ମେଘା ଷ୍ଟିଲ ପ୍ଲାଣ୍ଟ ପାଇଁ ବରୁଡିପଶିରେ ୧୦ମ ଗ୍ରାମସଭା: ଏକର ପ୍ରତି ୨୦ କୋଟି ଟଙ୍କା କ୍ଷତିପୂରଣ ଦାବି କଲେ ଗ୍ରାମବାସୀ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତର …
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତର ବରୁଡିପଶି ଗ୍ରାମରେ ପ୍ରସ୍ତାବିତ ମେଘା ଷ୍ଟିଲ ପ୍ଲାଣ୍ଟ ପାଇଁ ରବିବାର ୧୦ମ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ଶଶିଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗ୍ରାମସଭାରେ ଅତିରିକ୍ତ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱନୀ କୁମାର ନାଏକ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ ଜୟକୃଷ୍ଣ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମସଭାରେ ପ୍ରକଳ୍ପ ପାଇଁ ୨୧୮.୦୮୦ ଏକର ଘରୋଇ ଜମି ଅଧିଗ୍ରହଣ ପ୍ରସ୍ତାବ, କ୍ଷତିପୂରଣ, ପୁନର୍ବାସ ଓ ପୁନଃଥଇଥାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ସମୟରେ ପ୍ରଭାବିତଗ୍ରାମବାସୀମାନେ ଏକର ପ୍ରତି ୨୦ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ସେହିପରି ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି, ଉନ୍ନତ ପୁନର୍ବାସ ବ୍ୟବସ୍ଥା ଏବଂ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶକୁ ନିଶ୍ଚିତ କରିବାକୁ ମଧ୍ୟ ଦାବି ଉଠିଥିଲା। ଏହାଛଡ଼ା ଗ୍ରାମବାସୀମାନେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେମାନେ ନିଜ ଜମି ବିକ୍ରି କରିବାକୁ ଚାହୁଁନାହାନ୍ତି । ବରଂ ଜମିକୁ ଲିଜ୍ (ଇଜାରା) ସୂତ୍ରରେ କମ୍ପାନୀକୁ ଦେବାକୁ ରାଜି ଅଛନ୍ତି। କମ୍ପାନୀରୁ ବାର୍ଷିକ ୩୦ ପ୍ରତିଶତ ଅଂଶଧନ (ଲାଭର ଅଂଶ) ମିଳିଲେ ମାତ୍ର ସେମାନେ ଜମି ପ୍ରଦାନ କରିବାକୁ ବିଚାର କରିବେ ବୋଲି ଗ୍ରାମବାସୀ ଦାବି ଉପସ୍ଥାପନ କରିଥିଲେ।
ଗ୍ରାମସଭାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଏସପି, ଏସଡିପିଓ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଗ୍ରାମସଭା ପରିଚାଳନାରେ ସହଯୋଗ କରିଥିଲେ।