ଦଧିବାମନ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା : ୧୦୮ କଳସ ଜଳରେ ମହାସ୍ନାନ; ଭକ୍ତିମୟ ପରିବେଶରେ ପାଳିତ ହେଲା ପବିତ୍ର ନୀତି

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ରାଜନଗରସ୍ଥିତ ପ୍ରସିଦ୍ଧ ଦଧିବାମନ ଶ୍ରୀଜୀଉ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ଏହି ଦେବସ୍ନାନ ନୀତି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନ୍ୟତମ ପ୍ରମୁଖ ପରମ୍ପରା। ଏହି ଦିନ ମହାପ୍ରଭୁଙ୍କୁ ୧୦୮ କଳସ ପବିତ୍ର ଜଳରେ ମହାସ୍ନାନ କରାଯାଇଥାଏ।

ବିଶ୍ୱାସ ରହିଛି ଯେ, ଦେବସ୍ନାନ ପରେ ମହାପ୍ରଭୁ ଅନବସର ଗୃହକୁ ବିଜେ କରି ଭକ୍ତମାନଙ୍କୁ କିଛିଦିନ ଦର୍ଶନ ଦେଇନଥାନ୍ତି। ରାଜନଗର ଦଧିବାମନ ଶ୍ରୀଜୀଉ ମନ୍ଦିରରେ ମଧ୍ୟ ପାରମ୍ପରିକ ବିଧିବିଧାନ ଅନୁଯାୟୀ ୧୦୮ କଳସ ଜଳରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଥିଲା।

ଦେବସ୍ନାନ ପୂର୍ଣ୍ଣିମା_AB
ଦେବସ୍ନାନ ପୂର୍ଣ୍ଣିମା_AB

ବେଦ ମନ୍ତ୍ର, ଘଣ୍ଟ, ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଶତାଧିକ ଭକ୍ତ ଉପସ୍ଥିତ ରହି ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ପବିତ୍ର ନୀତିରେ ବ୍ରହ୍ମା ସେବକ ପ୍ରଦୀପ କୁମାର ମିଶ୍ର, ପରିଛା ଦୁର୍ଯ୍ୟୋଧନ ମିଶ୍ର, ପହଣ୍ଡି ପରିଚାଳକ ସତ୍ୟନାରାୟଣ ମିଶ୍ର, ମନୋରଞ୍ଜନ ମିଶ୍ର, ଅକ୍ଷୟ ନାରାୟଣ ମିଶ୍ର, ଘନଶ୍ୟାମ ମିଶ୍ର, ପ୍ରମୋଦ ପଣ୍ଡା, ଶଶୀରଞ୍ଜନ ମିଶ୍ର,ଶ୍ରୀକାନ୍ତ ମିଶ୍ର,, ଅନି ନନା ପୂଜକ ଗୋପୀନାଥ ପଣ୍ଡା, ମାଳି ସେବକ ପର୍ଶୁରାମ ରଣା, ହଂସୀ କାମରେ ମଦନ ମୋହନ ବେହେରା, ଛତର ବୈରକ ପ୍ରଫୁଲ୍ଲ ସେଠୀ, ହେମ ରଞ୍ଜନ ନାୟକ ଓ ଅର୍ଜୁନା ବେହେରା ପ୍ରମୁଖ ନିଷ୍ଠାର ସହ ସେବାକାର୍ଯ୍ୟ ସମ୍ପାଦନ କରିଥିଲେ।

ଦେବସ୍ନାନ ମହୋତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ସମସ୍ତ ସେବକ, ମନ୍ଦିର ପରିଚାଳନା କମିଟି ଏବଂ ଭକ୍ତବୃନ୍ଦଙ୍କ ସକ୍ରିୟ ସହଯୋଗ ରହିଥିଲା। ଶେଷରେ ମହାପ୍ରସାଦ ସେବନ ସହ ପବିତ୍ର ଦେବସ୍ନାନ ଉତ୍ସବର ସମାପନ ହୋଇଥିଲା।