ଶ୍ରୀଜଗନ୍ନାଥ ମନ୍ଦିର , ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ପ୍ରେରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଆଜି ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ …
ଆଜି ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ପ୍ରେରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜି ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ପ୍ରେରଣ କରାଗଲା । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପୂଜାର୍ଚ୍ଚନା ପରେ ପତାକା ହଲାଇ ବାସୁଙ୍ଗା ପାଟ ପ୍ରେରଣ କାର୍ଯ୍ୟର ଆରମ୍ଭ କରାଗଲା ।
ଗଣମାଧ୍ୟମର ବନ୍ଧୁମାନଙ୍କୁ ସମ୍ବୋଧନ କରିବାକୁ ଯାଇ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବାସୁଙ୍ଗା ପାଟ ହେଉଛି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଗୁରୁତ୍ୱପୂର୍ଣ୍ଣ ରିତିନୀତିରେ ବ୍ୟବହୃତ ଏକ ଅତ୍ୟନ୍ତ ପବିତ୍ର ଓ ବିଶେଷ ପ୍ରକାରର ରେଶମ ଡୋରୀ । ବାସୁଙ୍ଗା ପାଟ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏକ ପାରମ୍ପରିକ ରେଶମୀ ପଟ୍ଟବସ୍ତ୍ର, ଯାହା ଓଡ଼ିଶାର ରେଶମ ଓ ହସ୍ତତନ୍ତ ଐତିହର ପ୍ରତୀକ । ଏହା ଆଧ୍ୟାତ୍ମିକ ଶିଷ୍ଟାଚାର, ପାରମ୍ପରିକ କାରୁକୃତି ଓ ଦେଶଜ ପ୍ରଯୁକ୍ତି ଜ୍ଞାନର ଏକ ଦୁର୍ଲଭ ସମନ୍ୱୟକୁ ପ୍ରତିନିଧିତ୍ୱ କରେ ।
ବାସୁଙ୍ଗା ପାଟ ପ୍ରାକୃତିକ ମଲବେରୀ ରେଶମ ସୂତାରୁ ପ୍ରସ୍ତୁତ କରାଯାଏ ଓ କଇଥ ଫଳର ଅଠାରେ ରଙ୍ଗ ଦିଆଯାଇଥାଏ । ବାସୁଙ୍ଗା କେବଳ ଏକ ଧାର୍ମିକ ସାମଗ୍ରୀ ନୁହେଁ, ବରଂ ଏହା ଶ୍ରଦ୍ଧା, କାରୁକୃତି ଓ ପାରମ୍ପରିକତାର ଏକ ପବିତ୍ର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ରିତିନୀତିରେ ଏହାର ଅବିରତ ବ୍ୟବହାର ଓଡ଼ିଶାର ମନ୍ଦିର ସଂସ୍କୃତି ଓ କଳାକୌଶଳର ଅମୂଲ୍ୟ ଐତିହ୍ୟକୁ ପ୍ରକାଶ କରେ ।ଏହି ବାସୁଙ୍ଗା ତିଆରି ନିମନ୍ତେ କରୁଣା ସିଲ୍କ ଭଳି ପଦ୍ଧତିର ବ୍ୟବସ୍ଥା କରାଯାଇଛି
କରୁଣା ସିଲ୍କ ହେଉଛି ପାରମ୍ପରିକ ରେଶମର ଏକ ଅହିଂସାମୂଳକ ଓ ସୁସ୍ଥାୟୀ ବିକଳ୍ପ, ଯାହା ରେଶମ କୀଟମାନଙ୍କୁ କୌଣସି କ୍ଷତି ନକରି ପ୍ରସ୍ତୁତ କରାଯାଏ ।
ଏହି ପ୍ରକ୍ରିୟାରେ ସମସ୍ତ ରେଶମ କୀଟମାନଙ୍କୁ ସମ୍ପୂର୍ଣ୍ଣ ପ୍ରଜାପତି ହେବା ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ, ସେମାନେ ନିଜ ସ୍ୱାଭାବିକ ଜୀବନଚକ୍ର ସମ୍ପୂର୍ଣ୍ଣ କରି ପ୍ରାକୃତିକ ଭାବେ ରେଶମ କୋଷରୁ ବାହାରିଆସନ୍ତି ।
ପୁରାତନ ସ୍ପିନିଂ ପ୍ରକ୍ରିୟା ମାଧ୍ୟମରେ ପୁପାକୁ ହତ୍ୟା କରି ସୂତା ରିଲିଂ କରିବା ପାରମ୍ପରିକ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଯାଏ ।
ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (SERIFED) ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ୧୯୮୧ ମସିହାରୁ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ପ୍ରଶାସକଙ୍କ ନିକଟକୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଉଛି ।
SERIFED ‘କରୁଣା ସିଲ୍କ’କୁ ପାରମ୍ପରିକ ରେଶମର ଏକ ସହଜ ଓ ସୁସ୍ଥାୟୀ ବିକଳ୍ପ ଭାବେ ଏବଂ ଓଡ଼ିଶାର ପ୍ରିମିୟମ୍ ନୀତିସମ୍ମତ ରେଶମ ବ୍ରାଣ୍ଡ ଭାବେ ପ୍ରତିଷ୍ଠା କରିଛି ।
ରେଶମ ଓଡ଼ିଶା ହେଉଛି ସେରିଫେଡ ଦ୍ୱାରା ପ୍ରଚାରିତ ଓ ପରିଚାଳିତ ଏକ ରେଶମ ଓ ହାଣ୍ଡଲୁମ୍ ବ୍ରାଣ୍ଡ, ରେଶମ ଓଡ଼ିଶା ଅସଲି ରେଶମ, ନୀତିସମ୍ମତ ଉତ୍ପାଦନ, ହସ୍ତନିର୍ମିତ ଉତ୍କୃଷ୍ଟତା, ସରକାରୀ ନିଶ୍ଚିତ ଗୁଣମାନ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଅଟେ । ରେଶମ ଓଡ଼ିଶା ଓଡ଼ିଶାର ରେଶମ ଚାଷ ଓ ବୁଣାକାମ କ୍ଷେତ୍ରର ସମୃଦ୍ଧ ପରମ୍ପରା ଓ ଐତିହ୍ୟକୁ ପ୍ରତିନିଧିତ୍ୱ କରେ ।
ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସେରିଫେଡ ସଭାପତି ଭାଗିରଥୀ ନନ୍ଦ, ସମ୍ପାଦିକା ସଂଗୀତା ମିଂଜ, ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା,ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।