କେନ୍ଦୁଝର: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୨ ବର୍ଷ ଓ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା “ବିକାଶର ଧାରା–ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ପାଟଣା ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଜାତି-ଜନଜାତି ସମ୍ବାଦ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏସଡିସି ଅଧ୍ୟକ୍ଷା ମମିତା ନାଏକ, ପ୍ରବୀର ରଞ୍ଜନ ନାଏକ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱନୀ କୁମାର ନାଏକ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ। ଆଦିବାସୀଙ୍କ ପାରମ୍ପରିକ ଚାଙ୍ଗୁ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିପ୍ରାରାଣୀ ମହାନ୍ତ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇଥିବା ବେଳେ, ଅତିଥିମାନେ ଜନଜାତି ସମୁଦାୟର ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସଶକ୍ତିକରଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ ଯୋଜନା ସମ୍ପର୍କିତ ଷ୍ଟଲ ପ୍ରଦର୍ଶନ କରାଯିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।