଙ୍ଗଳା କଂଗ୍ରେସ’ ଗଠିତ ହୋଇଥିଲା ।
ତେବେ ତାହା ଉଚ୍ଚସ୍ତରର ଥିବା ନେତୃତ୍ୱ କନ୍ଦଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁଖ୍ୟତଃ ଲଢେ଼ଇ ଥିଲା। ମାତ୍ର ମମତା ବାନାର୍ଜୀ ଉଚ୍ଚସ୍ତରରେ ଥିବା ନେତା ଓ ତଳସ୍ତରରେ ଥିବା କର୍ମୀମାନଙ୍କ ଭିତରେ ସଂଘର୍ଷର ସୂତ୍ରପାତ କଲେ ଓ ପ୍ରାୟତଃ ସମସ୍ତ ତଳସ୍ତରର କଂଗ୍ରେସର କର୍ମୀମାନଙ୍କୁ ଏହି ଦଳରେ ଏକତ୍ରିତ କରି ଅନେକ ସ୍ଥାନରେ ପ୍ରତିନିଧିତ୍ୱ ହାସଲ କରିବାରେ ସଫଳ ହେଲେ।
ତୃଣମୂଳ କଂଗ୍ରେସ ରାଜ୍ୟରେ ସମସ୍ତ କଂଗ୍ରେସର କର୍ମୀମାନଙ୍କୁ ସଫଳତାର ସହିତ ଏକତ୍ରିତ କରି ଆଗକୁ ଯାତ୍ରା କଲାବେଳେ ଦେଶର ଅନେକ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏବଂ ଦେଶରେ ଥିବା ସେହି ନେତାମାନେ କେନ୍ଦ୍ରରେ ହେଉ ଅବା ରାଜ୍ୟରେ ହେଉ ସରକାର ଗଠନ ପାଇଁ ମମତାଙ୍କର ସାହାଯ୍ୟ ଲୋଡିଥିଲେ। କେନ୍ଦ୍ରୀୟ ନେତାମାନଙ୍କ ଭିତରେ ବିଶେଷତଃ ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀ ମମତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରି ରେଳବାଇ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ। ମମତା ବାନାର୍ଜୀ ଏନ୍ଡିଏ ସରକାରରେ ସାମିଲ ହୋଇ କେନ୍ଦ୍ର ସ୍ତରରେ ଏକ ଚର୍ଚ୍ଚିତ ନେତା ଭାବେ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ସେ ହଠାତ୍ ଏନ୍ଡିଏ ଛାଡି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲେ।
ଦୀର୍ଘ ଦିନଧରି ପଶ୍ଚିମବଙ୍ଗରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟିର ଶାସନରେ କଳଙ୍କି ଲାଗି ଯାଇଥିଲା ଓ ଏହି ଶାସନ ପ୍ରତି ଲୋକଙ୍କର ଶ୍ରଦ୍ଧା ତଥା ସମର୍ଥନ କମି ଯାଇଥିଲା। ତାହାର ସୁଯୋଗ ନେଇ ମମତା ବାନାର୍ଜୀ ନିଜ ରାଜ୍ୟ ବଙ୍ଗଳାରେ ତୃଣମୂଳ କଂଗ୍ରେସକୁ ଏକ ଶାଣିତ ରାଜ୍ୟର ଦଳ ଭାବେ ଛିଡା କରାଇବାର ଉଦ୍ୟମ ଆରମ୍ଭ କଲେ। ଅବଶ୍ୟ ଏଥିପାଇଁ ତାଙ୍କୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଛି । ଅବଶେଷରେ ସେ ସଫଳ ହୋଇପାରିଥିଲେ, କ୍ରମେ କଂଗ୍ରେସର ସମସ୍ତ ଶକ୍ତିକୁ ନିଜ ପାଖରେ ଠୁଳ କରିବା ସହିତ କମ୍ୟୁନିଷ୍ଟ ପାର୍ଟିର ପରାଜୟ ଘଟାଇ ସେ ଦେଶସ୍ତରୀୟ ଜଣେ ପ୍ରମୁଖ ନେତ୍ରୀ ଭାବେ ପରିଚୟ ସୃଷ୍ଟି କଲେ । ଯଦିଓ ପରବର୍ତୀ କାଳରେ ସେ ତାଙ୍କର ଦଳକୁ ଏକ ସର୍ବଭାରତୀୟ ଦଳ ଭାବେ ଦେଖାଇବା ନିମନ୍ତେ ଆଇନ୍ ଗତ ଭାବେ ସର୍ବଭାରତୀୟ ଦଳର ନାମକରଣ କଲେ । ଯେଉଁଥିରେ କେବଳ ପଶ୍ଚିମବଙ୍ଗ ନୁହେଁ ଆଖପାଖ ବଙ୍ଗଭାଷୀ ରାଜ୍ୟ ତ୍ରୀପୁରାରେ ସେ ତାଙ୍କ ଦଳକୁ ସୁଦୃଢ଼ କରାଇପାରିଥିଲେ ଓ ଆସାମରେ ଦଳର ଉପସ୍ଥିତି ମଧ୍ୟ ଲୋକଲୋଚନକୁ ଆଣିଥିଲେ। ଏପରିକି ଏକ ସମୟରେ ଓଡିଶାରେ ଏକ ନିର୍ବାଚନ ମଣ୍ଡଳୀ ପାଟକୁରାରେ ତୃଣମୂଳ କଂଗ୍ରେସର ଜଣେ ପ୍ରାର୍ଥୀ ଶ୍ରୀ ତ୍ରିଲୋଚନ ବେହେରା ନିର୍ବାଚିତ ହୋଇଥିଲେ। ମୋଟାମୋଟି ଭାବେ ଦଳଟି ଯଦିଓ ବଙ୍ଗଭାଷୀ ବଙ୍ଗାଳୀମାନଙ୍କର ପରିଚୟ ନେଇ ଏକ ଆଂଚଳିକ ଦଳ ବା ଏକ ରାଜ୍ୟ ଦଳ ଭାବେ ଛିଡା ହୋଇଥିଲା, ସର୍ବଭାରତୀୟତାର ପରିଚୟ ପାଇଁ ଦଳଟିର ନାମ ସର୍ବଭାରତୀୟ ତୃଣମୂଳ କଂଗ୍ରେସ (ଇଓଞଗଉ) ରଖାଗଲା । ଏହାର ନିର୍ବାଚନ ସଂକେତ ଦୁଇଟି କଅଁଳ ପତ୍ର ସହ ଫୁଲ ଅର୍ଥାତ୍? ତୃଣମୂଳ ବା ମାଟି ଉପରେ ପଡିରହି ପରିଚୟ ସୃଷ୍ଟି କରିଥିବା କ୍ଷୁଦ୍ରାତିକ୍ଷୁଦ୍ର ଘାସଫୁଲ ପରି ଏହି ଦଳଟି ନିଜର ପରିଚୟ ବିସ୍ତାରିତ କରିବା ଆରମ୍ଭ କରିଦେଇଥିଲା।
ପଶ୍ଚିମବଙ୍ଗରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ରାଜନୈତିକ କ୍ଷମତାରେ ଥିବା ସାମ୍ୟବାଦୀ ସଂଗଠନଗୁଡିକୁ ପୁରାପୁରି ନିଶ୍ଚିନ୍ନ କରିଦେଇ ମମତା ବାନାର୍ଜୀ ୨୦୧୧, ୨୦୧୬, ୨୦୨୧ ତିନିଗୋଟି ନିର୍ବାଚନରେ ବହୁସଂଖ୍ୟାରେ ବିଧାନସଭାର ପ୍ରତିନିଧିତ୍ୱ ହାସଲ କରି ତିନି ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ।
ଏହି ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ବଙ୍ଗଳୀମାନଙ୍କ ଅସ୍ମିତାର ପରିଚୟ ସୃଷ୍ଟି କରି ଭାରତରେ ଏକ ଅପ୍ରତିଦ୍ୱନ୍ଦୀ ନେତା ଭାବେ ପରିଗଣିତ ହେଲେ। ଏପରିିକି କିଛି କିଛି ସମୟରେ ମମତା ବାନାର୍ଜୀଙ୍କୁ ନେଇ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟର ଚର୍ଚ୍ଚା ମଧ୍ୟ କରାଯାଉଥିଲା। ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଫଳରେ ସେ ତୃଣମୂଳ ସ୍ତରରୁ ଉପରକୁ ଉଠି ପାରିଥିଲେ । ଏହା କହିବା ନିଷ୍ପ୍ରୟୋଜନ। ଜଣେ ସାଧାରଣ ପରିବାରର ପରିଚୟ ମଧ୍ୟ ସମସ୍ତଙ୍କ ସାମ୍ନାରେ ରଖିପାରିଥିଲେ। ଅବିବାହିତା ଥିଲେ । ନନ୍ଦିଗ୍ରାମ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇ ଟାଟାକୁ ମାଟିରୁ ହଟାଇଥିଲେ ଓ ମାଟିର ମଣିଷମାନଙ୍କୁ ତାଙ୍କ ଜମି ହସ୍ତାନ୍ତର କରି ସୁରକ୍ଷା ଦେଇଥିଲେ। ଏହା ତାଙ୍କର ସଂଗ୍ରାମୀ ଜୀବନର କେବଳ ପରିଚୟ ନଥିଲା, ଯେତେବେଳେ ପଶ୍ଚିମବଙ୍ଗରେ ନସ୍କଲପନ୍ଥୀମାନଙ୍କ ପ୍ରଭାବରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ନେତୃବର୍ଗ ଥରହର ହେଉଥିଲେ, ସେହି ସମୟରେ ମମତା ବାନାର୍ଜୀ ସାମ୍ନା ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କର ଏହି ଲଢୁଆ ଓ ସଂଗ୍ରାମୀ ପରିଚୟ ପାଇଁ ଜନସାଧାରଣ ବିଶେଷତଃ ଯୁବକମାନଙ୍କ ଭିତରେ ଅନେକ ପ୍ରଶଂସା ଓ ସମର୍ଥନ ଲାଭ କରିଥିଲେ । ରାଜ୍ୟରେ କ୍ଷମତା ହାସଲ କରିବାର ସୁଯୋଗ ଲାଭ କଲାପରେ ସେ ଏକାକୀ ହିଁ ସମସ୍ତ ସଫଳତାର କାରଣ ଓ କର୍ତା ଭାବେ ଚର୍ଚ୍ଚାକୁ ଆସିଥିଲେ।
ପରବର୍ତୀ କାଳରେ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ଶାସନ କ୍ଷମତା ହାସଲ କରିବା ସମୟରେ ଏହା ବିରୋଧରେ ଲଢେ଼ଇ କରୁଥିବା ସମସ୍ତ ଶକ୍ତିମାନଙ୍କ ଭିତରେ ମମତା ମନ୍ତ୍ରୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ଦିଲ୍ଲୀର ପ୍ରମୁଖ ଶାସକ ଦଳ ଭାରତୀୟ ଜନତା ପାର୍ଟିର ଦୁଇ ନେତା ନରେନ୍ଦ୍ର ସିଂ ମୋଦୀ ଓ ଅମିତ ଶାହା ମମତା ବାନାର୍ଜୀଙ୍କୁ ଦୁର୍ବଳ କରିବା ନିମନ୍ତେ ଅତୀତରେ ଅନେକ ଚେଷ୍ଟା କରି ମଧ୍ୟ ସଫଳ ହୋଇପାରି ନଥିଲେ। ତାଙ୍କର ସହଯୋଗୀମାନଙ୍କୁ ବିଭିନ୍ନ ଦୁର୍ନୀତିମୂଳକ ଅଭିଯୋଗରେ ଅଭିଯୁକ୍ତ କରାଇ କେବଳ କାରାରୁଦ୍ଧ କଲେନାହିଁ, ପରନ୍ତୁ ରାଜ୍ୟ ବାହାର ଓଡିଶା ଜେଲ୍ରେ ରଖି ନା ନା ପ୍ରକାର ହଇରାଣ କରିବା ଦେଖାଯାଇଥିଲା । ଦଳର ଅନେକ ସୁସଂଗଠକ ଓ ନେତା ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲାପରେ ଅତ୍ୟନ୍ତ ସଫାସୁତୁରା, ନିର୍ମଳ ଭାବମୂର୍ତିରେ ପରିଣତ ହେଲେ। ତଥାପି ମମତା ନିଜର ସାମର୍ଥ୍ୟ ଓ ଦୃଢ଼ ମନୋବଳ ହରାଇ ନଥିଲେ। ୨୦୨୧ ନିର୍ବାଚନରେ ତାଙ୍କର କିଛି ସହଯୋଗୀଙ୍କୁ ତାଙ୍କଠାରୁ ଛଡାଇ ନେଇ ଭାରତୀୟ ଜନତା ପାର୍ଟି ମମତାଙ୍କ ବିରୋଧରେ ଛିଡା କରାଇଥିଲା। ସେହିପରି ବ୍ୟକ୍ତିମାନଙ୍କ ଭିତରେ ଶ୍ରୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନନ୍ଦିଗ୍ରାମରେ ଛିଡା ହୋଇ ପରାଜିତ ହୋଇଥିଲେ । କିନ୍ତୁ ଏବେ ୨୦୨୬ ନିର୍ବାଚନରେ ସେ ପୁନଶ୍ଚ ମମତା ବାନାର୍ଜୀଙ୍କ ବିରୋଧରେ ଛିଡାହୋଇ ସଫଳତା ହାସଲ କରିଛନ୍ତି।
ପଶ୍ଚିମବଙ୍ଗରେ କେବଳ ଭାରତୀୟ ଜନତା ପାର୍ଟି ଓ ତାହାର ନେତା ମମତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଉଦ୍ୟମ କରୁଥିଲେ ତା’ ନୁହେଁ। ଦେଶର ସମସ୍ତ ଜଣାଶୁଣା ସାମ୍ୟବାଦୀ ନେତାମାନେ ମଧ୍ୟ ନିଜ ନିଜର ରାଗ ସୁଝାଇବା ଉଦ୍ଦେଶ୍ୟରେ ମମତାଙ୍କ ବିରୋଧରେ ଥିଲେ। ଅଧିକନ୍ତୁ, କଂଗ୍ରେସ ଦଳ ମଧ୍ୟ ଦଳତ୍ୟାଗୀ ମମତା କଂଗ୍ରେସକୁ ପଶ୍ଚିମବଙ୍ଗରେ ଅତ୍ୟନ୍ତ ଦୁର୍ବଳ ସ୍ତରକୁ ନେଇଯାଇଥିବା ହେତୁ ରାଗରେ ରକ୍ତଚାଉଳ ଚୋବାଉଥିଲେ। ସମସ୍ତ ବିରୋଧ ସତ୍ୱେ ମମତା ଏକାକୀ ଲଢୁଥିଲେ ଓ ସଫଳତା ମଧ୍ୟ ସାଉଁଟୁଥିଲେ। ଏବେ ଅତି ନିକଟରେ ଯାଇଥିବା ନିର୍ବାଚନରେ ପଶ୍ଚିମବଙ୍ଗରେ କେହି ଆଶା କରୁନଥିବା ସ୍ଥିତିଟିଏ ଉପୁଜିଲା। ସମଗ୍ର ଭାରତରେ ଅତୀତରେ ହୋଇଥିବା ନିର୍ବାଚନକୁ ପଛରେ ପକାଇ ପଶ୍ଚିମବଙ୍ଗରେ ହୋଇଥିବା ଦୁଇପର୍ଯ୍ୟାୟ ନିର୍ବାଚନରେ ସର୍ବାଧିକ ମତଦାନ (୯୨% ରୁ ଊର୍ଦ୍ଧ୍ୱ) ହେବାର ଦେଖାଯାଇଥିଲା। ଏହା ପୂର୍ବରୁ ମମତାଙ୍କ ବିରୋଧରେ ଅନେକ କୋର୍ଟ ମାମଲା ଓ ସାଧାରଣରେ କୁତ୍ସା ରଟନା କରାଯାଇଥିଲା। ଏକ ଡାକ୍ତରୀ ଛାତ୍ରୀର ଧର୍ଷଣ ଓ ହତ୍ୟାର ଅଭିଯୋଗ ଅଣାଯାଇ ସିବିଆଇ ଦ୍ୱାରା ଅନୁସନ୍ଧାନ ମଧ୍ୟ କରାଯାଇଥିଲା । ବିରୋଧୀ ପକ୍ଷ ନା କୋର୍ଟରେ ନା ଜନସାଧାରଣଙ୍କ ଭିତରେ ମମତାଙ୍କୁ ଅପରାଧୀ ତାଲିକାକୁ ନେବାରେ ସଫଳ ହୋଇପାରିଥିଲେ। ନିର୍ବାଚନରେ ରାଜ୍ୟରେ ଚାରିପାଖରେ ଥିବା ସମସ୍ତ ଶକ୍ତିମାନଙ୍କୁ ରାଜ୍ୟ ଭିତରକୁ ବିଭିନ୍ନ ଦିଗରୁ ନୁଆଁଇ ଦେଇଥିଲେ । ଗୋଟିଏ ପକ୍ଷରେ ଥିବା ବିହାର ଯାହାର ଅତୀତ ନାମ ମଗଧ ଥିଲା ତାର ମୁଖ୍ୟମନ୍ତ୍ରୀ ଓ ଭାରତୀୟ ଜନତା ପାଟିର ନେତାମାନେ ସମର୍ଥକମାନଙ୍କ ସହିତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବିଛାଡି ହୋଇଯାଇଥିଲେ । ସେହିପରି ଅନ୍ୟ ଏକ ପଡୋଶୀ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀମାନେ ବଙ୍ଗଳା ଭିତରକୁ ପଶିଆସି କ୍ଷମତାର ପ୍ରଭାବ ବିସ୍ତାର କରିବାର ଉଦ୍ୟମ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ଆସାମର ମୁଖ୍ୟମନ୍ତ୍ରୀ ତାଙ୍କର ସମର୍ଥକ ଓ ସାମର୍ଥ୍ୟ ସହିତ ମମତାଙ୍କ ଉପରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଥିଲେ । ସେତିକିରେ ଭାରତୀୟ ଜନତା ପାର୍ଟି ଓ ତାର ନେତୃବର୍ଗ ରଣକୌଶଳ ସୀମିତ କରିନଥିଲା। ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମମତାଙ୍କ ବିରୋଧରେ ଅନେକ ସଭା ସମିତିରେ ଅଭିଯୋଗର ଫର୍ଦ୍ଦ ଯୋଡିଥିଲେ। କଂଗ୍ରେସର ନେତା ନିଜ ଦଳର ସେପରି କିଛି ସଫଳତା ମିଳିବ ବୋଲି ଆଶା କରିନଥିଲେ ମଧ୍ୟ ମମତାଙ୍କ ବିରୋଧରେ ବିଶୋଦଗାର କରିଥିଲେ।
ତଥାପି ମମତାଙ୍କ ନିଷ୍ଠା, ପରିଶ୍ରମକୁ ଦେଖି କେହି ବିଶ୍ୱାସ କରୁନଥିଲେ ଯେ, ନିର୍ବାଚନରେ ମମତାଙ୍କ ଦଳର ଏପରି ଶୋଚନୀୟ ପରାଜୟ ଘଟିବ । ମମତା ଯଦିଓ ୮୦% ଉଦ୍ଧ୍ୱର୍ ଭୋଟ୍ ପାଇଥିଲେ, ବିଧାନସଭାର ୨୩୪ଟି ସ୍ଥାନରୁ ମାତ୍ର ତୃଣମୂଳ କଂଗ୍ରେସ ୮୭ ଟି ଆସନ ଲାଭ କରିଥିଲା । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ଶୋଚନୀୟ ଭାବେ ହାରିଲେ । କିନ୍ତୁ ବାରମ୍ବାର ‘ଆମେ ଅଙ୍ଗ ଓ କଳିଙ୍ଗ ଦଖଲ କରିଛୁ, ଏବେ ବଙ୍ଗ ଦଖଲ କରିବୁ।’ ରାଜ୍ୟ ଦଖଲ ଗର୍ଜନ ପଛରେ ଥିବା କୂଟନୀତି ଓ କୁଚକ୍ରିମାନଙ୍କ ଚକ୍ରାନ୍ତର ସୂଚନା ଦେଉଥିଲା। ପରିଶେଷରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ମାତ୍ର ୮୧ଟି ସିଟ୍ ନିଜ ସପକ୍ଷରେ ହାସଲ କରି ପରାଜୟ ସ୍ୱୀକାର କରିଥିଲେ ଓ ସେ ନିଜେ ମଧ୍ୟ ହାରି ଯାଇଥିଲେ। ଦେଶର ୨୧ଟି ରାଜ୍ୟରେ ନିଜର ଶାସନ ପ୍ରତିଷ୍ଠା କରିଥିବା ଦିଲ୍ଲୀ ବାଦ୍ଶାହ ବଙ୍ଗଳାରେ ତାର ଆଧିପତ୍ୟ ବିସ୍ତାର କଲା ଓ ୨୨ଟି ରାଜ୍ୟ ସପକ୍ଷରେ ନେଲା। ମମତା ବାନାର୍ଜୀଙ୍କ ଦୁର୍ଗକୁ ଦଖଲ କରି ଭାଜପା ସମଗ୍ର ଦେଶରେ ଉତ୍ସବ ମନାଇଲା।
ଅବଶ୍ୟ ଭାରତୀୟ ଜନତା ପାର୍ଟି କଂଗ୍ରେସ ମୁକ୍ତ ଭାରତର ସ୍ଲୋଗାନ୍ ଦେଇ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇପାରିନାହିଁ। ମହାଭାରତର ପାଣ୍ଡବମାନେ କୋଉଠି ନା କୋଉଠି ରହିଯାଇଥିବାର ସୁଯୋଗ ନେଇ ମାୟାଜାଲ ବିଛାଇବା ଓ ନିର୍ବାଚନ କମିଶନର ଛାୟା ଆଢୁଆଳରେ ରହି ନିର୍ବାଚନ ଫଳ ଘୋଷଣା ପରେ ଆମ୍ଭେ ୨୨ ରାଜ୍ୟ ଅଧିକାର କଲୁ। ଅଙ୍ଗ, କଳିଙ୍ଗ ସହିତ ବଙ୍ଗ ଜୟ କଲୁ।’ କୁହାଟ ଶୁଭିଲା, ଯୋଦ୍ଧା ଅଭିମନ୍ୟୁଙ୍କୁ ଅନ୍ୟାୟ ଯୁଦ୍ଧରେ ହତ୍ୟା କରି ବର୍ତମାନ ସମଗ୍ର ଦେଶରେ ଉତ୍ସବ ମନାଇ ଚାଲିଛନ୍ତି।
ମହାଭାରତର ଏହି କାହାଣୀ ପୁନଶ୍ଚ ଇତିହାସର ପଟ ପରିବର୍ତନ ପରି ସମସ୍ତଙ୍କ ସାମ୍ନାକୁ ଆସିଛି। ତଥାପି ଗଣତନ୍ତ୍ର ପ୍ରେମୀମାନେ ଏବେ ବି ବିଶ୍ୱାସ ରଖିଛନ୍ତି ଯେ, ରାଜତନ୍ତ୍ର ଓ ରାଜକୀୟ ସ୍ୱଭାବର ମୂଳୋତ୍ପାଟନ ହେବା ସହିତ ଗଣତନ୍ତ୍ରରେ ଥିବା ଦୋଷତ୍ରୁଟିର ସୁଧାର ଆସିବ ଓ ଯେଉଁ ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ କମ୍ୟୁନିଷ୍ଟମାନଙ୍କ ଶାସନ ମଧ୍ୟ ସ୍ୱାଧୀନତାର ଆଦ୍ୟକାଳରେ କେରଳରେ ଜନ୍ମ ନେଇଥିଲା ସେହି ଦେଶରେ ଅନେକ ବର୍ଷ ଧରି ଗଣତନ୍ତ୍ରର ପରୀକ୍ଷା ନୀରିକ୍ଷା ଚାଲୁରହିଛି ଓ ସଂସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଲାଗିଛି।
ନିର୍ବାଚନ ବ୍ୟବସ୍ଥାରେ ଥିବା ଦୋଷତ୍ରୁଟି ରହିଛି, ସେସବୁର ତୁରନ୍ତ ସମାଧାନ ହେବା ସହିତ ଦେଶରେ ଏକ ପୂର୍ଣ୍ଣ ଓ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ସାବ୍ୟସ୍ତ ହେବ । ରାଜ୍ୟର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୁଚି ରହିଥିବା ସାମନ୍ତବାଦର ସ୍ୱର ଅବଶ୍ୟ ଲୋପପାଇବ ଓ ସାମନ୍ତବାଦୀ ଚିନ୍ତା ଓ ଚେତନାର ବିଲୟ ଘଟିବ।