ତୁରୁମୁଙ୍ଗା ଗିରିଜା ଶଙ୍କର ମନ୍ଦିରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ …
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଚତୁର୍ଦ୍ଦଶ ବାର୍ଷିକ ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବହୁ ପୂର୍ବରୁ ଉଭୟ ବର ପକ୍ଷ ଓ କନ୍ୟା ପକ୍ଷଙ୍କ ଉପସ୍ଥିତିରେ ଗୁଆଭଙ୍ଗା ଓ ନିର୍ବନ୍ଧ କର୍ମ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ପର୍ବରେ ଯୋଗ ଦେବାକୁ ନିମନ୍ତ୍ରଣ କରନ୍ତି ଉଭୟ ପକ୍ଷ ପ୍ରିୟ ପରିଜନ ଓ ବନ୍ଧୁବାନ୍ଧବଙ୍କୁ। ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥି ଇଂରାଜୀ ଜୁନ ମାସ ୧୮ ତାରିଖ ଗୁରୁବାର ପ୍ରତ୍ୟୁଷରୁ ପୁଣ୍ୟତୋୟା ବୈତରଣୀ ନଦୀର ପବିତ୍ର ଜଳ ଅଣାଯାଇ ଦେବାଧିଦେବ ଗିରିଜାଶଙ୍କର ଓ ମାତା ପାର୍ବତୀଙ୍କ ମହାସ୍ନାନ କରାଯାଇଥିଲା। ତତ୍ପରେ ଲୌକିକମତେ ଠାକୁରଙ୍କ ମୁକୁଟ, ବସ୍ତ୍ର, ଅଳଙ୍କାର ନେଇ ଘଣ୍ଟ ହୁଳହୁଳି , ଶଙ୍ଖ ନାଦ ତଥା ଢୋଲ ବାଦ୍ୟର ତାଳେ ତାଳେ ଭକ୍ତ ମାନେଯାତ୍ରା କରନ୍ତି ଗ୍ରାମ ଦେବତୀଙ୍କ ନିକଟକୁ ଦେ ମଙ୍ଗଳା ଉଦ୍ଦେଶ୍ୟରେ। ମନ୍ଦିର ପୂଜକ ଅରୁଣ କୁମାର ମିଶ୍ର ସହଯୋଗୀ ଶରତ ଚନ୍ଦ୍ର ତ୍ରିପାଠୀ ଓ ସେବକ ମଙ୍ଗଳୁ ନାଏକଙ୍କ ଦ୍ଵାରା ଦିନବେଳେ ପ୍ରଭୁ ଗିରିଜା ଶଙ୍କର ମହାଦେବଙ୍କ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇ ରାତ୍ରୀ ସମୟରେ ଶୁଭଲଗ୍ନରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ସୁଶୋଭିତ ଚଦ୍ରାତାପ, ରୋଷଣୀ ରଙ୍ଗୀନ ଆଲୋକ ସାଙ୍ଗକୁ ଶୁଭ ଶଙ୍ଖ ସାହାନାଇ ଶବ୍ଦରେ ଶ୍ରୀ ଶ୍ରୀ ଗିରିଜାଶଙ୍କ ସହିତ ମାତା ପାର୍ବତୀଙ୍କ ହାତ ଗଣ୍ଠି ପଡ଼ିଥିଲା। ବିବାହ ବେଦୀରେ ଦେବ ଦମ୍ପତିଙ୍କ ଶୋଭା ବେଶ ଆକର୍ଷଣୀୟ ଥିଲା।ଶୀତଳ ଷଷ୍ଠୀ ଦିନ ଯଥାବିଧି ଦେବ ନୀତି ସମ୍ପନ୍ନ ପରେ ସନ୍ଧ୍ୟା ସମୟରେ ଦେବ ଦମ୍ପତି ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ବାଦ୍ୟନାଦ ଓ ବାଣ ରୋଷଣୀ ସହ ମହା ଆଡ଼ମ୍ବରରେ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରି ସମସ୍ତଙ୍କୁ ଦର୍ଶନ ଦେଇଥିଲେ।ଦୁଇଦିନ ଧରି ସମସ୍ତ ଭକ୍ତଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମହାଦେବଙ୍କ କର୍ତ୍ତା ଭାବେ ତୁରୁମୁଙ୍ଗା ତଳ ସାହିର ଭିନୁଆଁ ଝାଲିଆ ଓ ପତ୍ନୀ ସୋନାଲି ଝାଲିଆ ଏବଂ ମାତା ପାର୍ବତୀଙ୍କ କର୍ତ୍ତା ଭାବେ କଲେଜ ସାହିର ଗୌତମ ସାହୁ ପତ୍ନୀ ମଞ୍ଜୁ ରାଣୀ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ପରିଚାଳନା କରିଥିଲେ।