ପୁରୀ: ଦେବସ୍ନାନ ପୂର୍ଣ୍ଣିମା ପରେ ଅନବସର ଘରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ଅନବସର ନୀତି ସମାପନ ପରେ ଆସନ୍ତାକାଲି ନବଯୌବନ ବେଶରେ ଭକ୍ତମାନଙ୍କୁ ପ୍ରଥମ ଦର୍ଶନ ଦେବେ। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ପବିତ୍ର ନୀତିକୁ ‘ନବଯୌବନ ଦର୍ଶନ’ କୁହାଯାଏ। ରଥଯାତ୍ରା ପୂର୍ବରୁ ଆୟୋଜିତ ଏହି ଦୁର୍ଲଭ ଦର୍ଶନ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଶ୍ରୀକ୍ଷେତ୍ରରେ ସମବେତ ହୋଇଥାନ୍ତି। ଅନବସର କାଳରେମହାପ୍ରଭୁ ଜ୍ୱରଲୀଳା କରୁଥିବା ବିଶ୍ୱାସ ରହିଥିବାରୁ ସାଧାରଣ ଦର୍ଶନ ବନ୍ଦ ରହେ। ଏହି ସମୟରେ ଦଇତାପତି ସେବକମାନେ ଗୁପ୍ତ ନୀତି ଅନୁସାରେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଅନବସର ଶେଷରେ ଶ୍ରୀଅଙ୍ଗରେ ନୂତନ ରଙ୍ଗ ଓ ଶୃଙ୍ଗାର ଲାଗିବା ପରେ ମହାପ୍ରଭୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହା ପରେ ନେତ୍ରୋତ୍ସବ ନୀତି ସମ୍ପନ୍ନ ହୋଇ ରଥାରୋହଣ ପାଇଁ ମହାପ୍ରଭୁ ପ୍ରସ୍ତୁତ ହୁଅନ୍ତି।
ଶ୍ରୀମନ୍ଦିରର ପରମ୍ପରାରେ ନବଯୌବନ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି ଏବଂ ଏହି ଦିନ ମହାପ୍ରଭୁଙ୍କ ଦର୍ଶନ କଲେ ବିଶେଷ ପୁଣ୍ୟଲାଭ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ।ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନବଯୌବନ ଦର୍ଶନ ଅବସରରେ ଭିତର କାଠ ନିକଟରେ ପରିମାଣିକ ଦର୍ଶନ ଅପରାହ୍ଣ ୨ଟା ୩୦ ମିନିଟରୁ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଭିତର କାଠ ନିକଟରେ ସର୍ବସାଧାରଣଙ୍କ ଦର୍ଶନ ଅପରାହ୍ଣ ୩ଟା ୩୦ ମିନିଟରୁ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।